ଭୁବନେଶ୍ଵର, ୨୦ ସେପ୍ଟେମ୍ବର (ହି.ସ) - ବହୁ ପ୍ରତିକ୍ଷିତ କୋଣାର୍କ – ଭୁବନେଶ୍ୱର ରେଳପଥକୁ ନିକଟରେ ରେଳ ମନ୍ତ୍ରାଳୟ ପକ୍ଷରୁ ମଞ୍ଜୁର ମିଳିଛି । ଏହି ଉପଲବ୍ଧି ପାଇଁ ମାନ୍ୟବର ଉପମୁଖ୍ୟମନ୍ତ୍ରୀ ଶ୍ରୀମତୀ ପ୍ରଭାତୀ ପରିଡା ଚିଠି ମାଧ୍ୟମରେ କେନ୍ଦ୍ର ରେଳ ମନ୍ତ୍ରୀ ଶ୍ରୀ ଅଶ୍ଵିନୀ ବୈଷ୍ଣବକୁ ଧନ୍ୟବାଦ ଜ୍ଞାପନ କରିବା ସହିତ ଏହି ରେଳ ପଥକୁ ନିମାପଡା ଓ ଗୋପ ଦ୍ଵାରା ସଂଯୁକ୍ତ କରିବା ପାଇଁ ଅନୁରୋଧ କରିଥିଲେ । ଏହା ଦ୍ୱାରା ନିମାପଡା ଓ ଗୋପ ଅଞ୍ଚଳରେ ପର୍ଯ୍ୟଟନସ୍ଥଳୀର ବିକାଶ ହେବା ସହ ଆଞ୍ଚଳିକ ପରିବହନ ଓ ଯୋଗାଯୋଗ ମଧ୍ୟ ସୁଗମ ହୋଇପାରିବ ଉପମୁଖ୍ୟମନ୍ତ୍ରୀ ଶ୍ରୀମତୀ ପରିଡା ଚିଠିରେ ଉଲ୍ଲେଖ କରିଥିଲେ।
ଏହି ଚିଠିର ଉତ୍ତର ଦେଇ ରେଳ ମନ୍ତ୍ରାଳୟ ଏହି ପ୍ରସ୍ତାବକୁ ଗ୍ରହଣ କରିବା ସହ କୋଣାର୍କ ଭୁବନେଶ୍ୱର ରେଳପଥର ଡିଟେଲଡ଼ ପ୍ରୋଜେକ୍ଟ ରିପୋର୍ଟ ପାଇଁ ଗୋପ ଓ ନିମାପଡାରେ ଫାଇନାଲ ଲୋକେଶନ ସର୍ଭେ ପାଇଁ ମଞ୍ଜୁରୀ ଦେଇଛନ୍ତି ।ଏହି ମଞ୍ଜୁରୀ ପାଇଁ ଉପମୁଖ୍ୟମନ୍ତ୍ରୀ ଶ୍ରୀମତୀ ପରିଡା, କେନ୍ଦ୍ର ରେଳ ମନ୍ତ୍ରୀ ଶ୍ରୀ ଅଶ୍ୱିନୀ ବୈଷ୍ଣବ ଙ୍କୁ ଅନେକ ଅନେକ କୃତଜ୍ଞତା ଜ୍ଞାପନ କରିଛନ୍ତି।
---------------
ହିନ୍ଦୁସ୍ଥାନ ସମାଚାର / ବନ୍ଦନା