ବିଦ୍ୟୁତ୍ ସେବାରୁ ବଞ୍ଚିତ ୫୫ ଆଦିବାସୀ ପରିବାର, ବାରମ୍ବାର ଅଭିଯୋଗ ପରେ ଅନ୍ଧାରରେ ବିତୁଛି ଜୀବନ : ମୋବାଇଲ୍ ଚାର୍ଜ କରିବାକୁ ଗଣୁଛନ୍ତି ଟଙ୍କା : ହାଣ୍ଡିଆ ପିଇ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ସମ୍ମୁଖରେ କଲେ ଅଭିନବ ପ୍ରତିବାଦ
ବାରିପଦା, ୫ ଅଗଷ୍ଟ (ହି.ସ.)- ବିକଶିତ ଗାଁ ବିକଶିତ ଓଡ଼ିଶା ନେଇ ବିଜେପି ସରକାର ମିଛ ଡିଣ୍ଡିମ ପିଟୁଥିବା ବେଳେ ଆଜି ବି ଅନେକ ଗ୍ରାମରେ ବିଦ୍ୟୁତ ସଂଯୋଗରୁ ବଞ୍ଚିତ ରହିଛି। ଅନ୍ଧାର ପାଇଁ ଶିଶୁଟି ଉଜ୍ଜ୍ୱଳ ଭବିଷ୍ୟତ ନେଇ ଆଶାବାଦୀ ହେବାକୁ ଭୁଲିଗଲାଣି। ଏହିପରି ଚିତ୍ର ଉଦଳା ନିର୍ବାଚନ ମଣ୍ଡଳୀ ଅଧୀନ କପ
Villagers of  Dhanasahi, under Kaptipada


ବାରିପଦା, ୫ ଅଗଷ୍ଟ (ହି.ସ.)- ବିକଶିତ ଗାଁ ବିକଶିତ ଓଡ଼ିଶା ନେଇ ବିଜେପି ସରକାର ମିଛ ଡିଣ୍ଡିମ ପିଟୁଥିବା ବେଳେ ଆଜି ବି ଅନେକ ଗ୍ରାମରେ ବିଦ୍ୟୁତ ସଂଯୋଗରୁ ବଞ୍ଚିତ ରହିଛି। ଅନ୍ଧାର ପାଇଁ ଶିଶୁଟି ଉଜ୍ଜ୍ୱଳ ଭବିଷ୍ୟତ ନେଇ ଆଶାବାଦୀ ହେବାକୁ ଭୁଲିଗଲାଣି। ଏହିପରି ଚିତ୍ର ଉଦଳା ନିର୍ବାଚନ ମଣ୍ଡଳୀ ଅଧୀନ କପ୍ତିପଦା ବ୍ଲକ୍ ଅନ୍ତର୍ଗତ ପଦ୍ମପୋଖରୀ ଗ୍ରାମପଞ୍ଚାୟତର ଧପଡା ଗ୍ରାମ ଧନସାହି ଅଞ୍ଚଳରେ ଦେଖିବାକୁ ମିଳିଛି। ଧପଡ଼ା ଗ୍ରାମର ଧନସାହିରେ ବସବାସ କରୁଥିବା ୫୫ ଆଦିବାସୀ ପରିବାରଙ୍କ ନିକଟରେ ସ୍ୱାଧୀନତାର ୭୮ବର୍ଷ ପରେ ବି ବିଦ୍ୟୁତ ସେବା ଅପହଞ୍ଚ ଅଟେ। ଯାହାକୁ ନେଇ ଉକ୍ତ ପରିବାର ସଦସ୍ୟ ମାନେ ବାରିପଦା ସ୍ଥିତ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ସମ୍ମୁଖରେ ଅଭିନବ ପ୍ରତିବାଦ ପ୍ରଦର୍ଶନ କରିଛନ୍ତି। ଗ୍ରାମରୁ ସାଥିରେ ଆଣିଥିବା ହାଣ୍ଡିଆ ପିଇ ଧାରଣାରେ ବସିଛନ୍ତି। ଜଙ୍ଗଲ ଓ ପାହାଡ଼ ପାଦଦେଶରେ ଅବସ୍ଥିତ ଉକ୍ତ ଗ୍ରାମର ଲୋକେ ଆଜି ବି ସାମାଜିକ ସ୍ରୋତରୁ ଦୂରରେ ରହିଛନ୍ତି। ମୌଳିକ ସୁବିଧା ପାଇବାରୁ ବଞ୍ଚିତ ହୋଇ ରହିଛନ୍ତି। ଉକ୍ତ ଗ୍ରାମରେ ବିଜୁଳି ଆଲୁଅ ପହଞ୍ଚି ପାରିନଥିବାରୁ ସୂର୍ଯ୍ୟାସ୍ତ ପରେ ଜନଜୀବନ ଥମି ଯାଇଥାଏ। ଗ୍ରାମ ନିକଟରେ ଜଙ୍ଗଲ ଥିବା ବେଳେ ଅନ୍ଧାର ଯୋଗୁଁ ଅସୁରକ୍ଷିତ ଭାବେ ବଞ୍ଚି ରହିଛନ୍ତି। ଜୀବଜନ୍ତୁଙ୍କ ଆକ୍ରମଣ ଓ ସର୍ପ ଦଂଶନର ଭୟ ଥିବାରୁ ରାତିରେ ନିରାପଦରେ ଶୋଇ ପାରନ୍ତିନାହିଁ। ବିଦ୍ୟୁତ୍ ସେବା ଭଳି ମୌଳିକ ସୁବିଧାରୁ ବଞ୍ଚିତ ଥିବାରୁ ବିଭାଗୀୟ ଅଧିକାରୀ ମାନଙ୍କୁ ବାରମ୍ବାର ଅଭିଯୋଗ ଜଣାଇଥିଲେ ସୁଦ୍ଧା କୌଣସି ସୁଫଳ ମିଳିନଥିଲା। ବିଦ୍ୟୁତ ସଂଯୋଗ ନଥିବାରୁ ଗ୍ରାମବାସୀ ମାନେ ଟଙ୍କା ଦେଇ ମୋବାଇଲ ଚାର୍ଜ କରୁଛନ୍ତି। ସେଥିପାଇଁ ଗ୍ରାମ ନିକଟସ୍ଥ କଣ୍ଡିପଦା ଓ ନୂଆସାହିକୁ ଯିବାକୁ ପଡୁଛି। ଏନେଇ ଉଦଳା ଉପଖଣ୍ଡ ଉପଜିଲ୍ଲାପାଳଙ୍କ ନିକଟରେ ଫେରାଦ ହୋଇଥିଲେ। ଅଭିଯୋଗ ଶୁଣିବା ପରେ ବିଦ୍ୟୁତ ସଂଯୋଗ ହୋଇଯିବ ବୋଲି ପ୍ରତିଶ୍ରୁତି ମିଳିଥିଲା। କିନ୍ତୁ, ଆଜି ବି ଅନ୍ଧାରରେ ଜୀବନ ବିତୁଛି। ଯାହାକି ବିଜେପି ସରକାରରେ ଗ୍ରାମାଞ୍ଚଳର କିପରି ବିକାଶ ହେଉଛି ତାହାର ନଗ୍ନ ଚିତ୍ରକୁ ଉପସ୍ଥାପନ କରିଛି। ବାରମ୍ବାର ମିଛ ପ୍ରତିଶ୍ରୁତି ମିଳୁଥିବା ବେଳେ ସମସ୍ୟାର କୌଣସି ସମାଧାନ ହେଉନାହିଁ। ତେଣୁକରି ଯେଉଁ ପର୍ଯ୍ୟନ୍ତ ଗ୍ରାମରେ ବିଦ୍ୟୁତ ସଂଯୋଗ ନେଇ ଜିଲ୍ଲା ପ୍ରଶାସନ ପକ୍ଷରୁ ପଦକ୍ଷେପ ଗ୍ରହଣ ହୋଇନି ସେ ପର୍ଯ୍ୟନ୍ତ ସମୂହ ଧାରଣାରେ ବସିବେ ବୋଲି ଗ୍ରାମବାସୀ ମାନେ ଅଡ଼ି ବସିଛନ୍ତି। ତେବେ ଜିଲ୍ଲା ପ୍ରଶାସନ ଅଧିକାରୀ ମାନେ ବୁଝାସୁଝା କରିଥିଲେ।

ଆନ୍ଦୋଳନରେ ନବୀନ ମୁଣ୍ଡୁରୀ, ସାନ ବଳରାମ ଜାରିକା, ବିର୍ସା ମୁଣ୍ଡୁରୀ, ଗାମାଏ ରିମିଲ ସିଂ ଗଇପାଇ, ମାନସିଂ ଜାରିକା, ସେଲାୟେ ମୁଣ୍ଡୁରୀ, ମାଝୀ ମୁଣ୍ଡୁରୀ, ଶାନ୍ତି ମୁଣ୍ଡୁରୀ ପ୍ରମୁଖ ଓ ଅନ୍ୟମାନେ ଉପସ୍ଥିତ ଥିଲେ।

ହିନ୍ଦୁସ୍ଥାନ ସମାଚାର / ଦିଲ୍ଲୀପ


 rajesh pande