ଭୁବନ, ୯ ଅଗଷ୍ଟ (ହି.ସ.)- ଭୁବନ ରେ ସର୍ବାଧିକ ତଥା ଜନ ବହୁଳ ଜାତି / ସମ୍ପ୍ରଦାୟ କାପୁଡ଼ିଆ ସମାଜ ତରଫରୁ ବିପୁଳ ଉତ୍ସାହ ଉଦ୍ଦୀପନା ଓ ଶ୍ରଦ୍ଧା ଭକ୍ତି ର ସହ ବଳଦେବ ଜୀୟୁ ଙ୍କ ଜନ୍ମୋତ୍ସବ ଓ ରକ୍ଷା ବନ୍ଧନ ଉତ୍ସବ ଅନୁଷ୍ଠିତ ହୋଇଯାଇଛି। ପୂର୍ବାହ୍ନରେ ବେହେରା ସାହି ସ୍ଥିତ ମନ୍ଦିରରେ ପ୍ରଭୁ ବଳଦେବ ଜୀୟୁ ଙ୍କ ପୂଜାର୍ଚ୍ଚନା କରାଯାଇ ଗୋ ପୂଜନ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା । ପୂର୍ବତନ ତଥା ବରିଷ୍ଠ କର୍ମକର୍ତ୍ତା ଓ ଯୁବକ ମାନଙ୍କୁ ଉତ୍ତରୀୟ ପ୍ରଦାନ କରାଯାଇଥିଲା । ଅପରାହ୍ନ ୨ ଘଟିକା ସମୟରେ ପ୍ରଭୁ ବଳଦେବଜୀୟୁ ଓ ରାଧା କୃଷ୍ଣଙ୍କୁ ଏକ ସୁସଜ୍ଜିତ ବିଭାନ ରେ ବସାଇ ବାଜା, ପାରମ୍ପରିକ ବାଦ୍ୟ, ଶିଙ୍ଗ ବାଜା,ଭାଙ୍ଗଡା ବାଜା,ସଙ୍କୀର୍ତ୍ତନ ମଣ୍ଡଳୀଙ୍କ ଗହଣରେ ସହର ପରିକ୍ରମା କରାଯାଇଥିଲା । କାପୁଡ଼ିଆ ସମାଜ ଭୁବନ, ସଭାପତି ରାମ ଚନ୍ଦ୍ର ରାଉତଙ୍କ ନେତୃତ୍ୱ, ରାଜ୍ୟ ସଂଗଠନ ସମ୍ପାଦକ ଦିଲୀପ କୁମାର ଦାସଙ୍କ ତତ୍ତ୍ୱାବଧାନ ଓ ୨୦ ଜଣ ବେହେରା, ୨୦ ଜଣ ପରିମାଣିକ ଏବଂ କାପୁଡିଆ ଯୁବକ ସଂଘ କର୍ମକର୍ତ୍ତା ମାନେ ଯାତ୍ରାର ନେତୃତ୍ୱ ନେଇଥିଲେ। ପ୍ରାୟ ୩ ହଜାରରୁ ଉର୍ଦ୍ଧ୍ବ କାପୁଡିଆ ସମାଜ ବ୍ୟକ୍ତି ଯାତ୍ରାରେ ସାମିଲ ହୋଇ ଅନ୍ୟ ଜାତି/ସମ୍ପ୍ରଦାୟ ବ୍ୟକ୍ତିଙ୍କ ହାତରେ ରାକ୍ଷୀ ବାନ୍ଧି ଭାଇଚାରା ସୃଷ୍ଟି କରିଥିଲେ ।
ହିନ୍ଦୁସ୍ଥାନ ସମାଚାର / ପ୍ରଦୀପ୍ତ