ବଲାଙ୍ଗିର, ୨୨ ସେପ୍ଟେମ୍ବର (ହି.ସ.)- ଆଜି ଠାରୁ ଆରମ୍ଭ ହୋଇଛି ଦୁର୍ଗତି ନାଶିନୀ, ଜଗତ ଜନନୀ, ଶକ୍ତି ସ୍ବରୂପିଣି ମା’ ଦୁର୍ଗାଙ୍କ ନବରାତ୍ରୀ ପୂଜା। ଏନେଇ ଚଳଚଞ୍ଚଳ ହୋଇ ଉଠିଛି ସମସ୍ତ ଶକ୍ତିପୀଠ । ନଅ ଦିନ ବ୍ୟାପି ହେଉଥିବା ଏହି ପୂଜାରେ ଶକ୍ତି ସ୍ବରୂପିଣୀ ମା’ଦୁର୍ଗା ବିଭିନ୍ନ ରୂପରେ ପୂଜା ପାଇବେ । ଭାରତର ବିଭିନ୍ନ ଅଞ୍ଚଳରେ ବିଭିନ୍ନ ରୀତିନୀତିରେ ପାଳନ ହୋଇଥାଏ ନବରାତ୍ରୀ ପୂଜା । ପ୍ରତିବର୍ଷ ଶରତ ଋତୁରେ ଏହି ନବରାତ୍ରୀ ପାଳନ କରାଯାଇଥାଏ । ବଲାଙ୍ଗିର ଜିଲ୍ଲାର ବିଭିନ୍ନ ପୀଠରେ ନବ ଦିନାତ୍ମକ ପୁଜା ପାଇଁ ବିଶେଷ ଆୟୋଜନ ହୋଇଥିବା ବେଳେ ମା ଦୁର୍ଗାଙ୍କ ବିଭିନ୍ନ ମଣ୍ଡପରେ ନବଦିନାତ୍ମକ ଦୁର୍ଗା ପୂଜା ଆରମ୍ଭ ହୋଇଛି। ମାଆ ସମଲେଶ୍ୱରୀଙ୍କ ପୀଠ, ଦୁର୍ଗା ମନ୍ଦିରରେ ଆଜି ଶୈଳପୁତ୍ରୀ ବେଶରେ ପୂଜା ଆରମ୍ଭ ହୋଇଛି । କୁଶଙ୍ଗ ର ମା କୁଶଙ୍ଗେଇ ସମେତ ଅଦ୍ୟ ସମସ୍ତଦେବୀ ପୀଠ ଗୁଡିକ ମୁଖରିତ ହୋଇଉଠିଛି ।
ଆଦିଶକ୍ତିଙ୍କ ପ୍ରଥମ ସ୍ୱରୁପ ଶୈଳପୁତ୍ରୀ ମାତାଙ୍କଠୁ ନବରାତ୍ର ଆରମ୍ଭ ହୁଏ । ପ୍ରଥମ ଦିନ ମାତାଙ୍କ ପ୍ରଥମ ସ୍ୱରୂପ ହେଉଛି ଶୈଳପୁତ୍ରୀ । ଦେବୀ ଶୈଳପୁତ୍ରୀ ଗିରିରାଜ ହିମାଳୟଙ୍କ ପୁତ୍ରୀ । ଧଳା ଏବଂ ଦିବ୍ୟ ସ୍ବରୂପ ସଦୃଶ ଦେବୀ ବୃଷବ ଉପରେ ବିଦ୍ୟମାନ ହୋଇଥାନ୍ତି । ଦେବୀ ଶୈଳପୁତ୍ରୀଙ୍କ ଡାହାଣ ହାତରେ ତ୍ରିଶୂଳ ଏବଂ ବାମ ହାତରେ ପଦ୍ମ ଫୁଲ ସୁଶୋଭିତ । ମାଙ୍କୁ ଉପାସନା କଲେ ସମସ୍ତ ମନକାମନା ପୂର୍ଣ୍ଣ ହୁଏ । ମାଙ୍କୁ ପୂଜା କରିବା ବେଳେ କମଳା ରଙ୍ଗ ପିନ୍ଧିବା ଦ୍ୱାରା କରୁଣା ଲାଭ ହୁଏ । ପର୍ବତକୁ ଶୈଳ କୁହାଯାଏ ଓ ପର୍ବତରାଜା ହିମାଳୟଙ୍କ କନ୍ୟା ରୂପରେ ଜନ୍ମ ନେଇଥିବାରୁ ମାଆଙ୍କର ନାମ ଶୈଳପୁତ୍ରୀ ଅଟେ । ଆଉ ଏହି ରୂପରେ ନବରାତ୍ରର ପ୍ରଥମ ଦିନରେ ପୂଜା ପାଆନ୍ତି ମାତା । ଏହି ରୂପରେ ପୂଜା କରିବା ଦ୍ୱାରା ମା ଆମକୁ ସହିବାର ଶକ୍ତି ଦେଇଥାନ୍ତି । ମାତା ଶୈଳପୁତ୍ରୀଙ୍କ ଅନ୍ୟ ନାମ ମଧ୍ୟ ପାର୍ବତୀ ଅଟେ । ମାତା ସତୀ ଭାବେ ମଧ୍ୟ ତାଙ୍କୁ ପୂଜା କରାଯାଏ । ଏହି ଦିନ ଭକ୍ତ ଓ ସାଧକ ନିଜ ମନକୁ ମୂଳାଧାର ଚକ୍ରରେ ଅବସ୍ଥାନ କରି ଉପାସନା କରନ୍ତି ।
ପୁରାଣ ଅନୁସାରେ, ଦେବୀ ଶୈଳପୁତ୍ରୀ ପୂର୍ବଜନ୍ମରେ ଦକ୍ଷ ପ୍ରଜାପତିଙ୍କ ପୁତ୍ରୀ ସତୀ ଥିଲେ । ଯାହାଙ୍କର ବିବାହ ଭଗବାନ ଶିବଙ୍କ ସହ ହୋଇଥିଲା । ସତୀଙ୍କ ପିତା ଦକ୍ଷଙ୍କ ଦ୍ବାରା ଆୟୋଜିତ ଦକ୍ଷଯଜ୍ଞରେ ଭଗବାନ ଶିବଙ୍କୁ ଆମନ୍ତ୍ରଣ କରାଯାଇନଥିଲା । ଅପରପକ୍ଷରେ ଯଜ୍ଞ ବେଳେ ଶିବଙ୍କର ଅପମାନ ମଧ୍ୟ ହୋଇଥିଲା । ଫଳରେ ଶିବପତ୍ନୀ ସତୀ ଯଜ୍ଞ ଅଗ୍ନିରେ ନିଜ ଶରୀରକୁ ଭସ୍ମ କରିଦେଇଥିଲେ । ପର ଜନ୍ମରେ ସେ ଗିରିରାଜ ହିମାଳୟ ପୁତ୍ରୀ ରୂପରେ ଅବତାରିତ ହୋଇ ଶୈଳପୁତ୍ରୀ ନାମରେ ବିଦିତ ହେଲେ । ଦେବୀ ଶୈଳପୁତ୍ରୀଙ୍କୁ ପାର୍ବତୀ ମଧ୍ୟ କୁହାଯାଏ ।
ହିନ୍ଦୁସ୍ଥାନ ସମାଚାର / ଗୋପବନ୍ଧୁ