କେନ୍ଦ୍ରାପଡ଼ା, ୯ ଅଗଷ୍ଟ (ହି.ସ.)- ପବିତ୍ର ରାଖୀ ପୁର୍ଣିମା ଅବସରରେ ସୁଭଦ୍ରା ଯୋଜନାର ତୃତୀୟ କିସ୍ତି ସହାୟତା ପ୍ରଦାନ ଅବସରରେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ କହିଛନ୍ତି ଯେ, ସୁଭଦ୍ରା ଯୋଜନା ମାଧ୍ୟମରେ ମହିଳାମାନଙ୍କ ଆର୍ଥିକ ଉନ୍ନତି ସହିତ ବିକାଶ ପ୍ରକ୍ରିୟାରେ ସେମାନଙ୍କ ଭାଗିଦାରୀ ବୃଦ୍ଧି ଉପରେ ବର୍ତ୍ତମାନ ସରକାର ଗୁରୁତ୍ୱ ଦେଉଛି | ଏହା ସହିତ ଅର୍ଥ ଅଭାବରୁ ଯେଉଁ ମା ମାନେ ନିଜ ସ୍ବପ୍ନକୁ ଛାଡିବାକୁ ବାଧ୍ୟ ହେଉଛନ୍ତି,ସେମାନଙ୍କ ପାଇଁ ଆଶାର କିରଣ ସାଜିଛି ସୁଭଦ୍ରା | ସେହି ସମସ୍ତ ମହିଳାଙ୍କୁ ସଶକ୍ତ କରି ଆତ୍ମନିର୍ଭର କରିବା ଆମ ସରକାରର ଲକ୍ଷ୍ୟ | କୋରାପୁଟ ଜିଲ୍ଲାର ଜୟପୁର ଠାରେ ଆୟୋଜିତ ରାଜ୍ୟସ୍ତରୀୟ କାର୍ଯ୍ୟକ୍ରମରେ ସୁଭଦ୍ରାର ତୃତୀୟ କିସ୍ତିରେ ୧ କୋଟି ହିତାଧିକାରୀଙ୍କ ବ୍ୟାଙ୍କଖାତାକୁ ୫ ହଜାର ଟଙ୍କା ପ୍ରଦାନ କରିଛନ୍ତି | ଏହି ଅବସରରେ ଜିଲ୍ଲା ସଂସ୍କୃତି ଭଵନଠାରେ ସ୍ଵତନ୍ତ୍ର କାର୍ଯ୍ୟକ୍ରମ ଆୟୋଜିତ ହୋଇଥିଲା | ଏହି କାର୍ଯ୍ୟକ୍ରମରେ ଜିଲ୍ଲାପାଳ ରଘୁରାମ ଆର ଆୟାର, ଅତିରିକ୍ତ ଜିଲ୍ଲାପାଳ ନବକ୍ରିଷ୍ଣ ଜେନା, ଜିଲ୍ଲା ସମାଜ ମଙ୍ଗଳ ଅଧିକାରୀ ସୁଷମା ମହାନ୍ତି, ଡିପିସି ମିଶନଶକ୍ତି ଆରତୀ ସାହୁ ସମେତ ଅନ୍ୟ ଜିଲ୍ଲା ସ୍ତରୀୟ ଅଧିକାରୀ ପ୍ରମୁଖ ଉପସ୍ଥିତ ଥିଲେ | କାର୍ଯ୍ୟକ୍ରମରେ ମମତା ଏବଂ ପିଏମଏମୱାଭି ର ସଂଯୋଜକ ମନୋରଞ୍ଜନ ଦାସ ସହାୟତା କରିଥିଲେ | କାର୍ଯ୍ୟକ୍ରମ ଅବସରରେ ମହିଳା ମା ମାନେ ଜିଲ୍ଲାପାଳ ଏବଂ ଅତିରିକ୍ତ ଜିଲ୍ଲାପାଳଙ୍କୁ ରାଖୀ ବାନ୍ଧି ଥିଲେ | ପରେ ସୁଭଦ୍ରା କାର୍ଯ୍ୟକ୍ରମ ପାଇଁ ପୂର୍ବରୁ ଆୟୋଜିତ ବିଭିନ୍ନ ପ୍ରତିଯୋଗିତାର କୃତୀ ଛାତ୍ର ଛାତ୍ରୀଙ୍କୁ ଜିଲ୍ଲାପାଳ ପୁରସ୍କୃତ କରିଥିଲେ |
ହିନ୍ଦୁସ୍ଥାନ ସମାଚାର / ପ୍ରଦୀପ୍ତ