ପୁରୀ, ୫ ଅଗଷ୍ଟ (ହି.ସ.)- ବିଶ୍ବପ୍ରସିଦ୍ଧ ପୁରୀ ସହର । ଖୁବଶୀଘ୍ର ହେବ ମହାନଗର । ପର୍ଯ୍ୟଟନ ତୀର୍ଥ ସହରରେ ଅପରାଧୀଙ୍କ କାର୍ଯ୍ଯକଳାପ ଏବେ ଉପରମୁହାଁ ହୋଇଛି । ମଙ୍ଗଳବାର ଅପରାହ୍ନରେ ଜନଗହଳିପୂର୍ଣ୍ଣ ଶରଧାବାଲି ବସଷ୍ଟାଣ୍ଡରେ ସଂଘବଦ୍ଧ ଆକ୍ରମଣରେ ଜଣେ ଅଟୋ ଡ୍ରାଇଭର ଆହତ ହୋଇ ଜିଲ୍ଲା ମୁଖ୍ଯ ଚିକିତ୍ସାଳୟରେ ଭର୍ତ୍ତି ହୋଇଛନ୍ତି । ପୂର୍ବ ଶତ୍ରୁତାକୁ କେନ୍ଦ୍ର କରି ୧୫ରୁ ୨୦ ଜଣ ଯୁବକ ସଂଘବଦ୍ଧ ଆକ୍ରମଣ କରିବାରୁ କୁମ୍ଭାରପଡା ଥାନା ଅଞ୍ଚଳ ରାମଚଣ୍ଡୀ ସାହି ବାଲିଉପର ଅଟୋ ଡ୍ରାଇଭର ଜଗନ ବେହେରା (୨୨) ଆହତ ହୋଇଛନ୍ତି । ବସଷ୍ଟାଣ୍ଡ ତାରିଣୀ ମନ୍ଦିର ନିକନରେ ଏହି ଆକ୍ରମଣ ହୋଇଥିବା ଜଣାପଡିଛି । ବସଷ୍ଟାଣ୍ଡରେ ଅଟୋ ଚାଳକଙ୍କ ଆଧିପତ୍ଯ ବଢିବାରେ ଲାଗିଛି । ପୋଲିସ ପ୍ରବେଶ ପଥ ଓ ପ୍ରସ୍ଥାନ ପଥରେ ଜଗି ନରହିବା ଯୋଗୁ ଅସାମାଜିକ କାର୍ଯ୍ଯକଳାପ ବୃଦ୍ଧି ପାଉଛି । କୁମ୍ଭାରପଡା ଥାନା ପକ୍ଷରୁ ଘଟଣାର ଛାନଭିନ କରାଯାଉଛି । ରଥଯାତ୍ରା ସମୟରେ ଏସପି ବିନୀତ ଅଗ୍ରୱାଲ ବଦଳି ହୋଇଥିବା ବେଳେ ବର୍ତ୍ତମାନ ଏସପି ପିନାକ ମିଶ୍ର ବଦଳି ହେବାର ସମ୍ଭାବନା ରହିଛି ବୋଲି ଆଲୋଚନା ହେଉଛି । ଏହି ମାସକ ଭିତରେ ବଳିଆପଣ୍ଡା, ଟାଉନ ଥାନା ଅଞ୍ଚଳ, ବାସେଳୀ ସାହି ଥାନା ଅଞ୍ଚଳ, କୁମ୍ଭାରପଡା ଥାନା ଅଞ୍ଚଳ ଓ ସମୁଦ୍ରକୂଳ ଥାନା ଅଞ୍ଚଳରେ ଅପରାଧୀଙ୍କ ଉତ୍ପାତ ବଢିବାରେ ଲାଗିଛି । ପ୍ଲଟିଙ୍ଗ ବ୍ଯବସାୟ, ନିଶା କରବାର, ଜମି ଦଖଲ ଅଭିଯାନ, ବାଲି ଚୋରା ଚାଲାଣ, ଚୋରା କାଠ ବେପାରରୁ ଅସାମାଜିକ ଯୁବକ ଲକ୍ଷ ଲକ୍ଷ ଟଙ୍କା ବିନା ପରିଶ୍ରମରେ ହାତଉ ଥିବାରୁ ଅପରାଧୀଙ୍କ ଆଡା ଜମୁଛି ବୋଲି ବୁଦ୍ଧିଜୀବୀ ମାନେ କହୁଛନ୍ତି । ସଲା ସୁତରା ନ୍ଯାୟରେ ଅପରାଧୀ ମାନେ ସେମାନଙ୍କ ନେଟୱାର୍କ ବଢାଉଛନ୍ତି । ସହରରେ ଦିନକୁ ଦିନ ଛିନତାଇ, ଗାଡିଲୁଟ, ମୋବାଇଲ ଝାମ୍ପି ନେବା ଓ ଦୋକାନୀଙ୍କ ଠାରୁ ଦାଦା ବଟି ଆଦାୟ ଘଟଣା ବୃଦ୍ଧି ପାଉଛି । ଜନତାଙ୍କ ଧନଜୀବନ ରକ୍ଷା କରିବାରେ ପୋଲିସ ବିଫଳ ହେଉଛି ବୋଲି ଅଭିଯୋଗ ହେଉଛି । ଅପରାଧୀଙ୍କ ବିରୋଧରେ ଦଫା କୋହଳ ଲାଗିବା ଯୋଗୁ ଅପରାଧୀ କମ ଦିନରେ ଜେଲରୁ ଫେରି ପୁଣି କ୍ରାଇମ କ୍ରିଏଟ କରୁଥିବା ଘଟଣା ଦେଖିବାକୁ ମିଳୁଛି । ସବୁ ଥାନା ଅଞ୍ଚଳରେ ପିସିଆର ପାଟ୍ରୋଲିଂ କରିବା, ଚୋରି ଓ ଅପରାଧ ଘଟଣାରେ ଅଭିଯୁକ୍ତକୁ ତୁରନ୍ତ ଗିରଫ କରିବା ପାଇଁ ସାଧାରଣରେ ମତପ୍ରକାଶ ପାଇଛି ।
ହିନ୍ଦୁସ୍ଥାନ ସମାଚାର / ବିଜୟ