ଭୁବନେଶ୍ୱର, ୦୫ ଅଗଷ୍ଟ (ହି.ସ)- ରାଜ୍ୟରେ ବଢ଼ି ଚାଲିଥିବା ନାରୀ ନିର୍ଯାତନା ବିରୁଦ୍ଧରେ କଂଗ୍ରେସ ସପ୍ତାହବ୍ୟାପି ନାରୀ ନ୍ୟାୟ ଯାତ୍ରା କରିବ। ଆସନ୍ତା ୮ ତାରିଖ ଶୁକ୍ରବାର ବଳଙ୍ଗା ନାବାଳିକା ପୋଡ଼ି ଘଟଣାର ୩ ଦୁବୃର୍ତଙ୍କ ଗିରଫ ଦାବିରେ କଟକ ସ୍ଥିତ ପୋଲିସ୍ ଡିଜି କାର୍ଯ୍ୟାଳୟକୁ ସହସ୍ର ସଂଖ୍ୟାରେ କଂଗ୍ରେସ କର୍ମୀ ଘେରାଉ କରିବେ ବୋଲି ପିସିସି ସଭାପତି ଭକ୍ତ ଚରଣ ଦାସ ସୂଚନା ଦେଇଛନ୍ତି। ଗତ ଶନିବାର ସନ୍ଧ୍ୟାରେ ବଳଙ୍ଗା ପୀଡ଼ିତାଙ୍କ ମୃତ୍ୟୁ ପରେ ପରେ କାର୍ଯ୍ୟାନୁଷ୍ଠାନ ପାଇଁ ପିସିସି ପକ୍ଷରୁ ଶ୍ରୀ ଦାସ ସରକାରଙ୍କୁ ସାତ ଦିନର ମହଲତ ଦେଇଥିଲେ। ଏହି କଂଟ ପୂରଣ ହେବା ପରେ କଂଗ୍ରେସ ଆନ୍ଦୋଳନ କରିବାକୁ ନିଷ୍ପତି ନେଇଛି।
ସେହିପରି ଆସନ୍ତା ୧୦ ଅଗଷ୍ଟ, ରବିବାର ପୂର୍ବାହ୍ନରେ ଦିବଂଗତ ବଳଙ୍ଗା ନାବାଳିକାଙ୍କ ପାଇଁ 'ନାରୀ ନ୍ୟାୟ ପଦଯାତ୍ରା' ବାୟାବରରୁ ବାହାରି ନିମାପଡ଼ାରେ ପହଂଚିବ। ଅନ୍ୟପକ୍ଷରେ, ସୌମ୍ୟାଶ୍ରୀଙ୍କୁ ନ୍ୟାୟ ଦାବିରେ ଆସନ୍ତା ୧୪ ତାରିଖରେ ବାଲେଶ୍ୱରେ ନାରୀ ନ୍ୟାୟ ପଦଯାତ୍ରା ହେବ। ୧୪ ତାରିଖ ଗୁରୁବାର ପୂର୍ବାହ୍ନ ୯ ଟାରେ ଫକୀରମୋହନ କଲେଜ ପାଖରୁ ନାରୀ ନ୍ୟାୟ ପଦଯାତ୍ରାରେ ରାଜ୍ୟର ବରିଷ୍ଠ ନେତୃବୃନ୍ଦଙ୍କ ସହ ଅନ୍ୟ ସମସ୍ତଙ୍କୁ ନେଇ ଦଳ ପକ୍ଷରୁ ନଗର ପରିକ୍ରମା କରାଯିବ। ଏହାର ବିସ୍ତୃତ କାର୍ଯ୍ୟସୂଚୀ ଶୀଘ୍ର ପ୍ରକାଶ ପାଇବ।
ସୂଚନାଯୋଗ୍ୟ, ଯେଉଁମାନଙ୍କ ଚାପରେ ବାଲେଶ୍ୱର ପୀଡ଼ିତାଙ୍କ ପାଇଁ ଏଫ୍ଆଇଆର୍ ସୁଦ୍ଧା ରୁଜୁ କରାଗଲା ନାହିଁ,ସେମାନଙ୍କୁ ମଧ୍ୟ ଅଭିଯୁକ୍ତ ଭାବେ ତଦନ୍ତ ପରିସର ଭୁକ୍ତ କରିବାକୁ ଶ୍ରୀ ଦାସ ଦାବି କରିଛନ୍ତି। ଉପରୋକ୍ତ ସମସ୍ତ ଦାବି ପୂରଣ ନ ହେଲେ ସପ୍ତାହବ୍ୟାପୀ ରାଜ୍ୟର ସମସ୍ତ ଥାନାର ଘେରାଉ କାର୍ଯ୍ୟକ୍ରମ କଂଗ୍ରେସ କରିବ ବୋଲି ଶ୍ରୀ ଦାସ ଚେତାବନୀ ଦେଇଛନ୍ତି ।
---------------
ହିନ୍ଦୁସ୍ଥାନ ସମାଚାର / ବନ୍ଦନା