- ବାଦ ପଡିଥିବା ହିତାଧିକାରୀଙ୍କ କ୍ଷେତ୍ର ଅନୁଧ୍ୟାନ କରାଯିବ
ଭୁବନେଶ୍ୱର,୧୦ ସେପ୍ଟେମ୍ବର (ହି.ସ.)- ମହିଳା ଓ ଶିଶୁ ବିକାଶ ସମ୍ମିଳନୀ କକ୍ଷରେ ଉପମୁଖ୍ୟମନ୍ତ୍ରୀ ଶ୍ରୀମତୀ ପ୍ରଭାତୀ ପରିଡାଙ୍କ ଅଧ୍ୟକ୍ଷତାରେ ସୁଭଦ୍ରାରୁ ବଂଚିତ ହୋଇଥିବା ହିତାଧିକାରୀମାନଙ୍କ କାରଣ ବିଷୟରେ ଏକ ସମୀକ୍ଷା ବୈଠକ ବୁଧବାର ଅନୁଷ୍ଠିତ ହୋଇଯାଇଛି ।
ମୃତ୍ୟୁ କାରଣରୁ ବଂଚିତ ହୋଇଥିବା ୧୫, ୯୮୪ ଜଣ ହିତାଧିକାରୀଙ୍କ ତାଲିକାକୁ ଯାଂଚ କରିବା ପାଇଁ ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗକୁ ଦିଆଯାଇଛି । ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗର ଯାଂଚ ରିପୋର୍ଟ ଆଧାରରେ ମୃତ ହିତାଧିକାରୀ ସୁଭଦ୍ରାରୁ ବାଦ ପଡ଼ିବେ ବୋଲି ବୈଠକରେ ମତ ପ୍ରକାଶ ହୋଇଛି । ସେହିପରି ଭାବେ ଚାରିଚକିଆ ଯାନ ଥିବା ହିତାଧିକାରୀଙ୍କ ତାଲିକାକୁ ବାଣିଜ୍ୟ ଓ ପରିବହନ ବିଭାଗକୁ ଯାଂଚ ପାଇଁ ପ୍ରଦାନ କରାଯାଇଛି। ଜମି ବାବଦୀୟ ହିତାଧିକାରୀଙ୍କ ତାଲିକାକୁ କ୍ଷେତ୍ର ଅନୁଧ୍ୟାନ କରାଯିବ ବୋଲି ବୈଠକରେ ମତ ପ୍ରକାଶ ପାଇଛି । ବୟସାଧିକ ହିତାଧିକାରୀଙ୍କ ଆଧାରକୁ ପୁନର୍ବାର ଯାଂଚ କରିବା ପରେ ବାଦ ପଡ଼ିଥିବା ଯୋଗ୍ୟ ମହିଳାଙ୍କୁ ସୁଭଦ୍ରାରେ ସାମିଲ କରାଯିବ । ଏହି ବୈଠକରେ ସୁଭଦ୍ରା ଅଭିଯୋଗ ସମାଧାନ ମଡ୍ୟୁଲ କୁ ଯଥାଶୀଘ୍ର କାର୍ଯ୍ୟକାରୀ କରିବା ପାଇଁ ଉପମୁଖ୍ୟମନ୍ତ୍ରୀ ଶ୍ରୀମତୀ ପରିଡା ନିର୍ଦ୍ଦେଶ ଦେଇଛନ୍ତି ।
ଏହି ବୈଠକରେ ମହିଳା ଓ ଶିଶୁ ବିକାଶ ବିଭାଗର ପ୍ରମୁଖ ଶାସନ ସଚିବ ଶ୍ରୀମତୀ ଶୁଭା ଶର୍ମା, ବିଭାଗୀୟ ନିର୍ଦ୍ଦେଶିକା ମୋନିଷା ବାନାର୍ଜୀ, ବାଣିଜ୍ୟ ଓ ପରିବହନ ବିଭାଗ ଅଧିକାରୀ, ଖାଦ୍ୟ ଯୋଗାଣ ଓ ଖାଉଟି କଲ୍ୟାଣ ବିଭାଗ ଅଧିକାରୀ, ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗର ଅଧିକାରୀ, ଉଚ୍ଚ ଶିକ୍ଷା ବିଭାଗର ଅଧିକାରୀ, ଅନୁସୂଚିତ ଜାତି ଓ ଜନଜାତି ବିଭାଗର ଅଧିକାରୀ, ସୁଭଦ୍ରା ଟିମର ଅଧିକାରୀବୃନ୍ଦ ପ୍ରମୁଖ ଉପସ୍ଥିତ ଥିଲେ ।
---------------
ହିନ୍ଦୁସ୍ଥାନ ସମାଚାର / ବନ୍ଦନା