କୋରେଇ, ୨୦ ସେପ୍ଟେମ୍ବର (ହି.ସ.)- ବର୍ତମାନ ପାର୍ବଣର ଋତୁ ଚାଲିଥିବାରୁ ନିଶା ବେପାରୀଙ୍କୁ ସାବାଡ଼ କରିବା ଲାଗି ରାଜ୍ୟ ପୁଲିସ ମହା ନିର୍ଦ୍ଦେଶକ କଡ଼ା ନିର୍ଦ୍ଦେଶ ଦେଇଛନ୍ତି । ଅପରେସନ ପ୍ରହାର ମାଧ୍ୟମରେ ନିଶା ବେପାରୀଙ୍କୁ ଧରି ଜେଲ୍ ରେ ପୁରାଇବା ଲାଗି ଯାଜପୁର ଏସପି ସମସ୍ତ ଥାନାକୁ ନିର୍ଦ୍ଦେଶ ଦେଇଛନ୍ତି । ତେବେ ପାଣିକୋଇଲି ଥାନାଧିକାରୀ ରଂଜିତ ମହାନ୍ତି ଆଜି ଦୁଇ ଜଣ ଗଂଜେଇ ବେପାରିଙ୍କୁ ଗିରଫ କରି କୋର୍ଟଚାଲାଣ କରିଛନ୍ତି ।
ବିଶ୍ୱସ୍ତ ସୂତ୍ରରୁ ଖବର ପାଇ ଗୋଳେଇପୁର ପଂଚାୟତର ସୋତି ଗ୍ରାମର ବାବାଜୀ ନାଥଙ୍କ ପୁଅ କୃପାସିନ୍ଧୁ ଓରଫ ଧନିଆକୁ ସୋତି ନିକଟସ୍ଥ ପାନ ଦୋକାନରୁ ଧରି ଥାନାରେ ଅଟକ ରଖିବା ସହିତ ତା’ ନିକଟରୁ ୧.୩୬୦ ଗ୍ରାମ ଗଞ୍ଜେଇ ଜବତ କରିଛନ୍ତି । କୃପାସିନ୍ଧୁ ନିୟମିତ ଭାବେ ଶଙ୍ଖଚିଲା ଖମଣ ନାଉଡପୁର ଗ୍ରାମର ବୃନ୍ଦାବନ ସାହୁଙ୍କ ପୁଅ ଶ୍ରୀଧର ସାହୁଙ୍କ ଠାରୁ ଗଞ୍ଜେଇ ଆଣି ବେପାର କରିବା ଜାଣି ତାକୁ ଧରିବାରେ ପୁଲିସ ସକ୍ଷମ ହୋଇଥିଲା । ଏନେଇ ଏକ ମାମଲା ୩୦୪/୨୫ ରୁଜ୍ଜୁ କରାଯାଇଥିଲା । ଆଜି କୃପାସିନ୍ଧୁ ଓ ଶ୍ରୀଧରକୁ ଗିରଫ କରି ଦଫା ୨୦(ବି) ଆଇଆଇ(ବି) ୨୯(ଆଇ) ଏନଡିପିସି ଆକ୍ଟ ୧୯୮୫ରେ କୋର୍ଟଚାଲାଣ କରାଯାଇଥିବା ତଦନ୍ତାଧିକାରୀ ସବଇନ୍ସପେକ୍ଟର ମିନତୀ ବେହେରାଙ୍କ ସୂତ୍ରରୁ ପ୍ରକାଶ ।
ହିନ୍ଦୁସ୍ଥାନ ସମାଚାର / ପ୍ରଦୀପ୍ତ