ମାଲକାନଗିରି, ୨୨ ସେପ୍ଟେମ୍ବର (ହି.ସ.)
ମାଲକାନଗିରି ଜିଲ୍ଲା ମୋଟୁ ତହସିଲ ଅନ୍ତର୍ଗତ ପେଟା ଗ୍ରାମ ନିକଟରେ ଥିବା ଦୁଇ ଗୋଟି ଗ୍ରାନାଇଟ୍ ଭିଜି ଗ୍ରାନାଇଟ୍ ଏବଂ ଜାମ୍ବୁ ଗ୍ରାନାଇଟ୍ କମ୍ପାନୀ ରାସ୍ତାର କ୍ଷମତା ଠାରୁ ଅଧିକ ଓଜନ ର ଗ୍ରାନାଇଟ୍ ପଥର ପରିବହନ କରୁଥିବା ଯୋଗୁଁ ପୁସୁଗୁଡା ଛକ ଠାରୁ ମାଲକାନଗିରି ଜିଲ୍ଲା ସୀମାନ୍ତ ମୋଟୁ ପର୍ଯ୍ୟନ୍ତ ୩୨୬ ନମ୍ବର ଜାତୀୟ ରାଜପଥର ଅବସ୍ଥା ଶୋଚନୀୟ ହୋଇପଡିଥିବା ଅଭିଯୋଗ ହୋଇଛି । ସୂଚନା ମୁତାବକ ପେଟା ଗ୍ରାମ ନିକଟସ୍ଥ ଗ୍ରାନାଇଟ୍ ଖଣିରୁ ପଥର ଖନନ କରି ତେଲେଙ୍ଗାନାର ଖାମାମ ପ୍ରୋସେସିଙ୍ଗ ୟୁନିଟକୁ ପଠାଯାଉଛି । ଦୁଇ ଗ୍ରାନାଇଟ୍ ଖଣିର ପଥର ପରିବହନରେ ୩୦ ରୁ ଉର୍ଦ୍ଧ୍ବ ଟ୍ରଲର ଗାଡ଼ିକୁ ନିୟୋଜିତ କରାଯାଇଛି । ଏହି ଟ୍ରଲର ଗୁଡ଼ିକ ଖଣି ସ୍ଥଳରୁ ଆରଡି ଏବଂ ପିବ୍ଲୁଡି ରାସ୍ତା ଦେଇ ଆସିବା ପରେ ୩୨୬ ନମ୍ବର ଜାତୀୟ ରାଜପଥ ମୋଟୁ ସୀମାନ୍ତ ଦେଇ ଆନ୍ଧ୍ରକୁ ପ୍ରବେଶ କରୁଛି । ସୂଚନା ଅନୁଯାୟୀ ଆରଡି ରାସ୍ତା ୧୦ ରୁ ୨୦ ଟନ୍, ପୂର୍ତ୍ତ ବିଭାଗ ରା ସ୍ତା ୩୦ ରୁ ୪୦ ଟନ୍ ଏଵଂ ୩୨୬ ଜାତୀୟ ରାଜପଥ ୪୦ ରୁ ୬୦ ଟନ୍ ପର୍ଯ୍ୟନ୍ତ ବୋଝ ସମ୍ଭାଳିବାର କ୍ଷମତା ରହିଛି । କିନ୍ତୁ ଟ୍ରଲରର ଓଜନ ସହିବାର କ୍ଷମତା ପାଖାପାଖି ୫୭ ଟନ୍ ରହିଥିବା ବେଳେ ଏଠାରେ ୧୦୦ ଟନ୍ ପର୍ଯ୍ୟନ୍ତ ଗ୍ରାନାଇଟ୍ ପଥର ବୋଝେଇ କରି ପରିବହନ କରାଯାଉଛି । ଯାହାଫଳରେ ପୁଶୁଗୁଡା ଛକ ଠାରୁ ମୋଟୁ ପର୍ଯ୍ୟନ୍ତ ଜାତୀୟ ରାଜପଥ ଖାଲମାଲ ସୃଷ୍ଟି ହେବାସହ ଉକ୍ତ ଆରଡି ଏବଂ ପିବ୍ଲୁଡି ରାସ୍ତା ମଧ୍ୟ ଶୋଚନୀୟ ହୋଇପଡ଼ିଛି । ଜିଲ୍ଳାର ଜାତୀୟ ରାଜପଥ ମଧ୍ୟରୁ ଅନ୍ୟ ପଟେ ରାସ୍ତା ଭଲ ଥିବାବେଳେ ଗ୍ରାନାଇଟ୍ କମ୍ପାନୀ ବ୍ୟବହାର କରୁଥିବା ରାଜପଥ ନଷ୍ଟ ହେବାରେ ଲାଗିଛି । ଏସଂପର୍କରେ ଗ୍ରାନାଇଟ୍ କମ୍ପାନୀର ଅଫିସ୍ ଦାୟିତ୍ଵରେ ଥିବା ଅଶୋକ ନାମକ ଜଣେ କର୍ମଚାରୀଙ୍କ ସହ ଯୋଗାଯୋଗ କରିବାରୁ ସେ ଏଠାରେ ଓଜନ କରିବା ମେସିନ ବ୍ୟବହାର କରାଯାଉ ନାହିଁ ଏବଂ ମିଟର ମାପରେ ଗ୍ରାନାଇଟ୍ ପଥରକୁ ଖାମାମ ପଠାଯାଉଥିବା କହିଥିଲେ । ଏବେ ଖଣି ବିଭାଗ ଓ ଜାତୀୟ ରାଜପଥ ବିଭାଗ ପକ୍ଷରୁ ଏଦିଗରେ ଦୃଷ୍ଟି ଦେଇ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବାକୁ ସାଧାରଣରେ ଦାବି ହେଉଛି ।
---------------
ହିନ୍ଦୁସ୍ଥାନ ସମାଚାର / ଶିବବ୍ରତ