ତାଳଚେର ଓ ଫୁଲବାଣୀ ମେଡିକାଲ କଲେଜରେ ୨୦୦ ଏମବିବିଏସ୍ ସିଟରେ ନାମଲେଖା ପାଇଁ କଲେ ଅନୁରୋଧ
ଭୁବନେଶ୍ୱର, ୦୫ ଅଗଷ୍ଟ (ହି.ସ)- କେନ୍ଦ୍ର ଶିକ୍ଷା ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନଙ୍କ ତତ୍ୱାବଧାନକରେ ମଙ୍ଗଳବାର ରାଜ୍ୟ ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ମନ୍ତ୍ରୀ ଡ଼ ମୁକେଶ ମହାଲିଙ୍ଗ ତାଳଚେରର ପବିତ୍ର ମୋହନ ପ୍ରଧାନ ମେଡିକାଲ କଲେଜ ଏବଂ ଫୁଲବାଣୀର ସରକାରୀ ମେଡିକାଲ କଲେଜର ୨୦୨୫-୨୬ ଶିକ୍ଷାବର୍ଷ ପାଇଁ ସମୁଦାୟ ୨୦୦ ଏମବିବିଏସ ସିଟରେ ନାମ ଲେଖା ପାଇଁ କେନ୍ଦ୍ର ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ମନ୍ତ୍ରୀ ଜଗତ ପ୍ରକାଶ ନଡ୍ଡାଙ୍କୁ ଭେଟି ଅନୁମତି ପତ୍ର ଅନୁରୋଧ କରିବା ସହ ରାଜ୍ୟରେ ସ୍ୱାସ୍ଥ୍ୟ ସେବା କୁ ଉନ୍ନତତର କରିବା ପାଇଁ ପୁଙ୍ଖାନୁପୁଙ୍ଖ ଆଲୋଚନା କରିଛନ୍ତି। ୨୦୨୫-୨୬ ଶିକ୍ଷାବର୍ଷରେ ଉଭୟ କଲେଜରେ ୧୦୦ ଜଣ ଲେଖାଏଁ ଏମବିବିଏସ୍ ଛାତ୍ରଛାତ୍ରୀଙ୍କ ନାମଲେଖା ପାଇଁ ଅନୁମତି ପତ୍ର କେନ୍ଦ୍ର ସ୍ୱାସ୍ଥ୍ୟ ମନ୍ତ୍ରୀ ତ୍ୱରିତ ହସ୍ତକ୍ଷେପ ପାଇଁ ଅନୁରୋଧ କରିଛନ୍ତି।
ସୂଚନା ଅନୁସାରେ , ଉପରୋକ୍ତ ଦୁଇଟି ମହାବିଦ୍ୟାଳୟ ଓଡ଼ିଶାରେ ଚିକିତ୍ସା କ୍ଷେତ୍ରରେ ନୂଆଭାବେ ପ୍ରତିଷ୍ଠିତ ହୋଇଛି। ଏହି ଦୁଇ ଅନୁଷ୍ଠାନର ଡିନ ଓ ପ୍ରିନ୍ସିପାଲ ମାନେ ନିଜ ଅନୁମତି ପତ୍ର ପାଇଁ ଆବେଦନ ୧୮ ଜାନୁଆରୀ ରେ ନ୍ୟାସନାଲ ମେଡିକାଲ କମିଶନର ପୋର୍ଟାଲ ମାଧ୍ୟମରେ ଦାଖଲ କରିଥିଲେ। ନ୍ୟାସନାଲ ମେଡିକାଲ କମିଶନ ଟିମ ମାନେ ୨୩ ଜୁନ ୨୦୨୫ ରେ ପବିତ୍ର ମୋହନ ପ୍ରଧାନ ମେଡିକାଲ କଲେଜ ତାଲଚେର ଓ ୨୮ ମେ ୨୦୨୫ ରେ ସରକାରୀ ମେଡିକାଲ କଲେଜର, ଫୁଲବାଣୀର ଭୌତିକ ନିରୀକ୍ଷଣ କରିଥିଲେ।
ଅନୁମତି ପତ୍ର ମିଳିବା ପରେ ରାଜ୍ୟରେ ସ୍ୱାସ୍ଥ୍ୟ ସେବାରେ ଆଉ ଦୁଇ ଗୋଟି କଲେଜ ଯୋଡି ହେବ । ୧୪ ଟି ସରକାରୀ କଲେଜ ରୁ ବଢି ୧୬ ସରକାରୀ ମେଡିକାଲ କଲେଜ ହେବା ସହ ସମୁଦାୟ ୧୮୦୦ ଏମବିବିଏସ୍ ସିଟକୁ ବଢିବ ।
ଏହି ସମୟରେ ପଂଚାୟତି ରାଜ ଓ ପାନୀୟ ଜଳ ବିଭାଗ , ଗ୍ରାମ୍ୟ ଉନ୍ନୟନ ମନ୍ତ୍ରୀ ରବି ନାରାୟଣ ନାଏକ , କଟକ ସାଂସଦ ଭର୍ତୃହରି ମହତାବ ,ବରଗଡ଼ ସାଂସଦ ପ୍ରଦୀପ ପୁରୋହିତ ଏବଂ କନ୍ଧମାଳ ସାଂସଦ ସୁକାନ୍ତ କୁମାର ପାଣିଗ୍ରାହୀ ଉପସ୍ଥିତ ଥିଲେ।
---------------
ହିନ୍ଦୁସ୍ଥାନ ସମାଚାର / ବନ୍ଦନା