ପୁରୀ, ୯ ଅଗଷ୍ଟ (ହି.ସ.)- ଶ୍ରାବଣ ପୂର୍ଣ୍ଣିମାରେ ପବିତ୍ର ରକ୍ଷାବନ୍ଧନ ଉତ୍ସବ ଶ୍ରୀମନ୍ଦିର ସମେତ ଶ୍ରୀକ୍ଷେତ୍ରରେ ପାଳିତ ହୋଇଯାଇଛି । ମହାପ୍ରଭୁଙ୍କ ମାନବୀୟଲୀଳା ମଧ୍ଯରେ ରକ୍ଷା ବନ୍ଧନ ଏକ ନିଆରା ପର୍ବ । ଶ୍ରୀମନ୍ଦିର ରୀତିନୀତି ଅନୁଯାଇ ବଡଠାକୁର ଶ୍ରୀବଳଭଦ୍ର ଓ ମହାପ୍ରଭୁ ଶ୍ରୀଜଗନ୍ନାଥଙ୍କୁ ଭଉଣୀ ଦେବୀ ସୁଭଦ୍ରା ରାଖୀ ବାନ୍ଧିଛନ୍ତି । ପୂର୍ବରୁ ପାଟରା ବିଶୋଇ ସେବକ ମାନେ ରାଖୀ ପ୍ରସ୍ତୁତ କରି ପୂର୍ଣ୍ଣିମାରେ ଶ୍ରୀମନ୍ଦିର ଗାରଦକୁ ଦେଇଛନ୍ତି । ନାଲି, ନେଳି, ହଳଦିଆ ଓ ବାଇଗଣୀ ରଙ୍ଗର ରାକ୍ଷୀ ପିନ୍ଧିଛନ୍ତି ଚତୁର୍ଦ୍ଧାମୂର୍ତ୍ତି । ଶନିବାର ପବିତ୍ର ଗହ୍ମା ପୁନେଁଇରେ ମହାପ୍ରଭୁ ଶ୍ରୀଜଗନ୍ନାଥ ଓ ପ୍ରଭୁ ବଳଭଦ୍ରଙ୍କୁ ରାକ୍ଷୀ ପିନ୍ଧାଇଛନ୍ତି ଭଉଣୀ ଦେବୀ ମା ସୁଭଦ୍ରା। ଦୁଇ ଭାଇ ପ୍ରଭୁ ଶ୍ରୀଜଗନ୍ନାଥ ଓ ଶ୍ରୀବଳଭଦ୍ରଙ୍କ ହାତରେ ରାକ୍ଷୀ ବାନ୍ଧି ନିଜ ସୁରକ୍ଷା ଲୋଡିଛନ୍ତି ଦେବୀ ମା ସୁଭଦ୍ରା । ଭାଇ ଭଉଣୀଙ୍କ ଥିବା ଏହି ସମ୍ପର୍କ ଡୋରିର ନିଦର୍ଶନକୁ ଗହ୍ମା ପୁନେଁଇରେ ଦର୍ଶନ କରି ନିଜକୁ ଧନ୍ୟ ମଣିଛନ୍ତି ଭକ୍ତ। ଚିତାଲାଗି ଅମାବାସ୍ୟା ଠାରୁ ମହାପ୍ରଭୁଙ୍କ ପାଇଁ ପାଟରା ବିଶୋଇ ସେବକ ରାକ୍ଷୀ ପ୍ରସ୍ତୁତି କରି ନିଜକୁ ଧନ୍ଯ ମନେ କରିଛନ୍ତି ।
ବିଧି ମୁତାବକ, ମହାପ୍ରଭୁ ଶ୍ରୀଜଗନ୍ନାଥ ଦୁଇଟି ଓ ଶ୍ରୀ ବଳଭଦ୍ର ଦୁଇଟି ଲେଖାଏଁ ରାକ୍ଷୀ ପରିଧାନ କରିଛନ୍ତି । ଏଥିସହ ହାତରେ ଦୁଇଟି ଲେଖାଏଁ ଗୁଆ ମାଳ ପରିଧାନ କରି ରାକ୍ଷୀ ପୂର୍ଣ୍ଣିମାରେ ଭକ୍ତଙ୍କୁ ଦର୍ଶନ ଦେଉଛନ୍ତି ଦାରୁବ୍ରହ୍ମ । ଗହ୍ମା ପୂର୍ଣ୍ଣିମାରେ ଶ୍ରୀମନ୍ଦିରରେ ପ୍ରଭୁ ବଳଭଦ୍ରଙ୍କ ଜନ୍ମଦିନ ମଧ୍ୟ ପାଳନ ହୋଇଛି । ଶ୍ରୀମନ୍ଦିରରେ ହଜାର ହଜାର ଭକ୍ତ ଓ ଶ୍ରଦ୍ଧାଳୁ ମାନେ ମହାପ୍ରଭୁଙ୍କ ରକ୍ଷାବନ୍ଧନ ଓ ଶ୍ରୀବଳଭଦ୍ରଙ୍କ ଜନ୍ମଦିନ ନୀତିକାନ୍ତି ଦର୍ଶନ କରି କୃତାର୍ଥ ହୋଇଛନ୍ତି ।
ହିନ୍ଦୁସ୍ଥାନ ସମାଚାର / ବିଜୟ