ଜୟପୁର, ୨୯ ସେପ୍ଟେମ୍ବର (ହି.ସ.)- ଯୁବ କବି ଅଶୋକ କୁମାର ପଲେଇଙ୍କ ଦୁଇ କବିତା ସଂକଳନ ଲୋକାର୍ପିତ ହୋଇଯାଇଛି। ଓଡ଼ିଆ ଚଳଚ୍ଚିତ୍ର ଅଭିନେତା, ନିର୍ଦ୍ଦେଶକ, ନାଟ୍ୟକାର, ଗୀତିକାର, ପ୍ରଚ୍ଛଦପଟ ଗାୟକ, ପୂର୍ବତନ ଓଡ଼ିଶାର ଶିକ୍ଷାମନ୍ତ୍ରୀ ଡ. ପ୍ରଶାନ୍ତ ନନ୍ଦ ଓ ସଂଗୀତଜ୍ଞ ଲକ୍ଷ୍ମୀକାନ୍ତ ପାଲିତଙ୍କ କରକମଳରେ ଉନ୍ମୋଚିତ ହୋଇଥିଲା।
ବାଗ୍ମୀ ପ୍ରକାଶନ ଓ ଅନ୍ବେଷଣର ପ୍ରତିଷ୍ଠାନର ପ୍ରତିଷ୍ଠାତା ତଥା ପୁସ୍ତକର ପ୍ରକାଶକ ସୂର୍ଯ୍ୟକାନ୍ତ ପ୍ରଧାନଙ୍କ ତତ୍ତ୍ବାବଧାନରେ ଭୁବନେଶ୍ବର ବୁଦ୍ଧମନ୍ଦିର ସମ୍ମିଳନୀ କକ୍ଷରେ ଆୟୋଜିତ କାର୍ଯ୍ୟକ୍ରମରେ କବି ଶ୍ରୀ ପଲେଇଙ୍କ ପ୍ରଥମ କବିତା ସଂକଳନ ‘ଆତ୍ମୀୟତାର ଆୟାସ’ ଓ ଦ୍ବିତୀୟ କବିତା ସଂକଳନ ‘ପ୍ରେୟାସୀ ଓ ମଧୁଗୀତି’ ପାଠକାର୍ପଣ କରାଯାଇଥିଲା। ପ୍ରେମ ଓ ପ୍ରଣୟକୁ ନେଇ ଚରିତ କବିଙ୍କ କବିତା ଗୁଡ଼ିକରେ ପ୍ରେମର ସକରାତ୍ମକ ଭାବ ପରିପ୍ରକାଶ ହୋଇଥିବା ବେଳେ ବିରହ ଓ ବିଚ୍ଛେଦର ଯନ୍ତ୍ରଣାରେ ପାଠକ ଭାରାକ୍ଲାନ୍ତ ହେବେ ନାହିଁ। ମିଳତନାତ୍ମକ କବିତା ଗୁଡ଼ିକ ସୁଖଦ ଅନୁଭୂତି ପ୍ରଦାନ କରିବା ପାଠକଙ୍କ ଦ୍ବାରା ଆଦୃତ ହେବ ବୋଲି କୁହାଯାଇଛି। ଏହି ଅବସରରେ ଶ୍ରୀ ପଲେଇଙ୍କୁ ବାଗ୍ମୀ ସମ୍ମାନରେ ସମ୍ମାନିତ କରାଯାଇଥିଲା। ଏଥିରେ ସମାଜର ପୂର୍ବତନ ସମ୍ପାଦକ ଡ. ପ୍ରଭାସ ଆଚାର୍ଯ୍ୟ ସମ୍ମାନିତ ଅତିଥି, ବକୁଳ ଫାଉଣ୍ଡେସନର ପ୍ରତିଷ୍ଠାତା ସୁୂଜିତ ମହାପାତ୍ର ମୁଖ୍ୟବକ୍ତା ଭାବେ ମଞ୍ଚାସୀନ ଥିଲେ।
ଶ୍ରୀ ପଲେଇଙ୍କ କବିତା ସଂକଳନ ଉନ୍ମୋଚିତ ସମୟରେ ସମସ୍ତ ଅତିଥିଙ୍କ ସହ କବିଙ୍କ ବଡ଼ଭାଇ ତ୍ରିନାଥ ପଲେଇ, ପତ୍ନୀ କବିତାମଞ୍ଜରୀ ପଲେଇ, ପୁଅ ଆଦର୍ଶ ଅଭିଳାଷ ପଲେଇ ଉପସ୍ଥିତ ଥିଲେ। କାର୍ଯ୍ୟକ୍ରମରେ ୩୦ଜଣ ସାହିତ୍ୟିକଙ୍କ ୪୦ସୃଷ୍ଟିକୁ ଲୋକାର୍ପଣ କରିବା ସହ ଉପଢୌକନ, ମାନପତ୍ର, ଚାରା ଦେଇ ସମସ୍ତ ସ୍ରଷ୍ଟାକୁ ସମ୍ବର୍ଦ୍ଧିତ କରାଯାଇଥିଲା। ଏଥିସହ କର୍ତ୍ତବ୍ୟନିଷ୍ଠ ସମ୍ମାନରେ ସମ୍ମାନିତ କରାଯାଇଥିଲା।
ହିନ୍ଦୁସ୍ଥାନ ସମାଚାର / ପିକେପି