କେନ୍ଦୁଝର, ୯ ଅଗଷ୍ଟ (ହି.ସ.) - ସରସ୍ୱତୀ ଶିଶୁ ବିଦ୍ୟା ମନ୍ଦିର ସ୍ୱର୍ଣ୍ଣକ୍ଷେତ୍ର ଗଦଗଦି ରେ ରକ୍ଷା ବନ୍ଧନ ଉତ୍ସବ ପାଳିତ ହୋଇଯାଇଛି। ଉକ୍ତ ଉତ୍ସବରେ ଅବସରପ୍ରାପ୍ତ ପ୍ରଧାନ ଶିକ୍ଷକ ଅନନ୍ତ ଚରଣ ମହାନ୍ତ ମୁଖ୍ୟ ଅତିଥି ଭାବରେ ଯୋଗଦେଇ ଶିଶୁ ଭାଇ ଭଉଣୀଙ୍କୁ ଉକ୍ତ ଦିବସର ମହତ୍ୱ ସମ୍ବନ୍ଧରେ ମାର୍ଗ ଦର୍ଶନ କରିଥିଲେ। ସଭାରେ ସଭାପତିତ୍ୱ କରିଥିଲେ ବିଦ୍ୟାଳୟର ଉପ ସଭାପତି ପଦନ ନାଏକ ଏବଂ ପରିଚୟ ପ୍ରଦାନ କରିଥିଲେ ସହ ପ୍ରଧାନ ଆଚାର୍ଯ୍ୟ ଦଶରଥ ମହାନ୍ତ। ଗୁରୁମା ମନିଷା ସାହୁ ରକ୍ଷା ବନ୍ଧନର ପୈାରାଣିକ ଓ ଐତିହାସିକ କିମ୍ବଦନ୍ତୀ କହି ଶିଶୁ ମାନଙ୍କୁ ମାର୍ଗ ଦର୍ଶନ କରିଥିଲେ। ଶିଶୁ ଭାଇ ଭଉଣୀ ପରସ୍ପର ମଧ୍ୟରେ ରକ୍ଷା ସୂତ୍ର ବନ୍ଧନ କରିଥିଲେ। ଗୁରୁଜୀ ସନାତନ ମହାନ୍ତ ଧନ୍ୟବାଦ ଅର୍ପଣ କରିଥିଲେ। ପ୍ରଧାନ ଆଚାର୍ଯ୍ୟ ପୁରୁଜିତ୍ ମୁନିଙ୍କ ଯୋଜନାରେ ଆଚାର୍ଯ୍ୟ ଓ ଆଚାର୍ଯ୍ୟାଙ୍କ ନେତୃତ୍ୱରେ ଶିଶୁ ଭାଇ ଭଉଣୀ ୧୨ଟି ଗ୍ରାମକୁ ଯାଇ ସେହି ଗ୍ରାମର ପ୍ରତ୍ୟେକ ପରିବାରରେ ରାକ୍ଷୀ ବାନ୍ଧିବା ସହ ଆମ ଦେଶ ସମାଜକୁ ରକ୍ଷା କରିବାକୁ ଆହ୍ୱାନ ଦେଇଥିଲେ। ଶିଶୁମାନେ ଡାକ୍ତରଖାନା, ବ୍ୟାଙ୍କ କର୍ମଚାରୀ ଆଦିଙ୍କୁ ରାକ୍ଷୀ ବାନ୍ଧିବା ସହିତ ଗୋମାତାଙ୍କୁ ଏବଂ ବୃକ୍ଷ ଦେବତାଙ୍କୁ ରାକ୍ଷୀ ବାନ୍ଧି ଜନ ସାଧାରଣଙ୍କୁ ପର୍ଯ୍ୟାବରଣ ଓ ଗୋ ବଂଶର ସୁରକ୍ଷା ବିଷୟରେ ଲୋକମାନଙ୍କୁ ସଚେତନ କରିଥିଲେ। ଅବହେଳିତ ବସ୍ତିରେ ସରସ୍ୱତୀ ଶିଶୁ ବିଦ୍ୟା ମନ୍ଦିର ସ୍ୱର୍ଣ୍ଣକ୍ଷେତ୍ର ଗଦଗଦି ଦ୍ୱାରା ଚାଲିଥିବା ସଂସ୍କାର କେନ୍ଦ୍ରରେ ରାକ୍ଷୀ ବାନ୍ଧିବା ସହ ଉକ୍ତ ବସ୍ତିର ଲୋକମାନଙ୍କୁ ରାକ୍ଷୀ ବାନ୍ଧି ସାମାଜିକ ସମରସତାର ଭାବ ନିର୍ମାଣ କରିଥିଲେ। ସମସ୍ତ ଆଚାର୍ଯ୍ୟ ଓ ଆଚାର୍ଯ୍ୟା ଓ ଅନ୍ୟାନ୍ୟ ସେବାରତୀଙ୍କ ସହଯୋଗରେ କାର୍ଯ୍ୟକ୍ରମ ସଫଳ ହୋଇଥିଲା।
ହିନ୍ଦୁସ୍ଥାନ ସମାଚାର / SANTOSH KUMAR MOHAPATRA