କେନ୍ଦୁଝର, 5 ଅଗଷ୍ଟ (ହି.ସ.)
ଆଦିବାସୀ ଅଧୁଷିତ କେନ୍ଦୁଝର ଜିଲ୍ଲା । ଏହି ଜିଲ୍ଲାର ଯୋଡ଼ା ବ୍ଲକ ଅଧୀନରେ ଥିବା ଲୋଇଡ଼ାପଦା ପଞ୍ଚାୟତ ର ଅବହେଳିତ ଗାଁ ଟୋପାଡିହି, ରୁଗୁଡ଼ି, ଲୋଇଦାପଦା। ଏମିତି ତ ଗାଁରେ ରହିଛି ଅନେକ ସମସ୍ୟା । ହେଲେ ସବୁ ସମସ୍ୟା କୁ ବଳି ଯାଇଛି ରାସ୍ତା ସମସ୍ୟା। କଲବଲ କରୁଛି ଜାତୀୟ ରାଜପଥ ଏବଂ ତାକୁ ଲାଗି ରହିଥିବା ସର୍ଭିସ୍ ରାସ୍ତା ସାରା ଖାଲ ଖମା। ଆଉ ବର୍ଷା ଦିନେ ଏହି ରାସ୍ତାରେ ଜମୁଛି ପାଣିକାଦୁଅ । ଟିକିଏ ନଜର ପକାନ୍ତୁ ଏହି ରାସ୍ତା ଉପରେ ଥିବା ଆଣ୍ଠୁଏ ଆଣ୍ଠୁଏ ଖାଲରେ କିପରି ବର୍ଷା ପାଣି ଭରି କୃତ୍ରିମ ପୋଖରୀରେ ପରିଣତ ହୋଇଛି । ଆଉ ଏହି ପାଣି ଭିତରେ ପସି ଯାତାୟତ କରୁଛନ୍ତି ଆବାଳ ବୃଦ୍ଧ ବନିତା।
ଗାଁକୁ ସଂଯୋଗ କରୁଥିବା ଏହି ଗୋଟିଏ ରାସ୍ତା କାହିଁକି ଗାଁର ଭିତର ବାହାର ଯେଉଁଠି ଦେଖ ରାସ୍ତା କାଦୁଅ ପଚପଚ। ରାସ୍ତା ସମସ୍ୟା ସମାଧାନ ପାଇଁ ପ୍ରଶାସନ ନିକଟରେ ବାରମ୍ବାର ଗୁହାରି କରୁଛନ୍ତି ଅଞ୍ଚଳବାସୀ। ହେଲେ ନିଦା ବିଷ୍ଣୁ ପାଲଟିଛି ସରକାର ଏବଂ ପ୍ରଶାସନ। ପରିଣାମ ସ୍ବରୂପ ରାଜ ରାସ୍ତା ରେ ଧାନ ରୋଇ ପ୍ରତିବାଦ କରିଛନ୍ତି ଶହ ଶହ ମହିଳା ଏବଂ ପୁରୁଷ।
ପ୍ରିତିଦିନ ଦୁଇ ହଜାରରୁ ଅଧିକ ଲୋକ ଦୈନନ୍ଦିନ କାମ ପାଇଁ ଏହି ରାସ୍ତା ଉପରେ ନିର୍ଭର କରୁଛନ୍ତି। ହେଲେ ନିକଟସ୍ଥ ଖଣି ଖଦାନ କୁ ଯାତାୟାତ କରୁଥିବା ଭାରି ଯାନ ଚଳାଚଳ ଯୋଗୁଁ ରାସ୍ତାର ଅବସ୍ଥା ଶୋଚନୀୟ ହୋଇ ପଡ଼ିଛି। ଜାତୀୟ ରାଜପଥ ଠାରୁ ଆରମ୍ଭ କରି ସର୍ଭିସ୍ ରାସ୍ତା ସବୁ ରାସ୍ତା ଉପରେ ଆଣ୍ଠୁଏ ଆଣ୍ଠୁଏ କାଦୁଅରେ ଯିବା ଆସିବା କରୁଛନ୍ତି ଲୋକେ। ସମସ୍ୟା ସମାଧାନ ପାଇଁ ଜାତୀୟ ରାଜପଥ ପ୍ରାଧିକରଣ ଠାରୁ ଆରମ୍ଭ କରି ବିଭିନ୍ନ ପ୍ରଶାସନିକ ଅଧିକାରୀ ପର୍ଯ୍ୟନ୍ତ ଧାଇଁ ଧାଇଁ ନୟାନ୍ତ ହେଉଥିଲେ ମଧ୍ୟ କେହି କଥା ଶୁଣୁ ନଥିବା ଅଭିଯୋଗ କରିଥିବାବେଳେ ବାଧ୍ୟ ହୋଇ ରାସ୍ତା ଉପରେ ଧାନ ତଳି ରୋଇ ପ୍ରତିବାଦ କରୁଥିବା କହିଛନ୍ତି ଅଞ୍ଚଳବାସୀ।
ହିନ୍ଦୁସ୍ଥାନ ସମାଚାର / SANTOSH KUMAR MOHAPATRA