ଭୁବନେଶ୍ୱର, ୨୨ ସେପ୍ଟେମ୍ବର (ହି.ସ.) - ବିରୋଧୀଦଳ ନେତା ନବୀନ ପଟ୍ଟନାୟକଙ୍କ ସ୍ୱାସ୍ଥ୍ୟବସ୍ଥା ଯାଞ୍ଚ ପାଇଁ କମିଟି ଗଠନ କରିବାକୁ ମୁଖ୍ୟମନ୍ତ୍ରୀଙ୍କ ଉପସ୍ଥିତିରେ ବିଜେପି ବିଧାୟକ ବିଭୁତି ପ୍ରଧାନ ଦାବି କରିଛନ୍ତି। ପୂର୍ବରୁ ପ୍ରଧାନମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ସ୍ୱାସ୍ଥ୍ୟବସ୍ଥା ତଦନ୍ତ ପାଇଁ କହିଥିଲେ ବୋଲି କହିଲେ ବିଭୂତି ପ୍ରଧାନ । ବିଭୂତି ପ୍ରଧାନ ଆହୁରି କହିଥିଲେ, ସୋସିଆଲ ମିଡ଼ିଆରେ ଚର୍ଚ୍ଚା ହେଉଛି, ତାମିଲ ବାବୁ ସକ୍ରିୟ ହେବା ବେଳେ ନବୀନ ବାବୁ ନିଷ୍କ୍ରିୟ ହୋଇପଡନ୍ତି । ନବୀନ ବାବୁ ସକ୍ରିୟ ହେଲେ ତାମିଲ ବାବୁ ସନ୍ନ୍ୟାସ ନିଅନ୍ତି କହିଥିବା ବେଳେ ଯାହାକୁ ନେଇ ଗୃହରେ ତାତି ଦେଖିବାକୁ ମିଳିଛି ।
ବିଧାୟକଙ୍କ ବୟାନ ଗୃହ ବିବରଣୀରୁ ବାଦ ଦେବାକୁ ଦାବି କରି ପ୍ରତିବାଦ କରିଥିଲା ବିଜେଡି । ବିରୋଧୀଦଳ ଉପନେତା ପ୍ରସନ୍ନ ଆଚାର୍ଯ୍ୟ କହିଲେ ଗୃହରେ ଅପସଙ୍ଗ କୁ ପ୍ରସଙ୍ଗ କରୁଛନ୍ତି । ଏହା ହେବା ଉଚିତ ନୁହେଁ । ଏଭଳି କଥା ଗୃହରେ ଭୁଲ ପରମ୍ପରା ସୃଷ୍ଟି କରୁଛି । ତେଣୁ ଏହାକୁ ଗୃହ ବିବରଣୀରୁ ବାଦ ଦେବାକୁ ଦାବି କରିଥିଲେ ବିଜେଡି ସଦସ୍ୟ । ଏହାକୁ ନେଇ ବାଚସ୍ପତି କହିଲେ ବିରୋଧୀ ଦଳ ନେତାଙ୍କ ସ୍ୱାସ୍ଥ୍ୟବସ୍ଥା ନେଇ କୌଣସି ତଦନ୍ତ ଆବଶ୍ୟକତା ନାହିଁ । ମୁଁ ଅନୁଭବ କରୁଛି ବିଧାୟକ ଭାବପ୍ରାବଣତାରେ ଏପରି କହି ଦେଇଛନ୍ତି । କିନ୍ତୁ ବିଜେଡି ସଦସ୍ୟଙ୍କ ଜୋରଦାର ପ୍ରତିବାଦ ପରେ ବିଧାୟକ ବିଭୂତି ପ୍ରଧାନ ନିଜ ବୟାନ ପ୍ରତ୍ୟାହାର କରି ନେଇଛନ୍ତି ।
ହିନ୍ଦୁସ୍ଥାନ ସମାଚାର / ବନ୍ଦନା