ସୁବର୍ଣ୍ଣପୁର, ୨୮ ସେପ୍ଟେମ୍ବର (ହି.ସ.)- ଯା ଦେବୀ ସର୍ବ ଭୂତେଶୁ, ମା କାଳରାତ୍ରୀ ରୁପେଣ ସଂସ୍ଥିତା, ନମସ୍ତେସ୍ୟ ନମସ୍ତେସ୍ୟ ନମସ୍ତେସ୍ୟ ନମସ୍ତେସ୍ୟ ନମୋ ନମଃ ଧ୍ବନିରେ ମନ୍ଦିର ପରିସର ପ୍ରକମ୍ବିତ ହୋଇ ଉଠୁଛି। ଧରାପୃଷ୍ଠରେ ଭକ୍ତଙ୍କୁ ଦର୍ଶନ ଦେବା ପାଇଁ ଅବତରଣ କରିଥିବା ଜଗତଜନନୀ ମା ଦୂର୍ଗାଙ୍କ ନବରାତ୍ର ପୂଜା ଅବସରରେ କାଳରାତ୍ରୀ ବେଶରେ ଭକ୍ତଙ୍କୁ ଦର୍ଶନ ଦେଉଛନ୍ତି। ବିନିକା ପୁରୁଣା ବସଷ୍ଟାଣ୍ଡ ସ୍ଥିତ ଭବ୍ୟ ଦୁର୍ଗା ମନ୍ଦିରରେ ଚାଲିଥିବା ନବରାତ୍ର ପୂଜାର ଆଜି ସପ୍ତମ ଦିବସରେ ସୁବର୍ଣ୍ଣପୁର ଜିଲ୍ଲାପାଳ ଡଃ. ନୃପରାଜ ସାହୁ ଓ ତାଙ୍କ ଧର୍ମପତ୍ନୀ ସୁଭ୍ରା ସାହୁ କର୍ତ୍ତା ଭାବେ ଦାୟିତ୍ଵ ନିର୍ବାହ କରି ବିଧି ନୀତି ଅନୁଯାୟୀ ମା ଙ୍କ ପୂଜା କରିଥିଲେ। ସେହିପରି ମୁଖ୍ୟ କର୍ତ୍ତା ଭାବେପ ସୁନିଲ ପାତ୍ର ଓ ତାଙ୍କ ଧର୍ମପତ୍ନୀ ସୁକନ୍ୟା ପାତ୍ର ଉପସ୍ଥିତ ଥିଲେ।
କିମ୍ବଦନ୍ତୀ ଅନୁସାରେ, ଶୁମ୍ଭ ଓ ନିଶୁମ୍ଭ ନାମକ ଦୁଇ ରାକ୍ଷାସ ତିନି ଲୋକରେ ଆତଙ୍କରାଜ ଚଳାଇଥିଲେ । କାହାକୁ ବି ମାନୁ ନଥିଲେ। ଦେବତା ମାନେ ବି ଉଭୟ ରାକ୍ଷାସ କବଳରୁ ମୁକ୍ତି ପାଇ ନଥିଲେ। ଯୁଦ୍ଧରେ ପରାଜିତ ହୋଇ ତାଙ୍କ ସ୍ୱର୍ଗଧାମ ପ୍ରତି ବିପଦ ଆସିବାରୁ ଶେଷରେ ଦେବତା ମାନେ ପାର୍ବତୀଙ୍କ ଶରଣାପନ୍ନ ହୋଇଥିଲେ। ପାର୍ବତୀ ଦେବୀ (ମା ଦୁର୍ଗା)କାଳରାତ୍ରୀ ବେଶ ଧାରଣ କରି ହାତରେ ଅସ୍ତ୍ର ଶସ୍ତ୍ରରେ ସଜ୍ଜିତ ହୋଇ ରାକ୍ଷାସ ଶୁମ୍ଭ ନିଶୁମ୍ଭକୁ ନିଧନ କରିଥିଲେ । ସେହିପରି ଆଜି ମା ଙ୍କ ପୂଜାରେ ମୁଖ୍ୟ ପୂଜକ ଭାବେ ସୁବାସ ଚନ୍ଦ୍ର ବଡ଼ପଣ୍ଡା, ମନ୍ଦିର ପୂଜକ ଜନାର୍ଦ୍ଦନ ଆଚାର୍ଯ୍ୟ ପୂଜା କାର୍ଯ୍ୟ ତୁଲାଇଥିବା ବେଳେ ସହଯୋଗୀ ପୂଜକ ଭାବେ କିଶୋର ଚନ୍ଦ୍ର ନାୟକ, ସଞ୍ଜୀବ ପାଢ଼ୀ, ଦେବାଶିଷ ପୁରୋହିତ, ଶ୍ରୀନାଥ ପଣ୍ଡା ପ୍ରମୁଖ ଉପସ୍ଥିତ ଥିଲେ। ମା ଙ୍କ ଦର୍ଶନ ପାଇଁ ମନ୍ଦିରରେ ବହୁ ଶ୍ରଦ୍ଧାଳୁ ଭକ୍ତଙ୍କ ଭିଡ଼ ଲାଗିରହିଛି। କମିଟି ସଭାପତି ସନ୍ତୋଷ ପଣ୍ଡାଙ୍କ ନେତୃତ୍ୱରେ କମିଟି ସଦସ୍ୟ ମାନେ ବିଭିନ୍ନ ସ୍ଥାନରେ ରହି ଶାନ୍ତି ଶୃଙ୍ଖଳା ରକ୍ଷା ପ୍ରତି ଧ୍ୟାନ ଦେଉଥିବା ଦେଖିବାକୁ ମିଳିଛି।
ହିନ୍ଦୁସ୍ଥାନ ସମାଚାର / ଗୋପବନ୍ଧୁ