ଭୁବନେଶ୍ୱର, ୨୨ ସେପ୍ଟେମ୍ବର (ହି.ସ.) - ନବରାତ୍ର ପାର୍ବଣ ଋତୁର ପ୍ରଥମ ଦିନରୁ ଜିଏସଟି ସ୍ଲାବରେ ପରିବର୍ତନ କରି ଲୋକଙ୍କୁ ବଚତ୍ ସପ୍ତାହ ପାଳନ ପାଇଁ ମୋଦିଙ୍କ ଆହ୍ୱାନକୁ ଜିଏସଟି ଜୁମଲା ପାର୍ଟ-୨ କହି କଟାକ୍ଷ କରିଛି କଂଗ୍େର୍ରସ । ସୋମବାର ପ୍ରଦେଶ କଂଗ୍ରେସ କାର୍ଯ୍ୟାଳୟରେ ଆୟୋଜିତ ସାମ୍ବାଦିକ ସମ୍ମିଳନୀରେ ଦଳର ମୁଖପାତ୍ର ପ୍ରଶାନ୍ତ ଶତପଥି ଚଳିତ ଜିଏସଟି ବ୍ୟବସ୍ଥାରେ ଟ୍ୟାକ୍ସ ସ୍ଲାବରେ ପରିବର୍ତନ କରି ବେଲଗାମ ବଜାର ଦର ନିୟନ୍ତ୍ରଣ କରିବାପାଇଁ ସରକାରୀ ଚେଷ୍ଟାକୁ ହାସ୍ୟାସ୍ପଦ ବୋଲି ଅଭିହିତ କରିଥିଲେ। ସେ କହିଥିଲେ ଯେ ୨୦୧୬ ମସିହାରେ ନୋଟବନ୍ଦି ଏବଂ ୨୦୧୭ ମସିହାରେ ତ୍ରୁଟିପୂର୍ଣ୍ଣ ଜିଏସଟି ବ୍ୟବସ୍ଥା ମୋଦି ସରକାର ଦେଶରେ ଲାଗୁ କରିବାପରେ ଦେଶର ଅର୍ଥବ୍ୟବସ୍ଥା ଧୂଳିସାତ ହୋଇଛି । ଦେଶରେ ୬୩ ଲକ୍ଷ ଛୋଟ ଏବଂ ମଧ୍ୟମ ଧରଣର ଉଦ୍ୟୋଗ ସଂପୂର୍ଣ୍ଣ ଭାବରେ ବନ୍ଦ ହୋଇଗଲା । ଦେଶର ୧% ଲୋକଙ୍କ ପାଖରେ ୪୦% ସମ୍ପତି ଥିଲାବେଳେ ୨୧ ଜଣ ଧନୀଙ୍କ ପାଖରେ ୮୦ କୋଟି ଲୋକଙ୍କ ସମ୍ପତି ଠାରୁ ଅଧିକ ଧନ ଠୁଳ ହୋଇଛି । ଯେତେବେଳେକି ୫୦% ଗରିବଙ୍କ ପାଖରେ ମାତ୍ର ୩% ସମ୍ପତି ରହିଛି। ୧୯୯୦ ରେ ୬%, ୨୦୦୪-୨୦୧୪ରେ ୮% ଥିବାବେଳେ ବର୍ତମାନ ମାତ୍ର ୫.୮% ରହିଛି। ଏ ସମସ୍ତ ଉପରବର୍ଣ୍ଣିତ ଅର୍ଥନୀତିର ଦୂରବସ୍ଥା ପାଇଁ ମୋଦି ସରକାରଙ୍କ ବିଫଳ ନୋଟବନ୍ଦୀ ଏବଂ ତୃଟିପୂର୍ଣ୍ଣ ଜିଏସଟିର ସବୁଠାରୁ ଅଧିକ ଅବଦାନ ରହିଛି।
ଜିଏସଟିର ଟ୍ୟାକ୍ସ ସ୍ଲାବ ବଜାର ଦର ନିୟନ୍ତ୍ରଣ କରେନାହିଁ ପରନ୍ତୁ କୌଣସି ସାମଗ୍ରୀର ମୂଳ ମୂଲ୍ୟ ଉପରେ ଜିଏସଟି ଆଦାୟ କରାଯାଏ। ବିଗତ ୭-୮ ବର୍ଷ ଭିତରେ ସାମଗ୍ରୀର ମୂଳ ମୂଲ୍ୟରେ ଅହେତୁକ ବୃଦ୍ଧି ହେତୁ ଜିଏସଟି ଆଦାୟ ଅଧିକା ହେଉଥିଲା ସତ କିନ୍ତୁ ଏହା ମଧ୍ୟବିତ, ନିମ୍ନମଧ୍ୟବିତ ଓ ଗରିବ ଗୁରୁବା ଲୋକଙ୍କ ଜୀବନ ଦୁର୍ବିସହ କରିଥିଲା। ମୋଦି ସରକାର ବିଗତ ୮ ବର୍ଷଧରି ଜିଏସଟିର ହରିଲୁଟ ଉତ୍ସବ ପାଳନ କଲାପରେ ଏବେ ବଚତ୍ ଉତ୍ସବ କଥା କହିବା ଅତ୍ୟନ୍ତ ହାସ୍ୟାସ୍ପଦ। ବିଗତ ୮ ବର୍ଷ ଭିତରେ କେବଳ କେନ୍ଦ୍ର ସରକାର ନେଟ ଜିଏସଟି ବାବଦରେ ୫୫ଲକ୍ଷ ୪୪ ହଜାର ୮୯୭ କୋଟି ଟଙ୍କା ଆଦାୟ କଲାପରେ ଏବେ ସାଧାରଣ ଜନତାଙ୍କୁ ଅଳ୍ପକିଛି ରିହାତି ଦେବାକଥା ଚିନ୍ତା କରିଛନ୍ତି । କିନ୍ତୁ ସାଧାରଣ ଜନତା ଜିଏସଟିକୁ ନେଇ ସେତିକିବେଳେ ଉପକୃତ ହେବେ ଯେତେବେଳେ ଆଜିର ଦିନରେ କୌଣସି ସାମଗ୍ରୀର ପୂର୍ବଦର ଯଦି ଆଗାମୀ କିଛିବର୍ଷ ପାଇଁ ସମାନ ରହିବ । ତେଣୁ ଏ ସର୍ନ୍ଦଭରେ ମୋଦି ସରକାରଙ୍କୁ ଆହ୍ୱାନ ଦେଉଛୁକି ସେ ଦେଶବାସୀଙ୍କୁ ନିର୍ଭର ପ୍ରତିଶ୍ରୁତି ଦିଅନ୍ତୁ ଯେ ଅନ୍ତତଃ ଆଗାମୀ ତିନିବର୍ଷ ପାଇଁ କୌଣସି କମ୍ପାନୀଦ୍ୱାରା ସାମଗ୍ରୀ ଗୁଡ଼ିକର ବେସ ପ୍ରାଇସ ବା ମୂଳମୂଲ୍ୟରେ ବୃଦ୍ଧି ଘଟିବ ନାହିଁ ଯାହାଫଳରେ ଖାଉଟି କିଛି ମାତ୍ରାରେ ଲାଭବାନ ହେବେ। ଯଦି ବିଗତ ୧୦ବର୍ଷ ଧରି ଯେଉଁଭଳି ଢ଼ଙ୍ଗରେ ସାମଗ୍ରୀ ଗୁଡ଼ିକର ମୂଳମୂଲ୍ୟରେ ଅହେତୁକ ବୃଦ୍ଧି ହୋଇଛି ଠିକ ସେହିଭଳି ଆଗକୁ ହେବ ତାହାହେଲେ ଖାଉଟିଙ୍କ ହାତରେ କିଛି ସଂଚୟ ହେବନାହିଁ । ବିଗତ ୭ବର୍ଷ ଧରି କଂଗ୍ରେସ ଦଳ ତରଫରୁ ବାରମ୍ବାର ଜିଏସଟି ଦରରେ ପରିବର୍ତ୍ତନ କରିବାପାଇଁ ଦାବି କରାଯାଇଥିବା ସତ୍ୱେ ମୋଦି ସରକାର ସେଥିପ୍ରତି କର୍ଣ୍ଣପାତ କରୁନଥିଲେ । କେବଳ ଗୁଜରାଟ, ତ୍ରିପୁରା, କର୍ଣ୍ଣାଟକ ଭଳି କିଛି ରାଜ୍ୟ ନିର୍ବାଚନ ସମୟରେ ନିର୍ବାଚନକୁ ଆଖି ଆଗରେ ରଖି କିଛି କିଛି ପରିବର୍ତ୍ତନ କରୁଥିଲେ । ଔଷଧ, କୃଷି ଉପକରଣ ଏବଂ କୃଷି ଯନ୍ତ୍ରପାତି, ନିତ୍ୟବ୍ୟବହାର୍ଯ୍ୟ ସାମଗ୍ରୀ ଗୁଡ଼ିକର ଟ୍ୟାକ୍ସରେଟ ଜିଏସଟି ପୂର୍ବରୁ ଶୂନ କିମ୍ବା ୫% ଭିତରେ ଥିଲା ତାକୁ ୧୨%, ୧୮% ଏବଂ ୨୮% ଟାକ୍ସ ଭିତରେ ରଖି ସରକାର ଏ ଦେଶର ୮୦ ଭାଗ ଲୋକଙ୍କୁ ଆର୍ôଥକ ସ୍ତରରେ ଦୁର୍ବଳ କରିଛନ୍ତି । ଆଜିର ଦିନରେ ଧନୀ ଏବଂ ଅତି ଧନୀଙ୍କର ଦେଶରେ ଜିଏସଟି ଆଦାୟ ପ୍ରତି ଅବଦାନ ୩% ଥିବା ବେଳେ ମଧ୍ୟବିତ ଓ ଗରିବ ଲୋକଙ୍କର ଅବଦାନ ୬୪% ରହିଛି । ପେଟ୍ରୋଲ ଏବଂ ଡିଜେଲର ଦର କମ ନକରିବା ଫଳରେ ତାହା ପରିବହନ କ୍ଷେତ୍ରକୁ ପ୍ରଭାବିତ କରୁଛି ଏବଂ ଦରବୃଦ୍ଧିର ଅନ୍ୟତମ କାରଣ ଅଟେ । ଅନେକ ସମୟରେ କମ୍ପାନୀମାନଙ୍କ ଏମଆରପିର ଖେଳକୁ ସାଧାରଣ ଖାଉଟି ବୁଝିପାରନ୍ତି ନାହିଁ ଏବଂ ଦରଦାମ ଲଗାତର ବଢ଼ିଚାଲିଥାଏ । ଜିଏସଟି ସ୍ଲାବର ପରିବର୍ତ୍ତନ ଫଳରେ ସଂଗଠିତ କ୍ଷେତ୍ର କିଛି ଲାଭବାନ ହେଉଥିବା ବେଳେ ୯୪% ଅସଂଗଠିତ କ୍ଷେତ୍ରରେ ଲାଭ ବଦଳରେ କ୍ଷତିହଁ ହେବ । ୨୦୨୨ ମସିହାରେ ଏହି ମୋଦି ସରକାର ୧୩୧ଟି ସାମଗ୍ରୀକୁ ୨୮% ଟାକ୍ସସ୍ଲାବକୁ ନେଇଥିଲେ । ଯାହାଫଳରେ ଦରଦାମ ଅହେତୁକ ବୃଦ୍ଧି ହୋଇଥିଲା । ବିଗତ ୫ ବର୍ଷରେ ଜିଏସଟି ଠକେଇର ପରିମାଣ ୭ ଲକ୍ଷ କୋଟିରୁ ଅଧିକ । ମୋଦି ସରକାର ନୋଟିଫିକେସନ ନଂ ୧୯/୨୦୨୪ ତାରିଖ ୩୦ ସେପ୍େଟମ୍ବର,୨୦୨୪ ଦ୍ୱାରା ନିଷ୍ପତି ନେଲେକି ମୁନାଫାଖୋର କମ୍ପାନୀ କିମ୍ବା ବ୍ୟବସାୟୀ ଯଦି ଟାକ୍ସସ୍ଲାବରେ ପରିବର୍ତନ ଯୋଗୁଁ ହେଉଥିବା ଲାଭକୁ ଗ୍ରାହକଙ୍କୁ ନ ଦିଅନ୍ତି ତାହାଲେ ତାଙ୍କ ବିରୋଧରେ କୌଣସି ଆଇନଗତ କାର୍ଯ୍ୟାନୁଷ୍ଠାନ ନିଆଯିବ ନାହିଁ । ଏଭଳି ନିଷ୍ପତି ଦେଶର ଅଗଣିତ ଖାଉଟିଙ୍କ ପ୍ରତି ଧୋକା ଏବଂ ଚରମ ଉପହାସ । ଏବେ ମଧ୍ୟ ଅନେକ କମ୍ପାନୀ ଦାମ ବୃଦ୍ଧି ନକରି ଜିନିଷର ଓଜନ କମ କରିବା ଫଳରେ ସାଧାରଣ ଜନତାଙ୍କର କଷ୍ଟ ଅର୍ଜ୍ଜିତ ଧନ ଲୁଟ ହେଉଛି । ସରକାର ଯଦି ସତରେ ଦରବୃଦ୍ଧିକୁ ନିୟନ୍ତ୍ରଣ କରିବାପାଇଁ ଚାହୁଁଛନ୍ତି ତାହାହେଲ କମ୍ପାନୀମାନେ ଉତ୍ପାଦନ ପାଇଁ ବ୍ୟବହାର କରୁଥିବା କଞ୍ଚାମାଲ, ପରିବନଖର୍ଚ୍ଚ, ମେସିନ ଏବଂ ତାହାର ରକ୍ଷଣାବେକ୍ଷଣ, ଇଲେକ୍ଟ୍ରିସିଟି, ପ୍ୟାକେଜିଂ ଆଦି ଜିନିଷର ଦାମକୁ ନିୟନ୍ତ୍ରଣ ଭିତରେ ରଖିବାକୁ ଚେଷ୍ଟାକରନ୍ତୁ । ନହେଲେ କେବଳ ଜିଏସଟି ସ୍ଲାବରେ ପରିବର୍ତନ ଦେଶର ଜନତାଙ୍କୁ ଦରବୃଦ୍ଧିରୁ ରିହାତି ଦେବ ଏ କଥା ପୁର୍ନବାର ଜୁମଲା ସାବ୍ୟସ୍ଥ ହେବ । ଏହି ସାମ୍ବାଦିକ ସମ୍ମିଳନୀରେ ଦଳର ବରିଷ୍ଠ ପ୍ରବକ୍ତା ମନୋରଞ୍ଜନ ଦାଶ ଓ ଡ. ଦେବାଶିଷ ଭୂୟାଁ ଉପସ୍ଥିତ ଥିଲେ ।
---------------
ହିନ୍ଦୁସ୍ଥାନ ସମାଚାର / ବନ୍ଦନା