ଜିଏସ୍ ଟି ହ୍ରାସ ପରେ କମିଲା ଓମ୍ଫେଡ୍ ଦୁଗ୍ଧଜାତ ଉତ୍ପାଦ ଦର
ଭୁବନେଶ୍ୱର, ୨୨ ସେପ୍ଟେମ୍ବର (ହି.ସ.) - ଶାରଦୀୟ ପୂଜା ଅବସରରେ କମିଲା ଓମ୍ଫେଡ୍ ଉତ୍ପାଦ ଦର। ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦିଙ୍କ ସରକାର ଜିଏସ୍ ଟି ହ୍ରାସ କରିବା ପରେ ଓମ୍ଫେଡ୍ ତା’ର ଅଗଣିତ ଗ୍ରାହକଙ୍କ ପାଇଁ ଉତ୍ପାଦ ଦର ହ୍ରାସ କରିଛି। ଏହା ଦ୍ୱାରା ରାଜ୍ୟ ଓ ରାଜ୍ୟ ବାହାରେ ଓମ୍ଫେଡ୍ ଉତ୍ପାଦ
ଜିଏସ୍ ଟି ହ୍ରାସ ପରେ କମିଲା ଓମ୍ଫେଡ୍ ଦୁଗ୍ଧଜାତ ଉତ୍ପାଦ ଦର


ଭୁବନେଶ୍ୱର, ୨୨ ସେପ୍ଟେମ୍ବର (ହି.ସ.) - ଶାରଦୀୟ ପୂଜା ଅବସରରେ କମିଲା ଓମ୍ଫେଡ୍ ଉତ୍ପାଦ ଦର। ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦିଙ୍କ ସରକାର ଜିଏସ୍ ଟି ହ୍ରାସ କରିବା ପରେ ଓମ୍ଫେଡ୍ ତା’ର ଅଗଣିତ ଗ୍ରାହକଙ୍କ ପାଇଁ ଉତ୍ପାଦ ଦର ହ୍ରାସ କରିଛି। ଏହା ଦ୍ୱାରା ରାଜ୍ୟ ଓ ରାଜ୍ୟ ବାହାରେ ଓମ୍ଫେଡ୍ ଉତ୍ପାଦ ବ୍ୟବହାର କରୁଥିବା ଲକ୍ଷ ଲକ୍ଷ ଗ୍ରାହକ ବେଶ ଉପକୃତ ହେବେ । ଗତ କିଛି ଦିନ ତଳେ କେନ୍ଦ୍ର ସରକାରଙ୍କ ପରିବର୍ତିତ ଜିଏସ୍ ଟି ଆଧାରରେ ଆସନ୍ତା ୨୨ ତାରିଖଠାରୁ ଏହି ନୂତନ ହ୍ରାସ ଦର ଲାଗୁ ହେବ ବୋଲି ଓମ୍ଫେଡ୍ ପକ୍ଷରୁ କୁହାଯାଇଛି । ଓମ୍ଫେଡ୍ ଦୁଗ୍ଧରେ ପୂର୍ବରୁ ଜିଏସ୍ ଟି ଲାଗୁ କରାଯାଉ ନଥିଲା କି ଏବେ ମଧ୍ୟ ଲାଗୁ ହୋଇନାହିଁ । ତେଣୁ ଦୁଗ୍ଧ ଦରରେ କୌଣସି ପରିବର୍ତନ ହୋଇ ନାହିଁ।

ଛେନା ଓ ପନିରରେ କେନ୍ଦ୍ର ସରକାର ୫ ପ୍ରତିଶତ ଜିଏସ୍ ଟି ହ୍ରାସ କରିଛନ୍ତି। ଫଳରେ ପନିର ଓ ଛେନା ଦର ହ୍ରାସ ପାଇଛି । ପନିର ୨୦୦ ଗ୍ରାମ୍ ଉପରେ ୫ ଟଙ୍କା ହ୍ରାସ ପାଇଥିବା ବେଳେ ୫୦୦ ଗ୍ରାମ ପ୍ୟାକରେ ୧୦ ଟଙ୍କା ହ୍ରାସ ହୋଇଛି । ପୂର୍ବରୁ ଘିଅରେ ୧୨ ପ୍ରତିଶତ ଜିଏସ୍ ଟି ଲାଗୁଥିଲା । ଏବେ ୭ ପ୍ରତିଶତ ହ୍ରାସ ପାଇ ତାହା ୫ ପ୍ରତିଶତ ହୋଇଛି । ଫଳରେ ସେହି ଆଧାରରେ ଘିଅ ଲିଟର ପିଛା ୪୫ ଟଙ୍କା ହ୍ରାସ ପାଇଛି । ପୂର୍ବରୁ ଘିଅ ଲିଟର (ଟିଣ ଡିବା) ୭୨୦ ଟଙ୍କା ଥିଲା । ଏବେ ତାହା ୬୭୫ ଟଙ୍କାକୁ ହ୍ରାସ ପାଇଛି । ସେହିପରି ୧୫ ଲିଟର ଟିଣ ଘିଅ ମୂଲ୍ୟ ପୂର୍ବରୁ ୮୧୫୨ ଟଙ୍କା ଥିଲା । ଏବେ ତାହା ୭୬୪୫ ଟଙ୍କାକୁ ହ୍ରାସ ପାଇଛି । ଅର୍ଥାତ୍ ଗୋଟିଏ ୧୫ ଲିଟର ଟିଣ ଘିଅରେ ୫୦୭ ଟଙ୍କା ହ୍ରାସ ପାଇଛି ।

ପୂର୍ବରୁ ବଟରରେ ୧୨ ପ୍ରତିଶତ ଜିଏସ୍ ଟି ଲାଗୁ ହେଉଥିଲା । ମାତ୍ର ଏବେ ସେଥିରେ ୫ ପ୍ରତିଶତ ଜିଏସ୍ ଟି ଲାଗିବ । ଫଳରେ ୧୦୦ ଗ୍ରାମ ବଟର ପ୍ୟାକ୍ ଏଣିକି ଗ୍ରାହକମାନେ ୬୦ ଟଙ୍କା ବଦଳରେ ୫୭ ଟଙ୍କାରେ ପାଇପାରିବେ ।

ଫ୍ଲେଭର ମିଲ୍କ ବା ସୁବାସିତ ଦୁଗ୍ଧ ଉପରେ ସରକାର ପୂର୍ବରୁ ୧୨ ପ୍ରତିଶତ ଜିଏସ୍ ଟି ନେଉଥିଲେ । ଏବେ ମୋଦି ସରକାର ତାହାକୁ ହ୍ରାସ କରି ୫ ପ୍ରତିଶତ କରିଛନ୍ତି । ଫଳରେ ପୂର୍ବରୁ ଯେଉଁ ଗ୍ରାହକମାନେ ୨୫ ଟଙ୍କାରେ ଖାଉଥିଲେ, ଏବେ ସେହି ସୁବାସିତ ଦୁଗ୍ଧ ବୋତଲ ବା ଫ୍ଲେବର ମିଲ୍କ ୨୩ ଟଙ୍କାରେ ଉପଲବ୍ଧ ହେବ ।

ପୂର୍ବରୁ ୟୁଏଚ୍ ଟି ଦୁଗ୍ଧରେ ୫ ପ୍ରତିଶତ ଜିଏସ୍ ଟି ଲାଗୁ ହେଉଥିଲା । ଏବେ କେନ୍ଦ୍ର ସରକାର ତାହାକୁ ସଂପୂର୍ଣ୍ଣ ଉଠାଇ ଦେଇଛନ୍ତି । ଫଳରେ ୟୁଏଚ୍ ଟି ଦୁଗ୍ଧ ଲିଟର ଦାମ ୭୦ ଟଙ୍କାରୁ ଖସି ୬୭ ଟଙ୍କା ହୋଇଛି ।

ସବୁ ପ୍ରକାର ଆଇସକ୍ରିମ ଉପରେ କେନ୍ଦ୍ର ସରକାର ପୂର୍ବରୁ ୧୮ ପ୍ରତିଶତ ଜିଏସ୍ ଟି ଲାଗୁ କରିଥିଲେ । ମାତ୍ର ଏବେ ଜିଏସ୍ ଟି ୫ ପ୍ରତିଶତକୁ ଖସାଇ ଦେଇଛନ୍ତି । ଫଳରେ ଆଇସକ୍ରିମ ଦର ମଧ୍ୟ ହ୍ରାସ ପାଇଛି । ତେବେ ୧୦ ଟଙ୍କିଆ, ୧୫ ଟଙ୍କିଆ, ୨୦ ଟଙ୍କିଆ ଓ ୩୦ ଟଙ୍କିଆ ଆଇସକ୍ରିମରେ ଦରସ୍ଥିର ରଖିଛି ଓମ୍ଫେଡ୍ । ତା’ ବଦଳରେ ଆଇସକ୍ରିମ ପରିମାଣ ବୃଦ୍ଧି କରିଛି । ଏଣିକି ଓମ୍ଫେଡ୍ ଆଇସକ୍ରିମ ଗ୍ରାହକ ୧୦ ଟଙ୍କିଆ, ୧୫ ଟଙ୍କିଆ, ୨୦ ଟଙ୍କିଆ ଓ ୩୦ ଟଙ୍କିଆ ଆଇସକ୍ରିରେ ଏଣିକି ୧୦ ପ୍ରତିଶତକୁ ଅଧିକ ପରିମାଣର ଆଇସକ୍ରିମ୍ ପାଇବେ ।

ପାର୍ବଣ ଋତୁରେ ଓମ୍ଫେଡର ଏହି ନୂତନ ହ୍ରାସ ଦର ଗ୍ରାହକଙ୍କ ମଧ୍ୟରେ ବେଶ ଆନନ୍ଦ ସୃଷ୍ଟି କରିଛି । ପୂର୍ବରୁ ରାଜ୍ୟ ସରକାର ଓମ୍ଫେଡ୍ ଦୁଗ୍ଧ ଚାଷୀଙ୍କୁ ଲିଟର ପିଛା ୩ ଟଙ୍କା ଲେଖାଏଁ ବୃଦ୍ଧି କରିଥିଲେ । ଏବେ ଖାଉଟିମାନଙ୍କ ପାଇଁ ଓମ୍ଫେଡ୍ ଉତ୍ପାଦ ଦର ହ୍ରାସ ହୋଇଛି । ଏହା ଦ୍ୱାରା ଉଭୟ ଦୁଗ୍ଧ ଚାଷୀ ଓ ଖାଉଟି ଲାଭବାନ ହୋଇଛନ୍ତି । ଏଥିପାଇଁ କେନ୍ଦ୍ର ଓ ରାଜ୍ୟ ସରକାରଙ୍କକୁ ଉଭୟ ଚାଷୀ ଓ ଗ୍ରାହକମାନଙ୍କ ପକ୍ଷରୁ ଧନ୍ୟବାଦ ଦେଇଛନ୍ତି ଓମ୍ଫେଡ୍ ପରିଚାଳନା ନିର୍ଦେଶକ ଶ୍ରୀ ବିଜୟ ଅମୃତା କୁଲାଙ୍ଗେ ।

ଏଠାରେ ଆମେ ସୂଚାଇ ଦେବାକୁ ଚାହୁଁ ଯେ, ଓମ୍ଫେଡର କୌଣସି ଉତ୍ପାଦରେ ଯଦି ପୁରୁଣା ଦାମ ପ୍ରିଣ୍ଟ ଥାଏ, ତେବେ ଗ୍ରାହକମାନେ ଏଣିକି ପୁରୁଣା ବଦଳରେ ନୂତନ ହ୍ରାସ ଦର ଦେଇ ଓମ୍ଫେଡ୍ ଉତ୍ପାଦ କ୍ରୟ କରିବେ ।

---------------

ହିନ୍ଦୁସ୍ଥାନ ସମାଚାର / ବନ୍ଦନା


 rajesh pande