ଭୁବନେଶ୍ୱର, ୨୨ ସେପ୍ଟେମ୍ବର (ହି.ସ.) - “ଭାରତରେ ପ୍ରାଣି ଖାଦ୍ୟ ପରିଚାଳନାର ଅଗ୍ରଗତି” ଶୀର୍ଷକ ୫ ଦିନିଆ ପ୍ରଶିକ୍ଷଣ ଓ କର୍ମଶାଳା ଆଜିଠୁ ଆରମ୍ଭ ହୋଇଛି । ସ୍ଥାନୀୟ କେନ୍ଦ୍ରୀୟ କୃଷିରତ ମହିଳା ସଂସ୍ଥାନଠାରେ ଆୟୋଜିତ ଏହି କାର୍ଯ୍ୟକ୍ରମର ଉଦ୍ଘାଟନ କରି ମତ୍ସ୍ୟ ଓ ପ୍ରାଣିସମ୍ପଦ ମନ୍ତ୍ରୀ ଗୋକୁଳାନନ୍ଦ ମଲ୍ଲିକ କହିଥିଲେ, ଦୀର୍ଘସ୍ଥାୟୀ ପ୍ରାଣିପାଳନର ମୂଳ ଆଧାର ହେଉଛି ପ୍ରାଣୀ ଖାଦ୍ୟ ବ୍ୟବସ୍ଥାର ସୁପରିଚାଳନା । ଜଳବାୟୁ-ଅନୁକୂଳ ପ୍ରାଣି ଖାଦ୍ୟର ଉତ୍ପାଦନ ଏବଂ ବର୍ଷ ସାରା ଉପଲବ୍ଧ ହେଉଥିବା ଉଚ୍ଚ-ଗୁଣମାନ ଖାଦ୍ୟକୁ ପ୍ରୋତ୍ସାହନ ଦେବାର ଆବଶ୍ୟକତା ରହିଛି। ପ୍ରାଣିସମ୍ପଦର ସମୃଦ୍ଧି ଓ ଗ୍ରାମୀଣ ଜୀବନ-ଜୀବିକାକୁ ଅଧିକ ସଶକ୍ତ କରିବା ପାଇଁ ପ୍ରାଣି ଖାଦ୍ୟ ପରିଚାଳନାରେ ବିବିଧତା ହେଉଛି ସମୟର ଆହ୍ୱାନ। ଏହି ପ୍ରଶିକ୍ଷଣ ଓ କର୍ମଶାଳା ପ୍ରାଣିପାଳନ କ୍ଷେତ୍ରରେ ବୈପ୍ଳବିକ ପରିବର୍ତନ ଆଣିବ ବୋଲି ସେ ଆଶା ବ୍ୟକ୍ତ କରିଥିଲେ ।
ସୂଚନାଯୋଗ୍ୟ, ମୁଖ୍ୟମନ୍ତ୍ରୀ କାମଧେନୁ ଯୋଜନାରେ ଘାସ ଚାଷ ପାଇଁ ଏକର ପିଛା ୩୫,୦୦୦ ଟଙ୍କା ହିସାବରେ ସର୍ବାଧିକ ୩,୫୦,୦୦୦ଟଙ୍କା ସହାୟତା ଯୋଗାଇ ଦେବାର ପ୍ରାବଧାନ ରହିଛି। ଏହି କ୍ରାନ୍ତିକାରୀ ଯୋଜନା ଗୋପାଳକଙ୍କ ସମୃଦ୍ଧି ଦିଗରେ ବିଶେଷ ସହାୟକ ହୋଇଛି । ଏହି ଯୋଜନାରେ ପାଞ୍ଚ ବର୍ଷ ମଧ୍ୟରେ ପ୍ରାୟ ୧୫ ଲକ୍ଷ ଚାଷୀଙ୍କୁ ସାମିଲ କରି ସେମାନଙ୍କ ଆୟକୁ ବହୁଗୁଣିତ କରିବା ପାଇଁ ମତ୍ସ୍ୟ ଓ ପ୍ରାଣିସମ୍ପଦ ବିକାଶ ବିଭାଗ ଲକ୍ଷ୍ୟ ରଖିଛି ।
ଭାରତ ସରକାରଙ୍କ ସେଂଟର ଫର୍ ଏକ୍ସେଲେନ୍ସ୍ ଇନ୍ ଆନିମଲ୍ ହଜବେଣ୍ଡ୍ରି, ବେଙ୍ଗାଲୁରୁ ଏବଂ ଭେଟେରିନାରି ଅଫିସର୍ସ’ ଟ୍ରେନିଂ ଇନଷ୍ଟିଟ୍ୟୁଟ୍, ଭୁବନେଶ୍ୱରର ମିଳିତ ସହଭାଗିତାରେ ଏହି କାର୍ଯ୍ୟକ୍ରମ ଆୟୋଜନ ହୋଇଛି । ଏହି ପ୍ରଶିକ୍ଷଣ ଶିବିରରେ ୧୬ଟି ରାଜ୍ୟ ଓ କେନ୍ଦ୍ରଶାସିତ ଅଞ୍ଚଳର ପ୍ରତିନିଧିମାନେ ଯୋଗଦାନ କରିଛନ୍ତି । ଏହି ପାଂଚ ଦିନିଆ ପ୍ରଶିକ୍ଷଣ ଶିବିରରେ ପ୍ରାଣି ଖାଦ୍ୟ ଉତ୍ପାଦନରେ ବ୍ୟବହାର ହେଉଥିବା ନୂତନ ପ୍ରଯୁକ୍ତି ବିଦ୍ୟା, ନୂତନ ପ୍ରଜାତିର ପ୍ରାଣିଖାଦ୍ୟ ଶସ୍ୟ, ଯୋଗାଣ ବ୍ୟବସ୍ଥା ଆଦି ବିଷୟରେ ଅଂଶଗ୍ରହଣକାରୀମାନେ ଅବଗତ ହେବେ ।
ଏହି ଅବସରରେ ମତ୍ସ୍ୟ ଓ ପ୍ରାଣିସମ୍ପଦ ବିକାଶ ବିଭାଗର ଅଫିସିଆଲ୍ ପଡକାଷ୍ଟ ଓ ହ୍ୱାଟସଆପ ଚ୍ୟାନେଲକୁ ମାନ୍ୟବର ମନ୍ତ୍ରୀ ଶୁଭାରମ୍ଭ କରିଥିଲେ। ଏହା ପ୍ରାଣିପାଳନକୁ ଅଧିକ ପ୍ରୋତ୍ସାହିତ କରିବ ଓ ପ୍ରାଣିପାଳକଙ୍କ ନିକଟରେ ପହଞ୍ଚିବାରେ ସହାୟକ ହେବ। ପ୍ରାଣିଖାଦ୍ୟ ପରିଚାଳନା ଏବଂ ପ୍ରାଣିପାଳନ କ୍ଷେତ୍ରରେ ନବସୃଜନ ଓ ସହଯୋଗକୁ ପ୍ରୋତ୍ସାହିତ କରିବା ଲକ୍ଷ୍ୟରେ “କେନ୍ଦ୍ରୀୟ କୃଷିରତ ମହିଳା ସଂସ୍ଥାନ- ପ୍ରାଣି ଚିକିତ୍ସକ ପ୍ରଶିକ୍ଷଣ ପ୍ରତିଷ୍ଠାନ- ପ୍ରାଣିପାଳନ ଓ ପ୍ରାଣିଚିକିତ୍ସା ନିର୍ଦ୍ଦେଶାଳୟ” ମଧ୍ୟରେ ଏକ ତ୍ରିପାକ୍ଷିକ ଚୁକ୍ତିପତ୍ର ସ୍ୱାକ୍ଷରିତ ହୋଇଛି । ଆମ ରାଜ୍ୟରେ ପ୍ରାଣିପାଳନର ସଫଳତାକୁ ନେଇ ଏକ ବୃତ୍ତଚିତ୍ର ପ୍ରଦର୍ଶିତ ହୋଇଥିଲା ।
ଏହି କାର୍ଯ୍ୟକ୍ରମରେ ପ୍ରାଣିପାଳନ ଓ ପ୍ରାଣିଚିକିତ୍ସା ନିର୍ଦ୍ଦେଶକ ବିଜୟ ଅମୃତା କୁଲାଙ୍ଗେ, ସିୱାର ନିର୍ଦ୍ଦେଶକ ମୃଦୁଳା ଦେବୀ, ବେଙ୍ଗାଲୁରୁ ସିଇଏଏଚ୍ ର ନିର୍ଦ୍ଦେଶକ ଡକ୍ଟର ମହେଶ, ଅତିରିକ୍ତ ଶାସନ ସଚିବ ରିନା ମହାପାତ୍ର, ବିଭାଗୀୟ ଅଧିକାରୀ ପ୍ରମୁଖ ଉପସ୍ଥିତ ଥିଲେ ।
---------------
ହିନ୍ଦୁସ୍ଥାନ ସମାଚାର / ବନ୍ଦନା