ରାଉରକେଲା, ୧୧ ସେପ୍ଟେମ୍ବର (ହି.ସ.)- ରାଜଗାଂଗପୁର ଡାଲମିଆ ସିମେଟ ପୁଣି ଆଦିବାସୀ ମାନଙ୍କ ଜମି ହଡପ କରିଥିବା ଅଭିଯୋଗରେ ଛନ୍ଦିହେଲା, କିଛି ଦିନ ତଳେ କାରଖାନାରେ ଦୁର୍ଘଟଣା ଘଟି ଅନେକ ଶ୍ରମିକ ମୃତାହତ ହେବା, ବେଆଇନ ଭାବେ ସରକାରୀ ରାସ୍ତା ଉପରେ ନିଜର ମାଲପରିବହନ ବେଲ୍ଟ ନେବା ଜଣେ ଦଲାଲ ଜିଲ୍ଲା ମୁଖିଆଙ୍କୁ ଧରି ନିଜର ପାରିବା ପଣିଆ ଦେଖାଇବା ଘଟଣାକୁ ନେଇ ଏହି କଂପାନୀ ବେଶ ଚର୍ଚ୍ଚାରେ ଥିବାବେଳେ ଗତ ବିଜେଡି ସରକାରରେ ଥିବା କିଛି ଦଲାଲ ଅଫିସର, ଜିଲ୍ଲାପାଳ ମିନାଙ୍କ ସହାୟତାରେ ୫ଟି -ପଚାଂୟତର ଗ୍ରାମବାସୀଙ୍କ ପ୍ରାୟ ୮୦୦ ଏକର ରୟତି ଜମିକୁ ନିଜ ନାମରେ ଡାଲମିଆ ସିମେଟ କରାଇନେଇଥିବା ନେଇ ଫୋରମ ଫର ଗ୍ରାମସେବା କମିଟୀ ଅଭିଯୋଗ କରିଛି। ଏନେଇ ଆଜି ଶତାଧିକ ଆଦିବାସୀ ମହିଳା ପୁରୁଷ ଏକତ୍ରିତ ହୋଇ ରାଜଗାଂଗପୁର ତହସିଲ ଅଫିସ ଆଗରେ ଧାରଣା ଦେବା ସହ ବିକ୍ଷୋଭ ଓ ଏନେଇ ସେମାନେ ମୁଖ୍ୟମନ୍ତ୍ରୀ, ରାଜ୍ୟପାଳ, ଜିଲ୍ଲାପାଳ ଆଦିଙ୍କୁ ବାରମ୍ବାର ଜଣାଇଥିଲେ ବି କିଛି ସୁଫଳ ପାଇନଥିବା ଅଭିଯୋଗ କରିଛନ୍ତି।
ଅନ୍ୟପକ୍ଷରେ ଏନେଇ ରାଜଗାଙ୍ଗପୁର ବିଧାୟକ କ'ଣ କରୁଛନ୍ତି ପଚରା ଜିବାରୁ ସେ ଆମ ସହ ଅଛନ୍ତି କିନ୍ତୁ କିଛି କାମ କରିପାରୁନାହାନ୍ତି । ଏଠାରେ ଉଲ୍ଲେଖଯୋଗ୍ୟ, ଯଦି ବିଧାୟକ ଡାଲମିଆରେ ପରିବହନ କାମ କରିବେ ତେବେ ଆଦିବାସୀଙ୍କ ଠାରୁ ଖାଲି ଭୋଟ ନେବା ଛଡା ସେ ଅଧିକ କ'ଣ କରିପାରିବେ ବୋଲି ଆଲୋଚନା ଚାଲିଛି । ଅଭିଯୋଗରୁ ପ୍ରକାଶ ଯେ, ରାଜଗାଙ୍ଗପୁର ନିର୍ବାଚନ ମଣ୍ଡଳୀର ଆଦିବାସୀ ନେତା, ସମାଜସେବୀ ଆଲବର୍ଟ କିଣ୍ଡୋ କହିଛନ୍ତି ଯେ, ରାଜଗାଙ୍ଗପୁର ଡାଲମିଆ ସିମେଟ ତା'ର ସଂପ୍ରସାରଣ ଲାଗି ଆବଶ୍ୟକ ହେଉଥିବା ଜମି ଲାଗି ବିନା ଜନଶୁଣାଣୀରେ ଚଚଂକତା କରି ସେ ସମୟର ଜିଲ୍ଲାପାଳ ମିନାଙ୍କୁ ହାତବାରିସି କରି ତହସିଲଦାର ଓ ବିଡିଓ ଙ୍କୁ ପକେଟରେ ପୁରାଇ କୁକୁଡା, କେଶ୍ରାମାଲ, ଝଗରପୁର, ଅଲଣ୍ଡା ସମେତ ୫ଟି ଗ୍ରାମ ପଚାଂୟତର ସାଧାରଣ ଲୋକଙ୍କର ନିଜସ୍ୱ ଜମିରୁ ପ୍ରାୟ ୮୦୦ ଏକର ଜମି ଲୋକେ ବିକି ନଥିଲେ ବି ଡାଲମିଆ ନାମକୁ ତା'ର ଖାତାକୁ ଚାଲିଯାଇଛି । ଲୋକେ ଏଥିଲାଗି କୌଣସି ଯାଗାରେ କିଛି କହିନାହାନ୍ତି କିମ୍ବା ମତ ଦେଇ ନାହାନ୍ତି ଯେ ସେମାନଙ୍କ ଜମିକୁ ସେମାନେ ଡାଲମିଆକୁ ଦେବାକୁ ଚାହୁଁଛନ୍ତି । କିନ୍ତୁ ଦୁର୍ଭାଗ୍ୟର ବିଷୟ ଯେ, ଏଠାରେ ବିଜେଡି ଅମଳରେ ଥିବା ତହସିଲଦାର, ଆରଆଇ ମାନେ ଡାଲମିଆ ସିମେଟର ହାତବାରିସି ସାଜି ଆଦିବାସୀ ମାନଙ୍କର ଜମିକୁ କାଗଜ କଲମରେ ଡାଲମିଆକୁ ଦେଇ ଦେଇଛନ୍ତି । ଯେଉଁ ଲୋକର ଜମି ତାକୁ ପଚରା ନଯାଇ ଅନ୍ୟ ଲୋକକୁ ସେହି ଲୋକ ଦେଖାଇ ଜାଲ ଦସ୍ତଖତ କରାଇ ଲୋକଙ୍କ ଜମି ଗୁଡିକୁ ହଡ଼ପ କରିଦିଆଯାଇଛି ବୋଲି ଅଭିଯୋଗ ହୋଇଛି । ବିଜେଡି ସରକାର ସମୟରେ ଫାଇଭ-ଟି ସଚିବ ଏମାନଙ୍କର ପକେଟରେ କୁଆଡେ ଥିଲେ ତେଣୁ ଯାହା ଚାହିଁବେ ତାହା କରିବେ ବୋଲି କଂପାନୀ ପ୍ରଚାର କରୁଥିବା ବେଳେ ତାହା ହିଁ କରିଦେଖାଇଦେଲେ । ଏବେ ବିଚରା ଜମି ମାଲିକମାନେ ଚିନ୍ତାରେ ଥିବାବେଳେ ମୋହନ ସରକାର ଉପରେ ଭରଷା କରିଛନ୍ତି । ଏନେଇ ଆଜି ରାଜଗାଙ୍ଗପୁର ତହସିଲ ସମ୍ମୁଖରେ ବିକ୍ଷୋଭ ଓ ଆନ୍ଦୋଳନ ହୋଇଛି । ଆନ୍ଦୋଳନକାରୀ ମାନେ କହିଛନ୍ତି ଯେ, ସେମାନେ ରାଜ୍ୟ ମୁଖିଆଙ୍କୁ ଏନେଇ ଅବଗତ କରାଇଛନ୍ତି, ରାଜ୍ୟ ସରକାର ଏନେଇ ତଦନ୍ତ କରାଇ ବିହିତ ପଦକ୍ଷେପ ନେବାକୁ ଦାବି କରାଯାଇଛି, ଯଦି ସେମାନଙ୍କ ଦାବି ପୁରଣ ନହୁଏ ଓ ସେମାନଙ୍କ ଜମି ନମିଳେ ତେବେ ରାସ୍ତା ଘାଟରେ ନିଆଁ ଜଳିବ ବୋଲି ଚେତାବନୀ ଦିଆଯାଇଛି ।
ହିନ୍ଦୁସ୍ଥାନ ସମାଚାର / କାଳୀପ୍ରସାଦ