ଛାତ୍ର ସଂସଦ ନିର୍ବାଚନ ପ୍ରସଙ୍ଗ ଛାତ୍ରଛାତ୍ରୀଙ୍କ ଆକ୍ରୋଶକୁ ସମ୍ମୁଖୀନ ହେବା ପାଇଁ
ଡରୁଛନ୍ତି ସରକାର: ବିଜୁ ଛାତ୍ର ଜନତା ଦଳ
Bhubaneswar, 22 ସେପ୍ଟେମ୍ବର (ହି.ସ.) -ଏବିଭିପି ଓ ବିଜେପି ଯୁବମୋର୍ଚ୍ଚା ମଧ୍ୟରେ ଅନ୍ତଃକନ୍ଦଳ ପାଇଁ ସମସ୍ତ କ୍ୟାମ୍ପସ ଅଶାନ୍ତ -କ୍ୟାମ୍ପସ ସୁରକ୍ଷାକୁ ନେଇ ବିଜୁ ଛାତ୍ର ଜନତା ଦଳର ଲଢ଼େଇ ଜାରି ରହିବ -ସରକାରଙ୍କ ସତସାହସ ଥିଲେ ତୁରନ୍ତ ଛାତ୍ର ସଂସଦ ନିର୍ବାଚନ ବିଜ୍ଞପ୍ତି ପ୍ରକାଶ କରନ୍ତୁ ବ
ଛାତ୍ର ସଂସଦ ନିର୍ବାଚନ ପ୍ରସଙ୍ଗ ଛାତ୍ରଛାତ୍ରୀଙ୍କ ଆକ୍ରୋଶକୁ ସମ୍ମୁଖୀନ ହେବା ପାଇଁ
ଡରୁଛନ୍ତି ସରକାର: ବିଜୁ ଛାତ୍ର ଜନତା ଦଳ


Bhubaneswar, 22 ସେପ୍ଟେମ୍ବର (ହି.ସ.)

-ଏବିଭିପି ଓ ବିଜେପି ଯୁବମୋର୍ଚ୍ଚା ମଧ୍ୟରେ ଅନ୍ତଃକନ୍ଦଳ ପାଇଁ ସମସ୍ତ କ୍ୟାମ୍ପସ ଅଶାନ୍ତ

-କ୍ୟାମ୍ପସ ସୁରକ୍ଷାକୁ ନେଇ ବିଜୁ ଛାତ୍ର ଜନତା ଦଳର ଲଢ଼େଇ ଜାରି ରହିବ

-ସରକାରଙ୍କ ସତସାହସ ଥିଲେ ତୁରନ୍ତ ଛାତ୍ର ସଂସଦ ନିର୍ବାଚନ ବିଜ୍ଞପ୍ତି ପ୍ରକାଶ କରନ୍ତୁ

ବିଜେପି ସରକାରକୁ ଆସିବାର ୧୫ ମାସ ବିତିଯାଇଥିଲେ ମଧ୍ୟ ଛାତ୍ର ସଂସଦ ନିର୍ବାଚନ ନ କରିବା ଯୋଗୁଁ ଛାତ୍ରଛାତ୍ରୀଙ୍କ ମନରେ ଆକ୍ରୋଶ ସୃଷ୍ଟି ହୋଇଛି । ଏବିଭିପି ଓ ବିଜେପି ଯୁବମୋର୍ଚ୍ଚା ମଧ୍ୟରେ ଥିବା ଅନ୍ତଃକନ୍ଦଳ ଲାଗି କଲେଜ କ୍ୟାମ୍ପସ ଅଶାନ୍ତ ହୋଇଛି ବୋଲି ଅଭିଯୋଗ କରିଛି ବିଜୁ ଛାତ୍ର ଜନତା ଦଳ ।

ଆଜି ଶଙ୍ଖ ଭବନରେ ଆୟୋଜିତ ସାମ୍ବାଦିକ ସମ୍ମିଳନୀରେ ବିଜୁ ଛାତ୍ର ଜନତା ଦଳ ସଭାନେତ୍ରୀ ଇପ୍ସୀତା ସାହୁ କହିଥିଲେ ଯେ, ଚଳିତ ବିଧାନସଭାରେ ସରକାର ଦେଇଥିବା ତଥ୍ୟ ଅନୁଯାୟୀ, ରାଜ୍ୟର ୧୭ଟି ବିଶ୍ୱବିଦ୍ୟାଳୟରେ ୧୯ ଜଣ ଛାତ୍ରୀ ଯୌନ ଓ ମାନସିକ ନିର୍ଯାତନାର ଶିକାର ହୋଇଛନ୍ତି । ଏଫଏମ କଲେଜ ଛାତ୍ରୀ ସୌମ୍ୟାଶ୍ରୀଠୁ ଆରମ୍ଭ କରି ବଳଙ୍ଗା, ପଟ୍ଟାମୁଣ୍ଡାଇ, ମାହାଙ୍ଗା, ଗୋପାଳପୁର ଓ ବାଲିହରଚଣ୍ଡୀ ଘଟଣା ଦର୍ଶାଉଛି ଯେ ଏହି ସରକାରରେ ଛାତ୍ରୀମାନେ କିଭଳି ଅସୁରକ୍ଷିତ । ଗତ ୧୫ ମାସରେ ୨୨ ଜଣ ଛାତ୍ରୀ ଆତ୍ମହତ୍ୟା କରିବା ବିଜେପି ସରକାରର ଲଜ୍ଜାଜନକ ଉପଲବ୍ଧି । ଗୋଟିଏ ପଟେ ସରକାର ମଦମୁକ୍ତ ଓଡ଼ିଶା ପାଇଁ ଛାତ୍ରଛାତ୍ରୀ ମାନଙ୍କୁ ନେଇ ମାରାଥନ ଆୟୋଜନ କରୁଥିବା ବେଳେ, ଅନ୍ୟ ପଟେ ୭୦ଟି ବନ୍ଦ କରାଯାଇଥିବା ମଦ ଦୋକାନ ଖୋଲିବା ପାଇଁ ନିଷ୍ପତ୍ତି ନେଇଛନ୍ତି, ଯାହା ସରକାରଙ୍କ ଦୋମୁହାଁ ନୀତିକୁ ପଦାରେ ପକାଇଛି । କଲେଜ କ୍ୟାମ୍ପସରେ ଶୈକ୍ଷିକ ବାତାବରଣ ଭୁଶୁଡ଼ି ପଡ଼ିଛି । କ୍ୟାମ୍ପସରେ ଛାତ୍ରଛାତ୍ରୀଙ୍କ ସମସ୍ୟା ବୁଝିବା ପାଇଁ କେହି ନାହିଁ । ଛାତ୍ରଛାତ୍ରୀ ଓ ଅଧ୍ୟାପକଙ୍କ ମଧ୍ୟରେ ସମନ୍ୱୟର ଘୋର ଅଭାବ ପରିଲକ୍ଷିତ ହେଉଛି । ଏଥିରୁ ଅନୁଭବ ହେଉଛି ଉଚ୍ଚଶିକ୍ଷା ବିଭାଗ ଆଜି ମୁରବୀ ଶୂନ୍ୟ ହୋଇପଡ଼ିଛି ।

ଇପ୍ସୀତା ସାହୁ ଆହୁରି କହିଥିଲେ ଯେ, ପୂର୍ବତନ ମୁଖ୍ୟମନ୍ତ୍ରୀ ଶ୍ରୀ ନବୀନ ପଟ୍ଟନାୟକ ଛାତ୍ରଛାତ୍ରୀ ମାନଙ୍କ ପାଇଁ ନୂଆ-ଓ ସ୍କଲାରସିପ୍ ବ୍ୟବସ୍ଥା କରିଥିଲେ, ଯାହାଦ୍ୱାରା ସବୁ ଛାତ୍ରଛାତ୍ରୀ ମାନେ ଉପକୃତ ହୋଇପାରିଥିଲେ । ବର୍ତ୍ତମାନର ସରକାର ନାମ ଓ ରଙ୍ଗ ପରିବର୍ତ୍ତନ କରି ଅନେକ ଯୋଜନା କରୁଥିଲେ ମଧ୍ୟ ଛାତ୍ରଛାତ୍ରୀ ମାନେ ସ୍କଲାରସିପ୍ ପାଇବାରୁ ବଞ୍ଚିତ ହେଉଛନ୍ତି । ଛାତ୍ର ସଂସଦ ନିର୍ବାଚନ ପାଇଁ ସରକାର ସକାରାତ୍ମକ ଥିବା କଥା ଉଚ୍ଚଶିକ୍ଷା ମନ୍ତ୍ରୀ ବାରମ୍ବାର ମିଡିଆରେ କହୁଛନ୍ତି, କିନ୍ତୁ ବର୍ତ୍ତମାନ ସୁଦ୍ଧା ସରକାର ବିଜ୍ଞପ୍ତି ପ୍ରକାଶ କରିନାହାନ୍ତି । ଯଦି ସତ୍ସାହାସ ଅଛି, ସରକାର ଆଗାମୀ ଏକ ସପ୍ତାହ ମଧ୍ୟରେ ଛାତ୍ର ସଂସଦ ନିର୍ବାଚନ ବିଜ୍ଞପ୍ତି ପ୍ରକାଶ କରନ୍ତୁ ବୋଲି ଇପ୍ସୀତା ସାହୁ ଆହ୍ୱାନ ଦେଇଛନ୍ତି । ଆଗାମୀ ଦିନରେ ବିଜୁ ଛାତ୍ର ଜନତା ଦଳ ଏଫଏମ କଲେଜ ଛାତ୍ରୀ ସୌମ୍ୟାଶ୍ରୀଙ୍କ ଫଟୋ ଥିବା ଆଇକାର୍ଡ ପକାଇ ପ୍ରତ୍ୟେକ କ୍ୟାମ୍ପସରେ ଛାତ୍ରୀ ସୁରକ୍ଷା ପାଇଁ ରାଜରାସ୍ତାରେ ରାଜ୍ୟ ସରକାର ବିରୁଦ୍ଧରେ ଲଢ଼େଇ ଜାରି ରଖିବ ବୋଲି ଇପ୍ସୀତା ସାହୁ କହିଛନ୍ତି ।

---------------

ହିନ୍ଦୁସ୍ଥାନ ସମାଚାର / ରଶ୍ମିତା


 rajesh pande