ସମ୍ବଲପୁର, ୦୯ ଅଗଷ୍ଟ (ହି.ସ.) - ଚାଷୀଙ୍କ ପାଇଁ ରାଜ୍ୟ ଠୁଁ ନେଇ କେନ୍ଦ୍ର ସରକାର ବହୁବିଧ ଯୋଜନା ପରେ ଯୋଜନା କରୁଥିବା ଡିଣ୍ଡିମ ପିଟା ଯାଉଛି । ହେଲେ ଚାଷ ଜମିର ପ୍ରକୃତ ଦୃଶ୍ୟ ଓ ଚାଷୀର ବାସ୍ତବ ସମସ୍ୟା ପ୍ରତି ପ୍ରଶାସନ ଦୃଷ୍ଟି ନଦେବା ସଂପ୍ରତି ସରକାରଙ୍କ ଚାଷୀମାରଣ ନୀତି ବୋଲି କୁହାଯାଉଛି । ସମ୍ବଲପୁର ଜିଲ୍ଲା ଜମନକିରା ତହସିଲ ଅଧୀନ ଖଇରଡିହି ମୌଜାର ଉପର ମୁଣ୍ଡରେ ଭାଦେଲବସା ନାଳ ପ୍ରବାହିତ ହେଉଛି। ଦୀର୍ଘ ବର୍ଷ ତଳେ ଭାଦେଲବସା ନାଳରେ କ୍ଷୁଦ୍ର ଜଳ ସେଚନ ବିଭାଗ ଏକ ଚେକ୍ ଡେମ୍ ନିର୍ମାଣ କରିବା ପରେ ଖଇରଡିହି ଗାଁ ସମେତ ଜମନକିରା ମୌଜାର ପ୍ରାୟ ୫ ଶହ ଏକର ଚାଷ ଜମିକୁ ଜଳସେଚନ ହେଉଥିଲା। ଖଇରଡିହିରୁ ଜମନକିରା ପର୍ଯ୍ୟନ୍ତ ଚେକ ଡେମରୁ ତଳ ମୁଣ୍ଡ ଚାଷ ଜମିକୁ ଶାଖା କେନାଲ ମାଧ୍ୟମରେ ଜଳସେଚିତ ହେଉଥିଲା। କ୍ଷୁଦ୍ରଜଳ ସେଚନ ବିଭାଗ (ଏମ୍ ଆଇ) ପ୍ରତିବର୍ଷ ମୁଖ୍ୟ କେନାଲ ସହ ଶାଖା କେନାଲ ଗୁଡିକର ମରାମତି ତଥା ଆବଶ୍ୟକ ରକ୍ଷଣାବେକ୍ଷଣ ନକରିବା ଫଳରେ କେନାଲ ଏବେ ତାର ମୂଳ ଅସ୍ତିତ୍ୱ ହରାଇବାକୁ ବସିଲାଣି। ବିଭାଗର ଖାମଖିଆଲି ନୀତି ପାଇଁ ମୁଖ୍ୟ କେନାଲ ଏବଂ ଶାଖା କେନାଲ୍ ଏବେ ଭାଙ୍ଗିରୁଜି ଯାଇଥିବାରୁ ଚାଷ ଜମିକୁ ଆଦୌ ପାଣି ମାଡ଼ି ପାରୁନାହିଁ। ବର୍ତମାନ ପରିସ୍ଥିତିରେ ଚାଷ କାର୍ଯ୍ୟ ହେଉଥିବା ଅଧିକାଂଶ ଜମିର ମାଟି ଫାଟି ଆଁ କଲାଣି। ଖଇରଡିହି- ଜମନକିରା ମୁଖ୍ୟ କେନାଲ ଭାଙ୍ଗି ଯାଇଥିବାରୁ ପ୍ରାୟ ୫ ଶହ ଏକର ଚାଷଜମି ଏବେ ଶୁଖିଲା ପଡ଼ିଛି। ଜଳସେଚନ ଅଭାବରୁ ଗତ ୩ ବର୍ଷ ଧରି ଏହି ଜମି ଗୁଡିକରେ ଚାଷ ହୋଇପାରୁ ନାହିଁ ବୋଲି ଚାଷୀନେତା ଅର୍ଜୁନ ମୋହନ ପ୍ରଧାନ କ୍ଷୋଭର ସହ କହିଛନ୍ତି । ଆଜକୁ ୩ ବର୍ଷ ହେବ କେନାଲ ମରାମତି ପାଇଁ ଜିଲ୍ଲାପାଳଙ୍କ ଜନ ଶୁଣାଣୀ ରେ ଚାଷୀବୃନ୍ଦ ଅଭିଯୋଗ କରି ଆସୁଥିଲେ ହେଁ କୌଣସି ସୁଫଳ ମିଳୁନାହିଁ। କୁଚିଣ୍ଡା ବିଧାୟକ ତଥା ପଂଚାୟତିରାଜ ତଥା ପାନୀୟ ଜଳ ଯୋଗାଣ ମନ୍ତ୍ରୀ ରବିନାରାୟଣ ନାଏକଙ୍କୁ ମଧ୍ୟ ଚାଷ ଜମିକୁ ଜଳ ସେଚନର ବ୍ୟବସ୍ଥା ଯୋଗାଇ ଦେବାପାଇଁ ଚାଷୀମାନେ ଦାବି କରିଥିଲେ ମଧ୍ୟ ଅଦ୍ୟାବଧି କୌଣସି ସୁଫଳ ମିଳିପାରିନାହିଁ। ଜିଲ୍ଲା ପ୍ରଶାସନ ଠାରୁ ଆରମ୍ଭ କରି ମନ୍ତ୍ରୀଙ୍କ ପର୍ଯ୍ୟନ୍ତ ଗୁହାରି କରି ବିଫଳ ରହିବା ପରେ ଜିଲ୍ଲାପାଳଙ୍କ ଜନ ଶୁଣାଣୀରେ ଅଭିଯୋଗ ଉଠାଇ ଲୋକେ କିଛି ସୁଫଳର ଆଶା ରଖିଥିଲେ, ମାତ୍ର ଏଥିରେ ବି ହତାଶ ହେବାକୁ ପଡିଥିଲା । ଜଳସଙ୍କଟରୁ ଚାଷଜମିକୁ ବଂଚାଇବା ପାଇଁ ଏହାର ବିକଳ୍ପ ବ୍ୟବସ୍ଥା ନିଜେ ନ କଲେ ଏ ବର୍ଷ ମଧ୍ୟ ଚାଷକାର୍ଯ୍ୟ ପ୍ରଭାବିତ ହେବ । ଏଭଳି ଆଶଙ୍କାକୁ ପ୍ରତିହତ ପାଇଁ ଶେଷରେ କେନାଲ ମରାମତି ପାଇଁ ସମସ୍ତ ଚାଷୀ ବାଧ୍ୟ ହୋଇଛନ୍ତି । ଚାଷୀ ନେତା ସୁନୀଲ ପ୍ରଧାନଙ୍କ ନେତୃତ୍ୱରେ ନିରାକାର ମହାକୁଲ, ମହାଦେବ ରଣା, ଭାସ୍କର ରଣା, ଶ୍ୟାମସୁନ୍ଦର ସାହୁ, ଗୋବିନ୍ଦ ପ୍ରଧାନ, ସରୋଜ ସାହୁ, ରଞ୍ଜିତ ଦେହୁରୀ, ଅଜିତ୍ ପଧାନ, ଗଣେଶ ରଣା, ସନ୍ତୋଷ ମହାକୁଲ୍ ଓ ଗୁଣନିଧି ସାହୁ ପ୍ରମୁଖ ଆଜି ଶାଖା କେନାଲକୁ ମରାମତି କରିଛନ୍ତି। ପ୍ରତି ବର୍ଷ ଜଳକର ନ ଦେଲେ ବିଭିନ୍ନ ରାଜସ୍ୱ ମାମଲାକୁ ଅଧିକାରୀ ଖାରଜ କରୁଥିବା ବେଳେ ଏପଟେ ଜଳକର ଦେବା ପରେ ବି ଠିକ୍ ସମୟରେ ଜମିକୁ ଜଳସେଚନ ପାଣି ନମିଳିବା ତୀବ୍ର ଅସନ୍ତୋଷର କାରଣ ପାଲଟିଛି । ଏ ସମ୍ପର୍କରେ କୁଚିଣ୍ଡା କ୍ଷୁଦ୍ର ଜଳସେଚନ ବିଭାଗ କାର୍ଯ୍ୟାଳୟରେ ପଚାରିବାରେ ସହକାରୀ ନିର୍ବାହୀ ଯନ୍ତ୍ରୀ ସୌଦାମିନୀ କିସାନ ମାସକୁ ପ୍ରାୟ ୫/୬ ଦିନ ଅଫିସ୍ କୁ ଆସିଥାନ୍ତି ତେଣୁ ଆମେ ଅସହାୟ ବୋଲି ନିଜ ନାମକୁ ଗୁପ୍ତ ରଖି କିଛି କର୍ମଚାରୀ ମତବ୍ୟକ୍ତ କରିଛନ୍ତି । ଏପରିକି ସମ୍ବଲପୁର ଏବଂ କୁଚିଣ୍ଡା ଅଫିସ୍ ଦୁଇ ଦୁଇଟି ଦାୟିତ୍ୱରେ ଥିବାରୁ ମେଡମଙ୍କୁ ଏଠାରେ ଭେଟିବା ଆଶା କ୍ଷୀଣ ବୋଲି ସୂଚନା ଦେଇଥିଲେ । ଆଜିକାଲିର ପରିସ୍ଥିତି ଅନୁଯାୟୀ ଅଜଣା ନମ୍ୱରରୁ ଆସୁଥିବା କଲ୍ ରିସିଭ୍ କରିବାରେ ସାଧାରଣ ମହିଳାମାନେ ଆନ୍ତରିକତା ରଖୁନଥିବା ବେଳେ, ଦୁଇ ଦୁଇଟି କାର୍ଯ୍ୟାଳୟର ଦାୟିତ୍ୱ ନେଇଥିବା ମହିଳା ଯନ୍ତ୍ରୀ ଜଣଙ୍କ ଚାଷୀଙ୍କ ସମସ୍ୟା ଶୁଣିବା ପାଇଁ ଫୋନ୍ ରିସିଭ୍ ନକରିବା ସଂପ୍ରତି ପ୍ରଶାସନିକ ବିଧି ବ୍ୟବସ୍ଥା ପ୍ରତି ପ୍ରଶ୍ନବାଚୀ ସୃଷ୍ଟି କରିଛି ।
ହିନ୍ଦୁସ୍ଥାନ ସମାଚାର / ଶୈଳେଶ