ଭୁବନେଶ୍ୱର, ୦୫ ଅଗଷ୍ଟ (ହି.ସ)- ରାଜ୍ୟ ସରକାର ଶିଶୁ ସୁରକ୍ଷା ଆୟୋଗର ଅଧ୍ୟକ୍ଷା ପଦବିରେ ବ୍ରହ୍ମପୁରର ସୋମନାଥନଗର ମୟୂରବିହାର ନିବାସୀ ବବିତା ପାତ୍ରଙ୍କୁ ନିଯୁକ୍ତି ଦେଇଛନ୍ତି। ୩ ବର୍ଷ ପର୍ଯ୍ୟନ୍ତ ସେ ଏହି ଦାୟିତ୍ୱରେ ରହିବେ। ଏନେଇ ମହିଳା ଓ ଶିଶୁ ବିକାଶ ବିଭାଗ ପକ୍ଷରୁ ବିଜ୍ଞପ୍ତି ପ୍ରକାଶ ପାଇଛି। ମନ୍ଦାକିନୀ କରଙ୍କୁ ବହିଷ୍କାର ପରେ ଏହି ପଦବି ୫ ମାସ ହେଲା ଖାଲି ପଡ଼ିଥିଲା। ଶିଶୁ ସୁରକ୍ଷା ଆୟୋଗରେ ଆଉ ୬ ସଦସ୍ୟଙ୍କୁ ନିଯୁକ୍ତି ମିଳିଛି। ସେମାନେ ହେଲେ ସୁକେଶୀ ଓରାମ, କଳ୍ପନା ଲେଙ୍କା, ଚନ୍ଦନା ଦାସ , କସ୍ତୁରୀ ମିଶ୍ର, ମନସ୍ମିତା ଖୁଂଟିଆ ଓ, ସୁଜାତା ନାୟକ।
ଶିଶୁ ସୁରକ୍ଷା ଅଧ୍ୟକ୍ଷା ବବିତା ପାତ୍ର ଗଣମାଧ୍ୟମକୁ ପ୍ରତିକ୍ରିୟାରେ କହିଛନ୍ତି, ବିଶ୍ୱାସ କରିଥିବାରୁ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀଙ୍କୁ ଧନ୍ୟବାଦ ଜଣାଉଛି।ଉପମୁଖ୍ୟମନ୍ତ୍ରୀ ପ୍ରଭାତୀ ପରିଡ଼ାଙ୍କୁ ମଧ୍ୟ ଧନ୍ୟବାଦ ଜଣାଉଛି। ଶିଶୁ ଅଧିକାର ଓ ସୁରକ୍ଷା ସୁନିଶ୍ଚିତ ହେବ। ଶିଶୁ ନିର୍ଯାତନା କମାଇବାକୁ ରୋଡ଼ ମ୍ୟାପ କରିବୁ। ବିଭାଗ ସହ ମିଶି ଶିଶୁ ଚାଲାଣ ଓ ଶିଶୁ ଶ୍ରମିକ ରୋକିବୁ। ବିଜେପି ସରକାରରେ ଶିଶୁଙ୍କ କଲ୍ୟାଣ ହେବ। ନାବାଳିକା ଦୁଷ୍କର୍ମ, ଶିଶୁ ନିର୍ଯାତନା ଉପରେ କଠୋର ବ୍ୟବସ୍ଥା କରାଯିବ।
---------------
ହିନ୍ଦୁସ୍ଥାନ ସମାଚାର / ବନ୍ଦନା