ଭଦ୍ରକ, ୨୯ ସେପ୍ଟେମ୍ବର (ହି.ସ.) - ଏହି ଜିଲାର ଭଣ୍ଡାରିପୋଖରୀ ଥାନା ଅଧୀନସ୍ଥ ୧୬ନଂ ଜାତୀୟ ରାଜପଥ ଆସାମ ଅଏଲ୍ ପେଟ୍ରୋଲ ପମ୍ପ ନିକଟରୁ ଆଜି ସକାଳେ ଜଣେ ଅଜଣା ମହିଳାଙ୍କ ଶବ ପୁଲିସ୍ ଉଦ୍ଧାର କରିଛି। ମୃତ ମହିଳାଙ୍କ ବୟସ ୫୦ ବର୍ଷ ହେବ ବୋଲି ଅନୁମାନ କରାଯାଉଛି। ଶବ ନିକଟରେ ପଡିଥିବା ଏକ ନୀଳ ରଙ୍ଗର ଟି ସାର୍ଟକୁ ପୁଲିସ୍ ଜବତ କରିଛି। ସେହି ସ୍ଥାନରେ ବ୍ୟବସାୟ କରୁଥିବା ଧାମନଗର ଥାନା ଖଡିପଦା ଗ୍ରାମର ସଂଜୟ ସାହୁଙ୍କ ଅଭିଯୋଗ କ୍ରମେ ଥାନାରେ ୨୦/୨୫ ନଂ ରେ ଏକ ଅପମୃତ୍ୟୁ ମାମଲା ରୁଜୁ ହୋଇ ବ୍ୟବଚ୍ଛେଦ ପାଇଁ ଭଦ୍ରକ ପଠାଯାଇଛି। ଅଭିଯୋଗ ଅନୁଯାୟୀ ସଂଜୟ ପୂର୍ବଦିନ ସନ୍ଧ୍ୟାରେ ସଂପୃକ୍ତ ମହିଳାଙ୍କୁ ବୁଲାବୁଲି କରୁଥିବା ଦେଖିଥିଲେ। ମହିଳା ଜଣକ ବିକୃତ ମସ୍ତିଷ୍କ ଭଳି ଅନୁଭବ କରାଯାଉଥିଲା। ଆଜି ସକାଳେ ସେହି ମହିଳାଙ୍କ ଶବ ଉଲଗ୍ନ ଅବସ୍ଥାରେ ଉଦ୍ଧାର ହୋଇଛି। ସଂପୃକ୍ତ ମହିଳାଙ୍କ ପରିଚୟ ଜଣାପଡିନାହିଁ।
ହିନ୍ଦୁସ୍ଥାନ ସମାଚାର / ପ୍ରମୋଦ କୁମାର ରାୟ