ଭୁବନେଶ୍ୱର,୨୨ ସେପ୍ଟେମ୍ବର (ହି.ସ.) - ଗୁଟଖା, ତମାଖୁ, ସିଗାରେଟ, ପାନମସଲା ଆଦିରୁ ରାଜ୍ୟ ସରକାର ଗତ ୧୦ବର୍ଷ ମଧ୍ୟରେ ଭାଟ ଓ ଜିଏସଟି ବାବଦରେ ୬୭୫୦ କୋଟି ଟଙ୍କାର ଅଧିକ ଅର୍ଥ ପାଇଲେଣି । ୨୦୨୪-୨୫ ବର୍ଷରେ ଏହିସବୁ ସାମଗ୍ରୀରୁ ରେକର୍ଡ ପରିମାଣର ୧୨୩୪ କୋଟି ଟଙ୍କା ଆଦାୟ ହୋଇଛି । ଗୁଟଖା, ତମାଖୁ ଆଦି ଉପରୁ ରାଜ୍ୟ ସରକାର ଆଦାୟ କରୁଥିବା ଟିକସ ସଂକ୍ରାନ୍ତରେ ବିଜେପି ବିଧାୟକ ଟଙ୍କଧର ତ୍ରିପାଠୀ ପଚାରିଥିବା ପ୍ରଶ୍ନର ଉତ୍ତରରେ ଏହି ସୂଚନା ଦେଇଛନ୍ତି ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝି । ମୁଖ୍ୟମନ୍ତ୍ରୀଙ୍କ ସୂଚନା ଅନୁଯାୟୀ୨୦୧୮-୧୯ରୁ ନିୟମିତ ଭାବେ ଗୁଟଖା ତମାଖୁ ଆଦିରୁ ଆଦାୟ ଟିକସ ପରିମାଣ ବଢି ବଢି ଚାଲିଛି । ୨୦୧୮-୧୯ ବର୍ଷରେ ଏହି ସାମଗ୍ରୀରୁ ୪୮୦ କୋଟି ଟଙ୍କାର ଟିକସ ଆଦାୟ ହୋଇଥିବାବେଳେ ୨୦୨୩-୨୪ରେ ଏହା ୧୦୧୨ କୋଟି ଟଙ୍କାକୁ ଟପିଯାଇଥିଲା । ଗତ ଆର୍ଥିକ ବର୍ଷରେ ଏହା ୧୨୩୪.୮୮ କୋଟି ଟଙ୍କାରେ ପହଂଚିଛି ।
ତେବେ ଗୁଟଖା, ତମାଖୁ, ସିଗାରେଟ ଓ ପାନମସଲା ଆଦିର ଉତ୍ପାଦନ, ମହଜୁଦ, ବିପ୍ପଣନ ଓ ବିକ୍ରି ଉପରେ କଟକଣା ବାବଦୀୟ ତଥ୍ୟ ଅର୍ଥ ବିଭାଗ ନିକଟରେ ନଥିବା ମୁଖ୍ୟମନ୍ତ୍ରୀ ତାଙ୍କ ଉତରରେ ଉଲ୍ଲେଖ କରିଛନ୍ତି ।
---------------
ହିନ୍ଦୁସ୍ଥାନ ସମାଚାର / ବନ୍ଦନା