କେନ୍ଦୁଝର, ୨୦ ସେପ୍ଟେମ୍ବର(ହି.ସ.) – ଧରଣୀଧର ବିଶ୍ୱବିଦ୍ୟାଳୟ ଯୁବ ରେଡ଼କ୍ରସ ଜିଲ୍ଲା କାର୍ଯ୍ୟକାରିଣୀ ବୈଠକ ବିଶ୍ୱବିଦ୍ୟାଳୟ ରେଜିଷ୍ଟର ତଥା ଯୁବ ରେଡ଼କ୍ରସ ଚେୟାରମ୍ୟାନ ସୁଶ୍ରୀ ପ୍ରତିଭା ପୃଷ୍ଟିଙ୍କ ଅଧ୍ୟକ୍ଷତାରେ ବିଶ୍ୱବିଦ୍ୟାଳୟ ଆଇଡିପି ବିଲଡିଂ ହଲ୍ରେ ଅନୁଷ୍ଠିତ ହୋଇଯାଇଛି। ପ୍ରାରମ୍ଭରେ ମା’ ତାରିଣୀ ଓ ହେନେରୀ ଡୁନାଣ୍ଡଙ୍କ ତୈଳଚିତ୍ର ସମ୍ମୁଖରେ ପ୍ରଦୀପ ପ୍ରଜ୍ୱଳନ କରାଯିବା ପରେ ଜିଲ୍ଲା ଆବାହକ ସମ୍ପାଦକ ଡଃ ମମତା ମଞ୍ଜରୀ ପଣ୍ଡା ସ୍ୱାଗତ ଅଭିଭାଷଣ ଦେଇ ବୈଠକର ଆଭିମୁଖ୍ୟ ସମ୍ପର୍କରେ କହିଥିଲେ, ଜିଲ୍ଲା ଯୁବ ରେଡ଼କ୍ରସ ସଂଯୋଜକ ହିମାଂଶୁ ଶେଖର ସାହୁ ବାର୍ଷିକ ବିବରଣୀ ପାଠ କରି ଜିଲ୍ଲା ଯୁବ ରେଡ଼କ୍ରସ ବାହିନୀର ତ୍ୟାଗପୁତ କାର୍ଯ୍ୟର ଆଲୋକପାତ କରିଥିଲେ। ବରିଷ୍ଠ କାଉନସିଲର ସୁରେଶ କୁମାର ଆଚାର୍ଯ୍ୟ ରେଡ଼କ୍ରସ ଆଭିମୁଖ୍ୟ ସମ୍ପର୍କରେ କହିଥିଲେ, ଜିଲ୍ଲା ରେଡ଼କ୍ରସ ଯୁଗ୍ମ ସମ୍ପାଦକ ଶ୍ରୀ ଏଆର୍ ଖାନ ନିଜ ବକ୍ତବ୍ୟରେ ଆହ୍ୱାନ ଦେଇ କହିଲେ ଯେ ଯୁବ ରେଡ଼କ୍ରସ ନିଜର ସେବା ପରିସୀମାକୁ ଆହୁରି ବ୍ୟାପକ କରି ଜିଲ୍ଲାର ପ୍ରତିଟି କୋଣ ଅନୁକୋଣରେ ନିଜର ଉପସ୍ଥିତି ଜାହିର କରି ଯେ କୌଣସି ବିପର୍ଯ୍ୟୟରେ ସକ୍ରିୟ ରହି ସହାୟତା ଯୋଗାଇ ଦେବାକୁ ପ୍ରସ୍ତୁତ ରହିବା ସହିତ ଜିଲ୍ଲା କାର୍ଯ୍ୟାଳୟ ପକ୍ଷରୁ ଦିଆଯିବାକୁ ଥିବା ନିୟମିତ ତାଲିମ ଶିବିରରୁ ତାଲିମ ନେଇ ନିଜକୁ ଦକ୍ଷ ସ୍ୱେଛାସେବୀ ଭାବେ ପ୍ରତିପାଦନ କରିବା ଉଚିତ। ଏହାଦ୍ୱାରା ମାନବ କଲ୍ୟାଣ ସାଧୁତ ହୋଇପାରିବ, ମୁଖ୍ୟ ଅତିଥି ବିଶ୍ୱବିଦ୍ୟାଳୟ ପିଜି କାଉନସିଲ ଚେୟାରମ୍ୟାନ ଡଃ ପ୍ରଭୁପ୍ରସାଦ ଦାଶ ସମସ୍ତ କାଉନସିଲରମାନଙ୍କୁ କହିଲେ ଯେ ଦକ୍ଷ ଏବଂ ବ୍ୟାପକ ଯୁବ ସ୍ୱେଛାସେବୀ ଗଠନ ରେ କାଉନସିଲରମାନଙ୍କ ଯଥେଷ୍ଟ ଅବଦାନ ରହିବା ଉଚିତ ଏହାଦ୍ୱାରା ଯୁବକମାନଙ୍କ ମଧ୍ୟରେ ସେବା ଭାବନା ଉର୍ଦ୍ଧ୍ୱମୁଖୀ ହୋଇ ଜଗତ କଲ୍ୟାଣ ହୋଇପାରିବ। କାଉନସିଲର ଶୁକଦେବ ତିରିଆ ସମଗ୍ର ବୈଠକକୁ ସୁଚାରୁ ଭାବେ ସଂଚାଳନ କରିଥିଲେ। ଯୁବ ରେଡ଼କ୍ରସ କାଉନସିଲର ମନୀଷ ନନ୍ଦ ସମସ୍ତଙ୍କୁ ଧନ୍ୟବାଦ ଅର୍ପଣ କରିଥିଲେ। ବିଶ୍ୱ ବିଦ୍ୟାଳୟ ସିଓଏଫ୍ ଜ୍ୟୋତିର୍ମୟ ମହାପାତ୍ର ଉପସ୍ଥିତ ରହି ସମସ୍ତଙ୍କୁ ଉତ୍ସାହିତ କରିଥିଲେ।
ହିନ୍ଦୁସ୍ଥାନ ସମାଚାର/ସନ୍ତୋଷ/ବୀଣାପାଣି
.......................................
ହିନ୍ଦୁସ୍ଥାନ ସମାଚାର / SANTOSH KUMAR MOHAPATRA