ମାଲକାନଗିରି, ୧୦ ସେପ୍ଟେମ୍ବର (ହି.ସ.) - ସରକାରୀ ସ୍ନାତକ ମହାବିଦ୍ୟାଳୟ,ଚିତ୍ରକୋଣ୍ଡାରେ ବିଶ୍ଵ ଆତ୍ମହତ୍ୟା ନିରୋଧ ଦିବସ ଆଜି ପାଳିତ ହୋଇଯାଇଛି। ଅଧ୍ୟକ୍ଷ ଡ. ଚିନ୍ମୟ କୁମାର ବେହେରାଙ୍କ ପୌରୋହିତ୍ୟରେ ଆୟୋଜିତ ଏହି କାର୍ଯ୍ୟକ୍ରମରେ ମହାବିଦ୍ୟାଳୟର ସମସ୍ତ ଅଧ୍ୟାପକ,ଅଧ୍ୟାପିକା, କର୍ମଚାରୀମାନଙ୍କ ସମେତ ଯୁକ୍ତତିନି ଓ ଯୁକ୍ତଦୁଇ ଶ୍ରେଣୀର ସମସ୍ତ ଛାତ୍ରଛାତ୍ରୀ ଯୋଗଦେଇଥିଲେ। ବିଶ୍ଵରେ ଆତ୍ମହତ୍ୟା ବୃଦ୍ଧିର କାରଣ ,ଏହାର ନିରାକରଣ ନିମନ୍ତେ ବିହିତ ପଦକ୍ଷେପ ଗ୍ରହଣ, ମାନସିକ ସ୍ଵାସ୍ଥ୍ୟରେ ଉନ୍ନତି, ଅବସାଦର ଅପସାରଣ, କ୍ରୋଧର ନିୟନ୍ତ୍ରଣ, ବିଫଳତାରୁ ସଫଳତାର ରାସ୍ତା ନିର୍ଣ୍ଣୟ ଆଦି ପ୍ରସଙ୍ଗରେ ଅଧ୍ୟକ୍ଷ ଏକ ତଥ୍ୟ ଆଧାରିତ ନିବନ୍ଧ ପାଠକରିଥିଲେ। ଏହା ସହିତ ଆତ୍ମବଳ ବୃଦ୍ଧି, ମାନସିକଚାପରୁ ମୁକ୍ତି, ବ୍ୟକ୍ତିଗତ ହତାଶାରୁ ଉପରକୁ ଉଠିବାର କୌଶଳ ସମ୍ପର୍କରେ ବିବିଧ ସୁନ୍ଦର କାହାଣୀମାନ ଉପସ୍ଥାପନ କରିଥିଲେ। ଛାତ୍ରଛାତ୍ରୀମାନେ ନାନା ପ୍ରଶ୍ନ ମାଧ୍ୟମରେ ସେମାନଙ୍କ ଜିଜ୍ଞାସା ବ୍ୟକ୍ତ କରିଥିଲେ। ଏହି ଦିବସ ଅବସରରେ ସ୍ଵାଭିମାନ ଅଞ୍ଚଳରେ ନାନା ସମସ୍ୟା ଭିତରେ ବି କିପରି ଧୈର୍ଯ୍ୟ ଓ ଆତ୍ମବଳ ବଜାୟ ରଖି ସଫଳତା ପାଇବା ପର୍ଯ୍ୟନ୍ତ ଲଢ଼ିବାକୁ ହେବ ସେ ବିଷୟରେ ଛାତ୍ରଛାତ୍ରୀମାନେ ସଂକଳ୍ପ କରିଥିଲେ। ଅନ୍ୟାନ୍ୟ ଅଧ୍ୟାପକ ଓ ଅଧ୍ୟାପିକାମାନେ ମଧ୍ୟ ଏହି କାର୍ଯ୍ୟକ୍ରମରେ ନିଜ ଅନୁଭୂତି ସଂଘର୍ଷ ଓ ସାଧନାର କଥାକୁ ପ୍ରେରଣାତ୍ମକ ଶୈଳୀରେ ଉପସ୍ଥାପନ କରିଥିଲେ। ସର୍ବଶେଷରେ ଏହି ପ୍ରସଙ୍ଗରେ କିପରି ଆହୁରି ସଚେତନତା ସୃଷ୍ଟି କରାଯାଇପାରିବ ତାହା ନେଇ ଏକ ନକ୍ସା ପ୍ରସ୍ତୁତ କରାଯାଇ ସେଥିରେ ପିଲାମାନଙ୍କ ଭୂମିକା ବିଷୟରେ ଅବଗତ କରାଯାଇଥିଲା।
---------------
ହିନ୍ଦୁସ୍ଥାନ ସମାଚାର / ଶିବବ୍ରତ