କେନ୍ଦୁଝର, ୨୨ ସେପ୍ଟେମ୍ବର (ହି.ସ.) - ଅଚାନକ ଭାବେ ଶତାଧିକ ପୋଲିସ ପ୍ରସ୍ତାବିତ ଜିନ୍ଦଲ-ପୋସ୍କୋ ଚିହ୍ନଟ କରିଥିବା ୧୮ ଟି ଗ୍ରାମ ମଧ୍ୟରୁ କୋଡ଼ଖମଣ ଗ୍ରାମରେ ପ୍ରବେଶ କରି ବିନା କାରଣରେ ସୁବାସିନୀ ମହାନ୍ତଙ୍କୁ ଯେଉଁଭଳି ଜୋରଜବରଦସ୍ତି ଟାଣି ଆଣିବାସହ ଅଶ୍ଳୀଳ ବ୍ୟବହାର କରି ଗାଡ଼ିରେ ବସାଇବା ଓ ମହିଳା ମାନେ ଘେରାଉ କଲା ପରେ ଛାଡ଼ିଦେବା ଘଟଣାକୁ ପ୍ରତିରୋଧ ମଂଚ ପକ୍ଷରୁ ଦୃଢ଼ଭାବେ ନିନ୍ଦା କରାଯାଇଛି। ଏଥିସହିତ ଜିନ୍ଦଲ-ପୋସ୍କୋ ଷ୍ଟିଲ ପ୍ଲାଂଟ ପାଇଁ ଚିହ୍ନଟ କରାଯାଇ ଥିବା ୧୮ ଟି ଗ୍ରାମରେ ଜଣେ ହେଲେ ସପକ୍ଷ ବାଦି ନଥିବା ବେଳେ ସପକ୍ଷ ବିପକ୍ଷ ଆଳରେ ପୋଲିସ ଗାଁ ଗାଁ ରେ ଫ୍ଲାଗମାର୍ଚ୍ଚ କରି ନିରୀହ ନିରସ୍ତ୍ର ଲୋକଙ୍କୁ ତହସିଲ ଦାରଙ୍କ ଉପସ୍ଥିତିରେ ଭୟଭୀତ କରିବା ଓ ମଦ ମାଂସ ଖୁଆଇ ଲୋକଙ୍କୁ ଗ୍ରାମ ସଭା କରାଇବା ପାଇଁ ପ୍ରଲୋଭିତ କରିବା କାର୍ଯ୍ୟକୁ ମଧ୍ୟ ମଂଚ ନିନ୍ଦା କରିଛି।
ଏଠାରେ ସୂଚନା ଦିଆଯାଇ ପାରେ ଯେ ଭିଟା ମାଟି ଓ ଚାଷଜମି କୌଣସି ପରିସ୍ଥିତିରେ ଆମ୍ଭେ ଦେବୁ ନାହିଁ ବୋଲି ଦସ୍ତଖତ ସହ ଜିଲ୍ଲାପାଳ ଓ ତହସିଲଦାରଙ୍କୁ ପ୍ରତ୍ୟେକ ଗ୍ରାମରୁ ଦେବା ସତ୍ୱେ ଲୋକଙ୍କୁ ଭୟଭିତ କରାଇ ବଳପୂର୍ବକ ଜମି ଅଧିଗ୍ରହଣ କରିବା ପାଇଁ ଯେଉଁଭଳିଭାବେ ପ୍ରୟାସ କରା ଯାଉଛି, ସେଥିରୁ ବିଜେପି ସରକାରଙ୍କ ଜନ ବିରୋଧି କାର୍ଯ୍ୟ ସ୍ପଷ୍ଟ ଭାବେ ପ୍ରକାଶ ପାଉଛି। ସରକାର, ଜିଲ୍ଲା ପ୍ରଶାସନ ଓ ପୋଲିସ ପ୍ରଶାସନ ଏତାଦୃଶ କାର୍ଯ୍ୟରୁ ନିବୃତ ନରହିଲେ ଆଗାମୀ ଦିନରେ ଅପ୍ରୀତିକର ପରିସ୍ଥିତି ପାଇଁ ସରକାର ଦାୟୀ ରହିବେ ବୋଲି ମଂଚ ତରଫରୁ ଚେତାବନୀ ଦିଆଯାଇଛି।
ହିନ୍ଦୁସ୍ଥାନ ସମାଚାର / SANTOSH KUMAR MOHAPATRA