ଧର୍ମଶାଳା,୧୦ ସେପ୍ଟେମ୍ବର(ହି.ସ.) - ରାଜ୍ୟରେ ସରକାର ପରିବର୍ତନ ହୋଇଛି । ଏହି କ୍ରମରେ ବହୁ ନିର୍ବାଚନ ମଣ୍ଡଳୀରେ ବିଜୁ ଜନତା ଦଳ ଦୃବଳ ହେବାରେ ଲାଗିଛି । ପ୍ରତି ଦିନ ସରପଂଚ,ସମିତିସଭ୍ୟ,ଦଳୀୟ ନେତା ଓ କର୍ମୀ ଦଳ ପରିତ୍ୟାଗ କରୁଛନ୍ତି । ତେବେ ପଂଚାୟତ ନିର୍ବାଚନ ପୂର୍ବରୁ ଆଶାଠାରୁ ଅଧିକ ବିଜେପି ଶକ୍ତିଶାଳୀ ହେବାରେ ଲାଗିଛି । ଏହି ଅବସରରେ ଯାଜପୁର ଜିଲା ଧର୍ମଶାଳା ନିର୍ବାଚନ ମଣ୍ଡଳୀ ଜାରକାସ୍ଥିତ ମହୋତ୍ସବ ପଡିଆରେ ବିଜେପିର ଏକ ମହା ମିଶ୍ରଣ ପର୍ବ ଆଜି ଅନୁଷ୍ଠିତ ହୋଇଯାଇଛି । ଏହି ମହା ମିଶ୍ରଣ ପର୍ବ ଯାଜପୁର ବିଜେପି ଜିଲା ସଭାପତି ଦେବଯାନୀ ପ୍ରଧାନଙ୍କ ସଭାପତିତ୍ୱରେ ମୁଖ୍ୟ ଅତିଥିଭାବେ ରାଜ୍ୟ ସଭାପତି ମନ ମୋହନ ସାମଲ ଯୋଗ ଦେଇ ଯାଜପୁର ମାଟିର ଭୋଟରମାନଙ୍କୁ ସେମାନଙ୍କ ଉତ୍ସର୍ଗୀକୃତ ମନୋଭାବ ପାଇଁ କୃତଜ୍ଞତା ଜଣାଇ ଥିଲେ । ଧର୍ମଶାଳା ବିଧାୟକ ହିମାଂଶୁ ସାହୁଙ୍କ ନେତୃତ୍ୱରେ ନିର୍ବାଚନ ମଣ୍ଡଳୀରୁ ଶହଶହ ସଂଖ୍ୟାରେ ଅନ୍ୟ ଦଳର ନେତା ଓ କର୍ମୀ ତଥା ସାମାଜିକ ଗଣମାଧ୍ୟମ ସଂଯୋଜକମାନେ ବିଜେଡି ଛାଡି ବିଜେପିରେ ସାମିଲ ହୋଇଥିଲେ । ରାଜ୍ୟ ସଭାପତି ସେମାନଙ୍କୁ ଦଳୀୟ ଉତରୀୟ ଦେଇ ସ୍ୱାଗତ କରିଥିଲେ । ଧର୍ମଶାଳା ବିଧାୟକଙ୍କ ପ୍ରତିନିଧି ନିର୍ମଳ ପ୍ରଧାନଙ୍କ ସମେତ ୩୦ ଗୋଟିି ପଂଚାୟତର ପ୍ରତିନିଧିମାନେ ବିଜେପିରେ ସାମିଲ ହୋଇଥିଲେ । ସ୍ୱଷ୍ଟଭାବେ କୁହାଯାଇପାରେ ଯେ ଧର୍ମଶାଳାରେ ବିଜେଡିକୁ ବହୁ କ୍ଷତି ସହିବାକୁ ପଡିଛି । ପୂର୍ବରୁ ଯାହା କୁହା ଯାଉଥିଲା ପରିବାରବାଦ ଶାସନର ଅନ୍ତ ଘଟିଛି । ତାହା ଆଜି ବାସ୍ତବରେ କାର୍ଯ୍ୟରେ ପରିଣତ ହୋଇଥିବା ଦେଖିବାକୁ ମିଳିଥିଲା । ପୂର୍ବରୁ ସମିତି ସଭ୍ୟ ଅଧ୍ୟକ୍ଷ ପଦରୁ ପ୍ରଭାତ କୁମାର ବଳନ୍ତରାୟ ଇସ୍ତଫା ଦେଇଥିବା ବେଳେ ଆଜି ଏହି ମହା ମିଶ୍ରଣ ପର୍ବରେ ବହୁ ସଂଖ୍ୟାରେ ବିଜେଡି କର୍ମୀ ଦଳ ପରିତ୍ୟାଗ କରିଛନ୍ତି । ଜିଲାର ମନ୍ତ୍ରୀ ପ୍ରଦୀପ ବଳସାମନ୍ତ,ଯାଜପୁର ସାଂସଦ ଡ. ରିବନ୍ଦ୍ର ନାରାୟଣ ବେହେରା,ବଡଚଣା ବିଧାୟକ ଅମର ନାୟକ,କୋରାଇ ବିଧାୟକ ଆକାଶଦାସ ନାୟକ,ପୂର୍ବତନ ଜିଲା ବିଜେପି ସଭାପତି ଗୌତମ ରାୟ,ନାରୀ ନେତ୍ରୀ ବବିତା ମଲ୍ଲିକ ଓ ବରୀର ଯୁବନେତା ଉମେଶ ଜେନା ପ୍ରମୁଖ ଯୋଗ ଦେଇ ବିଜେପି ସରକାରର ଜିଲାର ସାମଗ୍ରୀକ ବିକାଶ ପାଇଁ ପ୍ରତିଶୃତିବଦ୍ଧ ବୋଲି ସେମାନଙ୍କ ବକ୍ତବ୍ୟରେ ମତ ପ୍ରକାଶ କରିଥିଲେ । ଏହି କାର୍ଯ୍ୟକ୍ରମରେ ନିର୍ବାଚନ ମଣ୍ଡଳୀର ଶହଶହ ବିଜେପି କର୍ମୀ ରାଜ୍ୟ ସଭାପତିଙ୍କୁ ଏକ ବିଶାଳ ଶୋଭାଯାତ୍ରାରେ ମଂଚସ୍ଥଳକୁ ପାଚ୍ଛୋଟି ଆଣିଥିଲେ । କାର୍ଯ୍ୟକମ୍ରରେ ହାଜର ହଜାର ସଂଖ୍ୟାରେ ମହିଳାଙ୍କ ସମେତ ଜନସାଧାରଣ ସାମିଲ ହୋଇଥିଲେ ।
ହିନ୍ଦୁସ୍ଥାନ ସମାଚାର / ଚିନ୍ମୟ