ପୁରୀ, ୧୧ ସେପ୍ଟେମ୍ବର (ହି.ସ.)-ପିତୃପକ୍ଷ ବା ଅପରପକ୍ଷ ପାଇଁ ଶ୍ରୀମନ୍ଦିର ଉତ୍ତରଦ୍ବାର ପରିକ୍ରମା ମାର୍ଗର ପାଚେରୀର ପାଖରେ ବସିଛନ୍ତି ଶହ ଶହ ବ୍ରାହ୍ମଣ । ଛତା ତଳେ ଶ୍ରଦ୍ଧାଳୁଙ୍କ ଶ୍ରାଦ୍ଧ ଓ ପିଣ୍ଡଦାନ କରୁଛନ୍ତି ବ୍ରାହ୍ମଣ ମାନେ । ମନ୍ତ୍ର ଉଚ୍ଚାରଣରେ କମ୍ପୁଛି ଶ୍ରାଦ୍ଧସ୍ଥଳ । ଶ୍ରଦ୍ଧାଳୁ ମାନଙ୍କ ପିତାମାତାଙ୍କ ତିଥି ଥିବା ଦିନରେ ଶ୍ରାଦ୍ଧ ଓ ପିଣ୍ଡଦାନ କରୁଛନ୍ତି । ଆଶ୍ବିନ ମାସ କୃଷ୍ଣପକ୍ଷ ପ୍ରତିପଦା ତିଥିରୁ ମହାଳୟା ଅମାବାସ୍ୟା ପର୍ଯ୍ୟନ୍ତ ପିତୃପକ୍ଷ ଶ୍ରାଦ୍ଧ ଚାଲୁ ରହିବ । ଯେଉଁ ମାନେ ତିଥି ଅନୁସାରେ ପିଣ୍ଡଦାନ କରିପାରିବେ ନାହିଁ । ସେମାନେ ମହାଳୟା ଦିନ ଶ୍ରାଦ୍ଧ ଓ ପିଣ୍ଡଦାନ କରିପାରିବେ । ପିତୃପକ୍ଷରେ ପିଣ୍ଡଦାନ କଲେ ପିତୃପୁରୁଷ ସନ୍ତୋଷ ଲାଭ କରି ଘରେ ସୁଖ ସମୃଦ୍ଧି ହେବା ବିଶ୍ବାସ ରହିଛି । ପିତୃଶ୍ରାଦ୍ଧ, ମାତୃଶ୍ରାଦ୍ଧ, ମହାଳୟା ଶ୍ରାଦ୍ଧ ଓ ପୟା ଶ୍ରାଦ୍ଧ ରହିଛି । ମହାଳୟା ଶ୍ରାଦ୍ଧ ପାଇଁ ଶ୍ରଦ୍ଧାଳୁ ମାନେ ପୁରୀ ଆସି ଶ୍ରୀକ୍ଷେତ୍ରରେ ବ୍ରାହ୍ମଣଙ୍କ ହସ୍ତରେ ଶ୍ରାଦ୍ଧ ଓ ପିଣ୍ଡଦାନ କରିବା ନେଇ ଭିଡ ଦେଖିବାକୁ ମିଳିଛି । ଉତ୍ତରଦ୍ବାର ସମ୍ମୁଖରେ ଶ୍ରାଦ୍ଧ ସାମଗ୍ରୀ ମିଳୁଥିବାରୁ ଶ୍ରଦ୍ଧାଳୁ ମାନେ ସେଠାରୁ ଶ୍ରାଦ୍ଧର ସମସ୍ତ ସାମଗ୍ରୀ କିଣି କଦଳୀପତ୍ର ସହ ବ୍ରାହ୍ମଣଙ୍କ ନିକଟରେ ବସି ଶ୍ରାଦ୍ଧ ଓ ପିଣ୍ଡଦାନ କରୁଥିବା ଦେଖିବାକୁ ମିଳିଛି । ପିତୃପକ୍ଷରେ ପିତୃଲୋକ ମାନେ ମର୍ତ୍ତ୍ୟ ମଣ୍ଡଳକୁ ଆସି ଆତ୍ମୀୟସ୍ବଜନଙ୍କ ନିକଟରୁ ପାଣି, ପିଣ୍ଡ ଓ ଶ୍ରାଦ୍ଧ ଗ୍ରହଣ କରୁଥିବା ବିଶ୍ବାସ ରହିଛି । ଆଧ୍ୟାତ୍ମିକ ପରିବେଶ ବାତାବରଣ ସହ ଶ୍ରାଦ୍ଧ ପରେ ଶ୍ରଦ୍ଧାଳୁ ମାନେ ବ୍ରାହ୍ମଣଙ୍କୁ ମୁଣ୍ଡିଆ ମାରି ଦକ୍ଷିଣା ଦେବା ସହ ଆଶୀର୍ବାଦ ଭିକ୍ଷା କରିଥାନ୍ତି । ଶ୍ରାଦ୍ଧ ଶେଷ ହେବା ପରେ ଶ୍ରଦ୍ଧାଳୁ ମାନେ ଶ୍ରୀମନ୍ଦିରରେ ଶ୍ରୀଜୀଉଙ୍କୁ ଦର୍ଶନ କରିବା ସହ ମହାପ୍ରସାଦ ସେବନ କରୁଛନ୍ତି ।
ହିନ୍ଦୁସ୍ଥାନ ସମାଚାର / ବିଜୟ