ଭୁବନେଶ୍ୱର, ୦୮ ଅଗଷ୍ଟ (ହି.ସ.) - ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ମନ୍ତ୍ରୀ ଡକ୍ଟର ମୁକେଶ ମହାଲିଙ୍ଗଙ୍କ ତ୍ୱରିତ୍ୱ ପଦକ୍ଷେପ ଏବଂ ନିର୍ଦ୍ଦେଶରେ ଜଣେ ଦିବ୍ୟାଙ୍ଗ ହିତାଧିକାରୀଙ୍କୁ ପ୍ରମାଣପତ୍ର ପ୍ରଦାନ କରାଯାଇଛି।
ସୂଚନାଯୋଗ୍ୟ ଯେ ବଲାଙ୍ଗିର ଜିଲ୍ଲାର କୁମୀଆପାଲି ଗାଁର ଭୋଜରାଜ ଚିନ୍ଦା ଦୃଷ୍ଟିବାଧିତ ଥିବା ସତ୍ୱେ ଦିବ୍ୟାଙ୍ଗ ପ୍ରମାଣପତ୍ର ନଥିଲା । ସେ ପ୍ରମାଣପତ୍ର ପାଇବାନେଇ ଅନେକଥର ଚେଷ୍ଟା କରିଥିବା ନେଇ ଗଣମାଧ୍ୟମ ସୂତ୍ରରୁ ଜଣା ପଡ଼ିବା ପରେ ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ମନ୍ତ୍ରୀ ଡକ୍ଟର ମୁକେଶ ମହାଲିଙ୍ଗ ତ୍ୱରିତ୍ୱ ପଦକ୍ଷେପ ଗ୍ରହଣ କରିଥିଲେ। ଡକ୍ଟର ମହାଲିଙ୍ଗ ସେହି ବ୍ୟକ୍ତିଙ୍କର ସଂପୂର୍ଣ୍ଣ ଯୋଗ୍ୟତା ଯାଞ୍ଚ କରି ତୁରନ୍ତ ଦିବ୍ୟାଙ୍ଗ ପ୍ରମାଣପତ୍ର ଯୋଗାଇ ଦେବାପାଇଁ ବଲାଙ୍ଗିର ର ମୁଖ୍ୟ ଜିଲ୍ଲା ସ୍ୱାସ୍ଥ୍ୟ ଅଧିକାରୀଙ୍କୁ ନିର୍ଦ୍ଦେଶ ଦେଇଥିଲେ ।
ମନ୍ତ୍ରୀ ଡକ୍ଟର ମୁକେଶ ମହାଲିଙ୍ଗଙ୍କ ନିର୍ଦ୍ଦେଶ ମିଳିବା ପରେ ଜିଲ୍ଲା ପ୍ରଶାସନ ପକ୍ଷରୁ ଆଜି ଭୋଜରାଜ ଚିନ୍ଦାଙ୍କୁ ଦିବ୍ୟାଙ୍ଗ ପ୍ରମାଣପତ୍ର ପ୍ରଦାନ କରାଯାଇଛି। ସେହିପରି କାମରେ ହେଳା କରିଥିବାରୁ ତଦନ୍ତ ପରେ ସମ୍ପୃକ୍ତ ଆଉଟସୋର୍ସିଙ୍ଗ କର୍ମଚାରୀକୁ ଚାକିରି ରୁ ବରଖାସ୍ତ କରା ଯାଇଛି । ମୁଖ୍ୟମନ୍ତ୍ରୀଙ୍କ ନିର୍ଦ୍ଦେଶରେ ରାଜ୍ୟ ସରକାର ଦିବ୍ୟାଙ୍ଗ କଲ୍ୟାଣ ପ୍ରତି ସମର୍ପିତ ରହିବା ସହ ସବୁ ବର୍ଗର ସାମଗ୍ରିକ ବିକାଶ ପାଇଁ କାର୍ଯ୍ୟ କରୁଛନ୍ତି ବୋଲି ମନ୍ତ୍ରୀ ଡକ୍ଟର ମୁକେଶ ମହାଲିଙ୍ଗ ପ୍ରକାଶ କରିଛନ୍ତି ।
---------------
ହିନ୍ଦୁସ୍ଥାନ ସମାଚାର / ବନ୍ଦନା