ସମ୍ବଲପୁର, ୨୦ ସେପ୍ଟେମ୍ବର (ହି.ସ.) ଆଗାମୀ ସେପ୍ଟେମ୍ବର ୨୨ରୁ ଅକ୍ଟୋବର ୦୨ ପର୍ଯ୍ୟନ୍ତ ଅଇଁଠାପାଲି ସ୍ଥିତ ବୀର ବିର୍ସା ମୁଣ୍ଡା ମଇଦାନରେ ୧୦ ଦିନ ବ୍ୟାପୀ ଅନୁଷ୍ଠିତ ହେବାକୁ ଥିବା ରାମଲୀଳା ଏବଂ ଅକ୍ଟୋବର ୦୨ ତାରିଖରେ ରାବଣ ଦହନ କାର୍ଯ୍ୟକ୍ରମ ପାଇଁ ଆଜି ପୂର୍ବାହ୍ନ ୧୦ଟା ୦୫ ମିନିଟରେ “ଶ୍ରୀ ରାମ ବିଜୟା ଦଶମୀ ମହୋତ୍ସବ ସମିତି” ପକ୍ଷରୁ ବୈଦିକ ପରମ୍ପରା ଅନୁସାରେ ଭୂମି ପୂଜନ ନୀତି ସମ୍ପନ୍ନ ହୋଇଯାଇଛି। ଏହି ପବିତ୍ର କାର୍ଯ୍ୟକ୍ରମରେ ପଣ୍ଡିତ ସୁରେନ୍ଦ୍ର କୁମାର ତ୍ରିପାଠୀ ଓ ସମିତିର ଉପଦେଷ୍ଟା ପଣ୍ଡିତ ଅମରନାଥ ମିଶ୍ର ସମସ୍ତ ପୂଜାବିଧି ସମ୍ପାଦନ କରିଥିଲେ। ଭୂମିପୂଜନ ସମାରୋହରେ ସମିତିର ସଭାପତି ଗିରିଶ ପଟେଲ କର୍ତ୍ତା ଭାବେ ଦାୟିତ୍ଵ ତୁଳାଇଥିଲେ। ଅତିଥି ମାନଙ୍କ ମଧ୍ୟରେ ରାଜ୍ୟ ମହିଳା କମିଶନର ସଦସ୍ୟା ମୁକ୍ତା ସାହୁ, ସମିତିର ଉପଦେଷ୍ଟା ମଣ୍ଡଳୀ ସଦସ୍ୟ ସତ୍ୟନାରାୟଣ ପଣ୍ଡା, ପ୍ରଦୀପ କୁମାର ବହିଦାର, ସୀମାଞ୍ଚଳ ଖଟେଇ, କାର୍ତ୍ତିକ ବହିଦାର, ପ୍ରଭାତ ବିଶ୍ଵାଳ, ଦେବରାଜ ଭୂମିଜ୍, ପ୍ରସନ୍ନ ପଣ୍ଡା, ଅମୂଲ୍ୟ ମିଶ୍ର, କାର୍ଯ୍ୟକାରୀ ସଭାପତି ଶିବକୁମାର ଅଗ୍ରୱାଲ, ସାଧାରଣ ସମ୍ପାଦକ ଗିରିଜା ସାହୁ, କୋଷାଧ୍ୟକ୍ଷ ରାଜେଶ ଅଗ୍ରୱାଲ, ମିଡ଼ିଆ ପ୍ରଭାରୀ ଦେବାଶିଷ ପୁରୋହିତ ପ୍ରମୁଖ ଉପସ୍ଥିତ ଥିଲେ। ସମିତି ପକ୍ଷରୁ ଏହି ଧାର୍ମିକ ଓ ସାଂସ୍କୃତିକ ଉତ୍ସବକୁ ସଫଳ କରିବା ପାଇଁ ହନୁମାନଙ୍କ ସୁମରଣ ପୂର୍ବକ ପ୍ରାର୍ଥନା କରି କାର୍ଯ୍ୟକ୍ରମ ସ୍ଥଳୀରେ 'ହନୁମାନ ଧ୍ଵଜା' ସ୍ଥାପନା କରା ଯାଇଥିଲା। ପୂଜା ବିଧି ପୂର୍ବକ ସମ୍ପାଦନ ହେବା ପରେ ପ୍ରସାଦ ବଣ୍ଟନ କରା ଯାଇଥିଲା। ଏହି କାର୍ଯ୍ୟକ୍ରମ ସମିତିର ମୁଖ୍ୟ ସଂଯୋଜକ ଶ୍ରୀ ଘଡାଇଙ୍କ ତତ୍ତ୍ଵାବଧାନରେ ଓ ବବଲୁ ଶର୍ମା, ପ୍ରସନ୍ନ ପଣ୍ଡା, ପ୍ରଥମ ପଣ୍ଡା, ଜୟଜୀତ ସାହୁ, ଅନନ୍ତ ଗିରି, ଅନୁପ ବହୁଗୁଣା, ଓମ୍ କର, ପୱନ୍ ଅଗ୍ରୱାଲ, ରାଜା ବରାଡ ପ୍ରମୁଖଙ୍କ ସହଯୋଗରେ ଅନୁଷ୍ଠିତ ହୋଇଥିଲା।
---------------
ହିନ୍ଦୁସ୍ଥାନ ସମାଚାର / ଶୈଳେଶ