ଗଂଜାମ, ୨୦ ସେପ୍ଟେମ୍ବର (ହି.ସ.)- ଗଞ୍ଜାମ ଜିଲ୍ଲା ସୁନାମି ମୁକାବିଲା ନିମନ୍ତେ ଜିଲ୍ଲା ସ୍ତରୀୟ ପ୍ରଶିକ୍ଷଣ ଶିବିର ଶନିବାର ଦିନ ଜିଲ୍ଲାପାଳଙ୍କ ସଦ୍ଭାବନା ସମ୍ମିଳନୀ କକ୍ଷ ଠାରେ ଅତିରିକ୍ତ ଜିଲ୍ଲାପାଳ ଦେବଦତ୍ତ ପଣ୍ଡାଙ୍କ ଅଧ୍ୟକ୍ଷତାରେ ଏକ ପ୍ରସ୍ତୁତି ବୈଠକ ଅନୁଷ୍ଠିତ ହୋଇଯାଇଛି । ପ୍ରାରମ୍ଭରେ ଜିଲ୍ଲା ଜରୁରୀକାଳୀନ ବିଭାଗର ଡେପୁଟି କଲେକ୍ଟର ଅଭିଷେକ ସାହୁ ସମସ୍ତଙ୍କୁ ସ୍ବାଗତ କରିବା ସହ କହିଥିଲେ ଯେ, ଗଞ୍ଜାମ ଜିଲ୍ଲା ଏକ ପ୍ରାକୃତିକ ବିପର୍ଯ୍ୟୟ ପ୍ରବଣ ଜିଲ୍ଲା । ଏହା ଉପକୂଳବର୍ତ୍ତି ଜିଲ୍ଲା ହୋଇଥିବାରୁ ବାତ୍ୟା ଓ ସୁନାମୀ ପ୍ରବଣ ଜିଲ୍ଲା ଭାବେ ପରିଚିତ । ଗଞ୍ଜାମ ଜିଲ୍ଲାର ଚାରି ଗୋଟି ବ୍ଲକ୍ ର ୪୨ ଟି ଗ୍ରାମ ଓ ଦୁଇ ଗୋଟି ବିଜ୍ଞାପିତ ଅଞ୍ଚଳ ପରିଷଦର ୨୩ ଗୋଟି ଓ୍ବାର୍ଡ ସୁନାମି ପ୍ରବଣ ଅଟେ । ସୁନାମୀ ମୁକାବିଲା ନିମନ୍ତେ ସମସ୍ତ ପ୍ରକାର ପ୍ରସ୍ତୁତି କାର୍ଯ୍ୟକ୍ରମ ସରକାର ହାତକୁ ନେଇଛନ୍ତି । ୨୦୨୦ ମସିହାରେ ଜିଲ୍ଲାର ଭେଙ୍କଟ ରାୟପୁର ଗ୍ରାମ ଏବଂ ୨୦୨୪ ମସିହାରେ ପ୍ରୟାଗୀ, କଣ୍ଟିଆଗଡ,ଉପୁଲାପୁଟି ଓ ମାର୍କଣ୍ଡି ଗ୍ରାମକୁ ସୁନାମୀ ରେଡି ଗ୍ରାମ ଭାବେ ମାନ୍ୟତା ମିଳିଥିବା କହିଥିଲେ ।
ବନ୍ୟା, ବାତ୍ୟା, ସୁନାମୀ ପ୍ରାକୃତିକ ଦୁର୍ବିପାକ ଭଳି ସର୍ପାଘାତ ଓ ବଜ୍ରାଘାତରୁ ମଧ୍ୟ ରକ୍ଷା ପାଇବା ପାଇଁ ସଚେତନତା ଜରୁରୀ ହୋଇ ପଡିଥିବା କହିଥିଲେ । ପ୍ରାକୃତିକ ବିପର୍ଯ୍ୟୟକୁ ସାମ୍ନା କରିବାକୁ ହେଲେ ପ୍ରାକ୍ ସତର୍କତା ଓ ସଚେତନତା ନିହାତି ଜରୁରୀ । ସୁନାମି ଆସିବାର ଦୁଇ ଘଣ୍ଟା ପୂର୍ବରୁ ଜଣାପଡିଥାଏ । ଏଣୁ ସ୍ଥାନୀୟ ଗୋଷ୍ଠୀ (କମ୍ୟୁନିଟି) ର ଭୂମିକା ଗୁରୁତ୍ବପୂର୍ଣ୍ଣ । ବୈଠକରେ ଅଧ୍ୟକ୍ଷତା କରି ଅତିରିକ୍ତ ଜିଲ୍ଲାପାଳ ଶ୍ରୀ ପଣ୍ଡା କହିଥିଲେଯେ, ଜିଲ୍ଲାର ରଙ୍ଗେଇଲୁଣ୍ଡା, ଗଞ୍ଜାମ, ଛତ୍ରପୁର ଓ ଚିକିଟି ଏହି ଚାରିଗୋଟି ବ୍ଲକ୍ ସୁନାମି ପ୍ରବଣ ଅଟେ । ଜିଲ୍ଲାର ସମସ୍ତ ବିଭାଗର ସମନ୍ବୟରେ ସୁନାମି ଭଳି ପ୍ରାକୃତିକ ବିପର୍ଯ୍ୟୟର ମୁକାବିଲା କରିପାରିବା । ବିପର୍ଯ୍ୟୟ ସମୟରେ ପଛଘୁଞ୍ଚା ନ ଦେଇ ନିଜନିଜ କର୍ତ୍ତବ୍ୟରେ ଲାଗିପଡିଲେ ଆମେ ଏହାର ସହଜରେ ମୁକାବିଲା କରିପାରିବା ।
ଜିଲ୍ଲା ପ୍ରକଳ୍ପ ଅଧିକାରୀ ଦେବେନ୍ଦ୍ର ନାୟକ ସୁନାମି ସମୟରେ କିପରି ସତର୍କତା ଅବଲମ୍ବନ କରାଯାଇପାରିବ ସେ ସମ୍ପର୍କରେ ସବିଶେଷ ବୁଝାଇ ଥିଲେ । ସୁନାମିର ଉତ୍ପତ୍ତି, କାରଣ ଓ ଲକ୍ଷଣ ବିଷୟରେ ବିସ୍ତୃତଭାବେ ଆଲୋଚନା କରିଥିଲେ । ମତ୍ସ୍ୟଜୀବୀମାନେ ମାଛମାରିବାକୁ ସମୁଦ୍ରକୁ ଯାଇଥିଲେ ସୁନାମି ସମୟରେ ସେମାନେ କୂଳ ଆଡକୁ ନଆସି ସମୁଦ୍ର ଭିତରକୁ ପଳାଇଯିବା ଉଚିତ୍ । କାରଣ କୂଳ ଆଡକୁ ଉଚ୍ଚ ଲହରି ମାନ ଆସିଥାଏ । ସୁନାମି ସମୟରେ ସମୁଦ୍ରର ଢେଉ ସ୍ଥଳ ଭାଗ ଆଡକୁ ୮୦୦ ରୁ ୯୦୦ କିଲୋମିଟର ବେଗରେ 30 ରୁ 40ମିଟର ଉଚ୍ଚତାରେ ମାଡିଆସେ । ସୁନାମି ସମୟରେ ସମୁଦ୍ର କୂଳରୁ ବିପରିତ ଦିଗରେ ଦୁଇ ତିନି କିଲୋମିଟର ଦୂରରେ ଥିବା ଉଚ୍ଚ ସ୍ଥାନକୁ ପଲେଇଗଲେ ଜୀବନ ରକ୍ଷା କରିପାରିବା । ସୁନାମୀ ପରେପରେ ଉଚ୍ଚ ସ୍ଥାନରେ ଆଶ୍ରୟ ନେଇଥିବା ଲୋକମାନେ ନିଜନିଜ ଘରକୁ ଫେରିଲା ବେଳେ ଘରକୁ ତନ୍ନତନ୍ନ କରି ଦେଖିବା ସହ ବୈଦ୍ୟୁତିକ ଉପକରଣ ସଂସ୍ପର୍ଶରେ ନ ଆସିବାକୁ ପରାମର୍ଶ ଦିଆଯାଇଥିଲା । ନଭେମ୍ବର ୫ ତାରିଖକୁ ବିଶ୍ବ ସୁନାମୀ ଦିବସ ଭାବେ ପାଳନ କରାଯାଉଛି । ସମସ୍ତ ବିଭାଗ ନିଜନିଜ ଦାୟିତ୍ବ ସୂଚାରୁ ରୂପେ ନିର୍ବାହ କରିପାରିଲେ ସୁନାମି ଭଳି ପ୍ରାକୃତିକ ବିପର୍ଯ୍ୟୟକୁ ସହଜରେ ମୁକାବିଲା କରିପାରିବା । ସୁନାମି ମୁକାବିଲା ନିମନ୍ତେ ଗୋଷ୍ଠୀ ସମୁଦାୟର ଭୁମିକା ଗୁରୁତ୍ବପୂର୍ଣ୍ଣ । ଓଡିଶାର ୨୬ ଗୋଟି ଗ୍ରାମକୁ ସୁନାମିରେଡି ଗ୍ରାମ ଭାବେ ମାନ୍ୟତା ମିଳିସାରିଛି ।
ବିଦ୍ୟାଳୟର ଛାତ୍ରଛାତ୍ରୀଙ୍କ ମଧ୍ୟରେ ସପ୍ତାହରେ ଥରେ ସୁନାମି ସଚେତନମତା ଉପରେ କ୍ଲାସ କରିବା ପାଇଁ ନିଷ୍ପତ୍ତି ଗ୍ରହଣ କରାଯାଇଥିଲା । ମହିଳା ଓ ଶିଶୁ ବିଭାଗର ଆଶାକର୍ମୀ, ଅଙ୍ଗନଓ୍ବାଡି କର୍ମୀଙ୍କ ଭୂମିକା ମଧ୍ୟ ଗୁରୁତ୍ବପୂର୍ଣ୍ଣ ।
ଏହି ବର୍ଷ ଶେଷ ସୁଦ୍ଧା ଆହୁରି ୧୫ ଗୋଟି ଗ୍ରାମ ଯଥା- ଗଞ୍ଜାମ ବ୍ଲକର ପାଳିବନ୍ଧ ଲକ୍ଷ୍ମୀପୁର, କଲରାବାଡି, ମୟୁରପଦା, ରଙ୍ଗେଇଲୁଣ୍ଡା ବ୍ଲକର ଲଉଡିଗାଁ, କିର୍ତ୍ତିପୁର, ନୂଆ ଗୋଳାବନ୍ଧ, ହାତୀପାଦ, ୧୦୦୮ ଓଡିଆରପି, ଚିକିଟି ବ୍ଲକ୍ ର ଏକସିଙ୍ଗି, ଅଲଡିପୁର, ରାମେୟାପାଟଣା , ଛତ୍ରପୁର ବ୍ଲକ୍ ର ଅଗସ୍ତିନୂଆଗାଁ, ନୋଳିଆ ନୂଆଗାଁ କେ ଆର୍ଯ୍ୟପଲ୍ଲୀକୁ ସୁନାମି ରେଡି ଗ୍ରାମ ଭାବେ ଘୋଷଣା କରାଯିବାପାଇଁ ସ୍ଥିର କରାଯ।ଇଛି ।
ପଥପ୍ରାନ୍ତ ନାଟକ, କାନ୍ଥରେ ସୂଚନା ଲିପିବଦ୍ଧ କରି, ପ୍ରଚାର ପତ୍ର ମାଧ୍ୟମରେ ସୁନାମି ସଚେତନତା କରାଯାଇପାରିବ । ସୁନାମି ମକ୍ ଏକସରସାଇଜ୍ ଅକ୍ଟୋବର ମାସରେ ପ୍ରଥମ, ଦ୍ବିତୀୟ ଓ ତୃତୀୟ ସପ୍ତାହରେ କରାଯିବା ପାଇଁ ସ୍ଥିର କରାଗଲା ।
ବୈଠକରେ ସମସ୍ତ ବ୍ଲକ୍ ନୋଡାଲ ଅଧିକାରୀ, ବ୍ଲକ୍ ପ୍ରୋଜେକ୍ଟ କୋ ଅର୍ଡିନେଟର, ଶିକ୍ଷକଶିକ୍ଷୟିତ୍ରୀ, ଅଗ୍ନିଶମ ସେବା ବିଭାଗ, ସ୍ବାସ୍ଥ୍ୟ ବିଭାଗ, ମତ୍ସ୍ୟ ବିଭାଗ, ଓଡ୍ରାଫ୍ ଟିମ୍, ସ୍ବେଚ୍ଛାସେବା ଅନୁଷ୍ଠାନ ଓ ଅନ୍ୟାନ୍ଯ ଲାଇନ୍ ବିଭାଗୀୟ ଅଧିକାରୀଗଣ ଉପସ୍ଥିତ ଥିଲେ ।
ହିନ୍ଦୁସ୍ଥାନ ସମାଚାର / ପ୍ରଦୀପ୍ତ