ଭୁବନେଶ୍ୱର,୨୦ ସେପ୍ଟେମ୍ବର (ହି.ସ.) - ଓଡିଶାକୁ ଆସୁଥିବା ବିଦେଶୀ ପର୍ଯ୍ୟଟକଙ୍କ ସଂଖ୍ୟା ଗତବର୍ଷ ୫୩ ହଜାରକୁ ଅତିକ୍ରମ କରିଯାଇଛି । ସେହିଭଳି ଅନ୍ୟ ରାଜ୍ୟରୁ ବି ଓଡିଶାକୁ ପ୍ରାୟ ୪୪ଲକ୍ଷ ପର୍ଯ୍ୟଟକ ଆସିଛନ୍ତି । ବିଜେପି ବିଧାୟକ ଟଙ୍କଧର ତ୍ରିପାଠୀଙ୍କ ଏକ ପ୍ରଶ୍ନର ଉତରରେ ଏହି ସୂଚନା ଦେଇଛନ୍ତି ଉପମୁଖ୍ୟମନ୍ତ୍ରୀ ପ୍ରଭାତୀ ପରିଡା ।
ମନ୍ତ୍ରୀ ତାଙ୍କ ଉତରରେ ଦର୍ଶାଇଛନ୍ତି ଯେ ୨୦୨୨ ମସିହାରୁ ଓଡିଶାକୁ ବିଦେଶୀ ପର୍ଯ୍ୟଟକଙ୍କ ସଂଖ୍ୟା ବଢିବାରେ ଲାଗିଛି । ୨୦୨୨ରେ ରାଜ୍ୟକୁ ୨୨,୧୨୧ ଜଣ ବିଦେଶୀ ପର୍ଯ୍ୟଟକ ଆସିଥିବାବେଳେ ୨୦୨୩ରେ ଏହି ସଂଖ୍ୟା ୪୫ ହଜାରକୁ ଅତିକ୍ରମ କରିଥିଲା । ୨୦୨୪ରେ ଆସିଥିବା ବିଦେଶୀ ପର୍ଯ୍ୟଟକଙ୍କ ସଂଖ୍ୟା ୫୩,୩୦୨ ରହିଥିଲା । ସେହିଭଳି ଅନ୍ୟ ରାଜ୍ୟରୁ ଓଡିଶାକୁ ଆସୁଥିବା ପର୍ଯ୍ୟଟକଙ୍କ ସଂଖ୍ୟା ବି ଏହି ତିନି ବର୍ଷରେ ବୃଦ୍ଧି ପାଇଛି ।
୨୦୨୨ରେ ଅନ୍ୟ ରାଜ୍ୟରୁ ଓଡିଶାକୁ ୩୧ଲକ୍ଷ ୪୭ହଜାର ପର୍ଯ୍ୟଟକ ଆସିଥିବାବେଳେ ୨୦୨୪ରେ ଏହି ସଂଖ୍ୟା ପ୍ରାୟ ୪୪ଲକ୍ଷ ଥିଲା । ରାଜ୍ୟ ଭିତରର ପର୍ଯ୍ୟଟକମାନେ ମଧ୍ୟ ଏହି ସମୟରେ ବିଭିନ୍ନ ପର୍ଯ୍ୟଟନସ୍ଥଳୀକୁ ବହୁ ସଂଖ୍ୟାରେ ଯାଇଥିଲେ । ୨୦୨୨ରେ ଏହି ଧରଣର ପର୍ଯ୍ୟଟକଙ୍କ ସଂଖ୍ୟା ୪୭ଲକ୍ଷ ୨୦ହଜାର ଥିବାବେଳେ ୨୦୨୪ରେ ଏହା ୬୫ଲକ୍ଷ ୯୮ହଜାରକୁ ଅତିକ୍ରମ କରିଥିଲା ।
ଓଡିଶାରେ ବର୍ତମାନ ସୁଦ୍ଧା ୩୭୮ଟି ପର୍ଯ୍ୟଟନସ୍ଥଳୀକୁ ରାଜ୍ୟ ସରକାର ଚିହ୍ନଟ କରିଛନ୍ତି ଏବଂ ଏହିସବୁ ପର୍ଯ୍ୟଟନସ୍ଥଳୀ ଏବଂ ଅନ୍ୟାନ୍ୟ ସ୍ଥାନରେ ପର୍ଯ୍ୟଟକମାନଙ୍କ ରହିବାଲାଗି ବ୍ୟବସ୍ଥା ରହିଛି । ସେହିଭଳି ପର୍ଯ୍ୟଟକମାନଙ୍କ ସୁରକ୍ଷା ଲାଗି ୮ଟି ପ୍ରମୁଖ ପର୍ଯ୍ୟଟନସ୍ଥଳୀରେ ସ୍ୱତନ୍ତ୍ର ପର୍ଯ୍ୟଟକ ପୁଲିସ ପ୍ରକୋଷ୍ଠ ପ୍ରତିଷ୍ଠା କରାଯାଇ ୭୨ ଜଣ ଟୁରିଷ୍ଟ ପୁଲିସ ଅଧିକାରୀଙ୍କୁ ନିୟୋଜିତ କରାଯାଇଛି ।
---------------
ହିନ୍ଦୁସ୍ଥାନ ସମାଚାର / ବନ୍ଦନା