ଭୁବନେଶ୍ୱର,୨୨ ସେପ୍ଟେମ୍ବର (ହି.ସ.) - ଚଳିତ ଆର୍ଥିକ ବର୍ଷ ଶେଷ ସୁଦ୍ଧା ରାଜ୍ୟର ଋଣ ଭାରତ ୧ଲକ୍ଷ ୩୪ହଜାର କୋଟି ଟଙ୍କାକୁ ଟପିଯିବ । ବିଜେପି ବିଧାୟକ ଟଙ୍କଧର ତ୍ରିପାଠୀଙ୍କ ଏକ ପ୍ରଶ୍ନର ଉତରରେ ଏହି ସୂଚନା ଦେଇଛନ୍ତି ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝି । ମୁଖ୍ୟମନ୍ତ୍ରୀ ତାଙ୍କ ଉତରରେ ଦର୍ଶାଇଛନ୍ତି ଯେ ୨୦୧୩-୧୪ ବର୍ଷ ଶେଷ ସୁଦ୍ଧା ରାଜ୍ୟର ଋଣଭାର ୩୮,୬୬୬ କୋଟି ୨୪ଲକ୍ଷ ଟଙ୍କା ଥିବାବେଳେ ୨୦୨୩-୨୪ ଆର୍ଥିକ ବର୍ଷ ଶେଷସୁଦ୍ଧା ଏହା ୯୬,୩୧୦ କୋଟି ୪୦ଲକ୍ଷ ଟଙ୍କାରେ ପହଂଚିଥିଲା । ଚଳିତ ଆର୍ଥିକ ବର୍ଷ ଅର୍ଥାତ ୨୦୨୫-୨୬ ଶେଷ ସୁଦ୍ଧା ରାଜ୍ୟର ଋଣଭାର ୧,୩୪,୯୧୩ କୋଟି ୮୪ଲକ୍ଷ ଟଙ୍କା ହେବ ବୋଲି ଆକଳନ କରାଯାଇଛି ।
ତେବେ ଋଣ ପରିମାଣ ହ୍ରାସ କରିବାପାଇଁ ସରକାର ଗ୍ରହଣ କରୁଥିବା ପଦକ୍ଷେପ ମଧ୍ୟରେ ରାଜସ୍ୱ ବଳକା ସୃଷ୍ଟିକରି ଋଣ ଉପରେ ଥିବା ନିର୍ଭରଶୀଳତାକୁ ହ୍ରାସ କରିଛନ୍ତି । ଜାତୀୟ ସ୍ୱଳ୍ପ ସଂଚୟ ପାଣ୍ଠିରୁ ସରକାର ଆଉ କୌଣସି ଋଣ ଆଣୁ ନାହାନ୍ତି । ୫୦ବର୍ଷର ସୁଧବିହୀନ ଋଣକୁ ପ୍ରାଥମିକତା ଦେଇ ବିଭିନ୍ନ ବିଭାଗରେ ସଂସ୍କାର ଅଣାଯାଇଛି । ଏହି ପଦକ୍ଷେପରୁ ରାଜ୍ୟର ସୁଧଦେୟର ଭାର ହ୍ରାସ ପାଉଛି ।
---------------
ହିନ୍ଦୁସ୍ଥାନ ସମାଚାର / ବନ୍ଦନା