ଭୁବନେଶ୍ୱର, ୦୯ ଅଗଷ୍ଟ(ହି.ସ)- ଓଡ଼ିଶା ରାଜ୍ୟ ଅଭିଲେଖାଗାରରେ ଅଗଷ୍ଟକ୍ରାନ୍ତି ଦିବସ ପାଳିତ ହୋଇଯାଇଛି । ଏହି ଦିବସ ପାଳନ ଅବସରରେ ଓଡିଶାରେ ଅଗଷ୍ଟ ବିପ୍ଲବ ସମ୍ବନ୍ଧୀୟ ଏକ ଅଭିଲେଖ ପ୍ରଦର୍ଶନୀ ପ୍ରଦର୍ଶିତ ହୋଇଅଛି ଯାହା ଏକ ସପ୍ତାହ ନିମନ୍ତେ ଜନସାଧାରଣ ତଥା ଗବେଷକମାନଙ୍କ ନିମନ୍ତେ ଉନ୍ମୁକ୍ତ ରହିବ । ଏଥିସହ ଆଜିର ପବିତ୍ର ବଳଭଦ୍ରଙ୍କ ଜନ୍ମ ରକ୍ଷାବନ୍ଧନ ପର୍ବ ଅବସରରେ ଓଡିଶା ରାଜ୍ୟ ଅଭିଲେଖାଗାର ତଥା ଓଡିଆ ଭାଷା, ସାହିତ୍ୟ ଓ ସଂସ୍କୃତି ବିଭାଗ ଆନୁକୁଲ୍ୟରେ ଉତ୍କଳ ଦୀପିକାରେ ଶ୍ରୀଜଗନ୍ନାଥ ଓ ଶ୍ରୀମନ୍ଦିର ପ୍ରସଙ୍ଗ ପୁସ୍ତକର ଉନ୍ମୋଚନ କରାଯାଇ ଅଛି ।
ପ୍ରତିବର୍ଷ ପରି ଅଗଷ୍ଟ ୯ ତାରିଖରେ ବିଶିଷ୍ଟ ସ୍ୱାଧୀନତା ସଂଗ୍ରାମୀଙ୍କ ଅବଦାନର ସ୍ମୃତି ଚାରଣ ନିମନ୍ତେ ଏକ ସେମିନାରର ଆୟୋଜନ କରାଯାଇ ଥାଏ । ଚଳିତ ବର୍ଷର ବିଷୟ ଓଡିଶାରେ ଅଗଷ୍ଟ କ୍ରାନ୍ତିର କେତୋଟି ଦିଗ ଉପରେ ଡ. ଅଭୟ କୁମାର ବେହେରା, ଅବସର ପ୍ରାପ୍ତ ପ୍ରାଧ୍ୟାପକ, ରେଭେନ୍ସା ବିଶ୍ୱବିଦ୍ୟାଳୟ ନିଜର ବକ୍ତବ୍ୟ ଉପସ୍ଥାପନ କରିଥିଲେ । ଏହି ଅବସରରେ ଉନ୍ମୋଚିତ ପୁସ୍ତକଟିର ସମ୍ପାଦକ ମଣ୍ଡଳୀର ସଦସ୍ୟ ଶ୍ରୀ ମହୀମୋହ ତ୍ରିପାଠୀ ଏବଂ ଡ. ପିତାବାସ ରାଉତରାଏଙ୍କୁ ସମ୍ମାନିତ କରାଯାଇଥିଲା ଏବଂ ଅନ୍ୟତମ ସମ୍ପାଦକ ସ୍ୱର୍ଗତ ପଦ୍ମଶ୍ରୀ ରଜତ କରଙ୍କ ଆତ୍ମାର ସଦଗତି ନିମନ୍ତେ ନିରବ ପ୍ରାର୍ଥନା କରାଯାଇ ଥିଲା । ସମ୍ମାନନୀୟ ଅତିଥି ଭାବରେ ଯୋଗ ଦାନ କରିଥିଲେ ବିଭାଗୀୟ ସ୍ୱତନ୍ତ୍ର ଶାସନ ସଚିବ ଦେବ ପ୍ରସାଦ ଦାଶ । ସମ୍ପାନରେ ସ୍ୱାଗତ ଭାଷଣ ଦେଇଥିଲେ ଓଡ଼ିଶା ରାଜ୍ୟ ଅଭିଲେଖାଗାରର ଅଧୀକ୍ଷକ ଡ. ଶେଖ୍ ସୋଲେମାନ ଅଲ୍ଲୀ ।
ମୁଖ୍ୟ ବକ୍ତା ଭାବେ ଯୋଗ ଦେଇ ରେଭେନ୍ସା ମହାବିଦ୍ୟାଳୟର ଅବସର ପ୍ରାପ୍ତ ପ୍ରାଧ୍ୟାପକ ଅଭୟ କୁମାର ବେହେରା ଓଡ଼ିଶାରେ ଅଗଷ୍ଟ କ୍ରାନ୍ତିର କେତୋଟି ଦିଗ ବିଷୟରେ ଆଲୋକ ପାତ କରିଥିଲେ । ସେ କହିଥିଲେ ଯେ ଭାରତର ସ୍ୱାଧୀନତା ସଂଗ୍ରାମର ଶେଷ ପର୍ବ ହିଁ ଅଗଷ୍ଟ କ୍ରାନ୍ତି । ବିହାରର ଚମ୍ପାରନ ଠାରେ ୧୯୧୭ ମସିହାରେ ଆରମ୍ଭ ହୋଇଥିବା ସଂଗ୍ରାମ ୧୯୪୨ ମସିହାରେ ବମ୍ବେର ଗୋୱାଲିଆ ଟ୍ୟାଙ୍କ ମୈଦାନରେ ଅଗଷ୍ଟ କ୍ରାନ୍ତି ଭାବରେ ଶେଷ ଯୁଦ୍ଧର ସୂତ୍ରପାତ ହୋଇଥିଲା । ମହାତ୍ମା ଗାନ୍ଧୀଙ୍କ ନେତୃତ୍ୱରେ ଆରମ୍ଭ ହୋଇଥିବା ଦୀର୍ଘ ୨୫ ବର୍ଷର ସଂଗ୍ରାମ ବିଭିନ୍ନ ପର୍ଯ୍ୟାୟ ଦେଇ ଗତି କରିଛି । କେବେ ସଂଗ୍ରାମୀମାନେହାରିଛନ୍ତି; କେତେଥର ବିବଶ ହୋଇଛନ୍ତିି; କିନ୍ତୁ ବିଜୟର ଆଶା ଓ ବିଶ୍ୱାସ ନେତୃତ୍ୱରେ ବିଶ୍ୱାସ ହରାଇ ନ ଥିବା ସଂଗ୍ରାମୀମାନେ ଭାରତବର୍ଷକୁ ବିଜୟ ମୁକୁଟ ପିନ୍ଧାଇଛନ୍ତି । ସ୍ୱରାଜ ନିମନ୍ତେ ବନ୍ଧୁକର ଗୁଳି ଆଗରେ ଛାତିଭିଡ଼ି ଠିଆ ହୋଇଥିବା ସଂଗ୍ରାମୀମାନେ ଚିର ବନ୍ଦନୀୟ । ଏବେ ସମୟ ଆସିଛି, ଅଗଷ୍ଟ କ୍ରାନ୍ତି ରୂପକ ମହାସ୍ରୋତର ମଙ୍ଗୁଆଳଙ୍କ ସମ୍ପର୍କରେ ଆଲେଖ୍ୟ ପ୍ରସ୍ତୁତ ନକରି ମହାସ୍ରୋତକୁ ପ୍ରବାହମାନ କରିଥିବା ସାମାନ୍ୟ ଜଳଧାର ଉପରେ ଧାଡ଼ିଟିଏ ଲେଖିଲେ ସେମାନଙ୍କ ପ୍ରତି ଆମେ ଯଥା ମାନ୍ୟ ପ୍ରଦର୍ଶନ କରିପାରିବା ।
ସମ୍ମାନନୀୟ ଅତିଥି ବିଭାଗୀୟ ସ୍ୱତନ୍ତ୍ର ଶାସନ ସଚିବ ଦେବ ପ୍ରସାଦ ଦାଶ ଓଡ଼ିଶା ଏବଂ ଭାରତ ଛାଡ଼ ଆନ୍ଦୋଳନ କିପରି ଦେଶ ସ୍ୱାଧୀନ ହେବାରେ ପ୍ରମୁଖ ଭୂମିକା ନିର୍ବାହ କରିଥିଲା ସେ ବିଷୟରେ ପ୍ରତିପାଦନ କରିଥିଲେ । ମହୀ ମୋହନ ତ୍ରିପାଠୀ ଏବଂ ଡ.ପୀତବାସ ରାଉତରାୟ- ଉତ୍କଳୀୟ ସଂସ୍କୃତି ଏବଂ ଶ୍ରୀଜଗନ୍ନାଥ ଓ ଶ୍ରୀମନ୍ଦିର ପ୍ରସଙ୍ଗରେ ଉତ୍କଳ ଦୀପିକାର ଭୂମିକା ଏବଂ ଉନ୍ମୋଚିତ ପୁସ୍ତକର ଗୁରୁତ୍ୱ ବିଷୟରେ କହିଥିଲେ ।
---------------
ହିନ୍ଦୁସ୍ଥାନ ସମାଚାର / ବନ୍ଦନା