ଧର୍ମଶାଳା, ୫ଅଗଷ୍ଟ(ହି.ସ.) - ଯାଜପୁର ଜିଲା ଧର୍ମଶାଳା ବ୍ଲକ ଜାରକା ଇନରହୁଇଲ କ୍ଲବ ତରଫରୁ ଧର୍ମଶାଳା ବ୍ଲକ ମାଝିପାଟଣା ଗ୍ରାମରେ ଅଭାବ ଅନାଟନରେ ରହୁଥିବା କେତେକ ଅସହାୟ ଗ୍ରାମବାସୀ ଙ୍କୁ ଛତା ବଂଟନ କରାଯାଇଛି । କ୍ଲବ ର ସଭାପତି ଲୋପାମୁଦ୍ରା ଷେଣ୍ଢ ଓ ସମ୍ପାଦକ ପ୍ରଭାତନଳିନୀ ସାହୁଙ୍କ ନେତୃତ୍ୱରେ ସଦସ୍ୟାମାନେ ଏହି ବ୍ଲକ ଦେଓଦା ପଂଚାୟତ ମାଝିପାଟଣା ଗ୍ରାମରେ ପହଂଚି ସେଠାରେ ରହୁଥିବା ଅସହାୟ ପରିବାର ଲୋକଙ୍କୁ ଛତା ପ୍ରଦାନ କରିଛନ୍ତି । ଏବେ ବର୍ଷା ଋତୁ ଚାଲୁଥିବାରୁ ଏହି ଗ୍ରାମର ଗରିବ ଶ୍ରେଣୀର ଲୋକମାନେ ଦୈନନ୍ଦିନ କାର୍ଯ୍ୟ ଯେପରି ସୁରୁଖୁରୁରେ କରି ପାରିବେ ଏହାକୁ ଦୃଷ୍ଟିରେ ରଖି କ୍ଲବ ତରଫରୁ ଏହି ଛତା ପ୍ରଦାନ କରାଯାଇଛି । ସେହିପରି ଏହି ବ୍ଲକ ଅଧିନସ୍ଥ ଚୋରମୁହାଁ ଗ୍ରାମର ଜଣେ ଗରିବ ଅସହାୟ ମହିଳା ଗାୟତ୍ରୀ ବାରିକଙ୍କୁ କ୍ଲବ ତରଫରୁ ଗୋଟିଏ ସିଲାଇ ମେସିନ ସହ ୨ ମାସ ପାଇଁ ରାସନ ସାମଗ୍ରୀ ପ୍ରଦାନ କରାଯାଇଛି। ଶ୍ରୀମତୀ ବାରିକଙ୍କ ସ୍ୱାମୀ ୧୨ ବର୍ଷ ପୂର୍ବେ ଉଚ୍ଚ ରକ୍ତଚାପ ଯୋଗୁଁ ପକ୍ଷାଘାତ ରୋଗରେ ପୀଡିତ ହୋଇ ଶଯ୍ୟାଶାୟୀ ଅଛନ୍ତି । ନିଜ ସ୍ୱାମୀଙ୍କର ଏପରି ଅବସ୍ଥାରେ ଗାୟତ୍ରୀ ଙ୍କୁ ନିଜ ପରିବାର କୁ ଚଳାଇବା କଷ୍ଟକର ହୋଇପଡିଛି । ଏହି କାର୍ଯ୍ୟକ୍ରମରେ ଇନରହୁଇଲ କ୍ଲବର ବରିଷ୍ଠ ସଦସ୍ୟା ମିନତୀ ସାହୁ, ମାଧୁରୀ ଶତପଥି, ଶକୁନ୍ତଳା ମହାନ୍ତି, ରଶ୍ମିତା ନାୟକ, କଳ୍ପନା ପରିଡା, ଇନ୍ଦୁପ୍ରଭା ସାମଲ, ଅର୍ଚନା ସ୍ୱାଇଁ, ବିଶ୍ୱାମିତ୍ରା ସାହୁ, କାଦମ୍ବିନୀ ମିଶ୍ର ଓ ସରୋଜିନୀ ପଣ୍ଡା ପ୍ରମୁଖ ପରିଚାଳନାରେ ସହାୟତା କରିଥିଲେ ।
ହିନ୍ଦୁସ୍ଥାନ ସମାଚାର / ଚିନ୍ମୟ