ସମ୍ବଲପୁର, ୨୨ ସେପ୍େଟମ୍ବର (ହି.ସ.) - ୨୦୧୧ ଜନଗଣନା ଅନୁସାରେ ରାଜ୍ୟର ୨୬ ଲକ୍ଷ ୪୦ ହଜାର ଲୋକଙ୍କ ମାତୃଭାଷା ହେଉଛି ସମ୍ବଲପୁରୀ । ବେସରକାରୀ ହିସାବ ଅନୁସାରେ ଓଡିଶା ସମେତ ଛତିଶଗଡ଼ ଏବଂ ଝାଡ଼ଖଣ୍ଡ ରାଜ୍ୟରେ ମଧ୍ୟ ଦୁଇକୋଟି ଲୋକ ସମ୍ବଲପୁରୀ ଭାଷା ବ୍ୟବହାର କରୁଛନ୍ତି। ସେଥିପାଇଁ ଓଡ଼ିଶା ସରକାର ଅବିଳମ୍ବେ ସମ୍ବଲପୁରୀ ଭାଷାକୁ ରାଜ୍ୟର ଦ୍ୱିତୀୟ ସରକାରୀ ଭାଷାର ମାନ୍ୟତା ଦିଅନ୍ତୁ। ସମ୍ବିଧାନର ଅଷ୍ଟମ ପରିଚ୍ଛେଦରେ ସ୍ଥାନ ଦେବା ପାଇଁ କେନ୍ଦ୍ର ସରକାରକୁ ପ୍ରସ୍ତାବ ଓ ପ୍ରାଥମିକ ବିଦ୍ୟାଳୟର ଛାତ୍ରଛାତ୍ରୀ ମାନଙ୍କୁ ସମ୍ବଲପୁରୀ ଭାଷାରେ ପାଠପଢ଼ା ବ୍ୟବସ୍ଥା କରନ୍ତୁ ବୋଲି ପଶ୍ଚିମାଂଚଳ ଏକତା ମଂଚ ଆହ୍ୱାନରେ ସୋମବାର ସ୍ଥାନୀୟ ସାମ୍ବାଦିକ ଭବନରେ ଅନୁଷ୍ଠିତ ବିଭିନ୍ନ ସଙ୍ଗଠନର ମିଳିତ ବୈଠକରେ ଦାବି କରାଯାଇଛି। ପଶ୍ଚିମାଂଚଳ ଏକତା ମଂଚର ଆବାହକ ଭବାନୀଶ ଭୋଇଙ୍କ ସଂଯୋଜନା ରେ ଅନୁଷ୍ଠିତ ବୈଠକରେ ସମ୍ବଲପୁରୀ ଭାଷା ଠାରୁ କମ୍ ଲୋକ ବ୍ୟବହାର କରୁଥିବା ଏବଂ କମ୍ ସମୃଦ୍ଧ ଭାଷା ସମ୍ବିଧାନର ଅଷ୍ଟମ ସୂଚୀରେ ସ୍ଥାନିତ ସୋଇସାରିଛନ୍ତି। ତେବେ ରାଜନୈତିକ ଅବହେଳା କାରଣରୁ ସମ୍ବଲପୁରୀ ଭାଷା ସାମ୍ବିଧାନିକ ମାନ୍ୟତା ରୁ ବଂଚିତ ରହିଥିବା ବୈଠକରେ ଅଭିଯୋଗ ହୋଇଥିଲା। ଏହାସହ ବୈଠକରେ ରାଜ୍ୟ ସଂସ୍କୃତି ମନ୍ତ୍ରୀସୂର୍ଯ୍ୟବଂଶୀ ସୂରଜ ବିଧାନସଭାରେ ସମ୍ବଲପୁରୀ ଭାଷା ସମ୍ବିଧାନର ଅଷ୍ଟମ ପରିଚ୍ଛେଦରେ ସ୍ଥାନ ପାଇଁ କୌଣସି ଯୋଜନା ନଥିବା ନେଇ ଦେଇଥିବା ବକ୍ତବ୍ୟକୁ ନିନ୍ଦା କରାଯାଇଥିଲା। ରାଜ୍ୟ ସରକାର ଓଡ଼ିଶାର ଅସ୍ମିତା କଥା କହି ସରକାର କୁ ଆସିଥିବା ବେଳେ ସମ୍ବଲପୁରୀ ଭାଷା ପ୍ରତି ଉଦାସୀନତା ଦୁର୍ଭାଗ୍ୟଜନକ ବୋଲି ବୈଠକରେ କୁହାଯାଇଥିଲା। ଅବିଳମ୍ବେ ଏଥି ପାଇଁ ପଦକ୍ଷେପ ନେବାକୁ ମୁଖ୍ୟମନ୍ତ୍ରୀଙ୍କ ଠାରେ ଦାବିକରାଯାଇଥିଲା। ବୈଠକରେ ପ୍ରଶିସନ ଏବଂ ସରକାରଙ୍କ ନିକଟରେ ଦାବି ଉପସ୍ଥାପନ ପାଇଁ ଗବେଷକ ଶଶାଙ୍କ ଶେଖର ପଣ୍ଡା, ଲକ୍ଷ୍ମୀ ନାରାୟଣ ପଣ୍ଡା, ମୁକ୍ତକଣ୍ଠ ପ୍ରଧାନ, ଶୁଶିଲ ତ୍ରିପାଠୀ, ଶିବ ପ୍ରସାଦ ମେହେର, ମାନସ ଷଡ଼ଙ୍ଗୀ, ସୁବାସ ପାଣିଗ୍ରାହୀଙ୍କୁ ନେଇ ଏକ କମିଟି ଗଠନ କରାହେଇଥିଲା। ବୈଠକରେ କାଳିନ୍ଦୀ ପ୍ରତାପ ସିଂହ, ଅଜୟ ନାଥ, ଶଙ୍କର ବେହେରା, ତଫିଜୂଲ ହୁସେନ, ପ୍ରଫୁଲ୍ଲ ହୋତା, ସୁଶାନ୍ତ ବରାଇ, ରାମାନୁଜ ପଣ୍ଡା, ଲଲିତ ବେବର୍ତା, ରାଜେଶ ବେହେରା, କମଲ ଲୋଚନ ପଣ୍ଡା, ରାହୁଲ ଗୁପ୍ତା, ବାବୁଲା ଷଷ୍ଢ, ବାବଲୁ ବାଗ, , ସୁଷମା ପ୍ରଧାନ, ପଙ୍କଜିନୀ ମେହେର, ପ୍ରଭଞ୍ଜନ ପୂରୋହିତ, ରାଧେଶ୍ୟାମ ପ୍ରଧାନ, କୃଷ୍ଣଚନ୍ଦ୍ର ବାଗ, ସୁନିଲ୍ ସାଗର, ପ୍ରଦ୍ୟୁମ୍ନ ବିଶି ପ୍ରମୁଖ ବକ୍ତବ୍ୟ ରଖିଥିଲେ। ଶେଷରେ ଡଃ ସ୍ୱୟଂ ପ୍ରକାଶ ପଣ୍ଡା ଧନ୍ୟବାଦ ଅର୍ପଣ କରିଥିଲେ।
ହିନ୍ଦୁସ୍ଥାନ ସମାଚାର / ଶୈଳେଶ