ବଲାଙ୍ଗିର, ୨୯ ସେପ୍ଟେମ୍ବର (ହି.ସ.)-
ସ୍ଥାନୀୟ ଯାଦବ ଭବନ ଠାରେ ତହଁକ୍ କୁଟୁମ୍ ପକ୍ଷରୁ କୋଶଲୀ ବାଲ୍ମୀକି ଇନ୍ଦ୍ରମଣି ସାହୁଙ୍କ ଜୟନ୍ତୀ ଆଜି ପାଳିତ ହୋଇଯାଇଛି । ବଲାଙ୍ଗିର ଲେଖକ ପରିଷଦର ସମ୍ପାଦକ କପିଳେଶ୍ୱର ଖମାରୀଙ୍କ ସଭାପତିତ୍ୱରେ ଅନୁଷ୍ଠିତ ସଭାରେ ମୁଖ୍ୟଅତିଥି ଭାବେ ‘କୋଶଳ ପ୍ରବାହ’ର ସଂପାଦକ ତଥା କବି ଆନନ୍ଦଚନ୍ଦ୍ର ସାହୁ ଯୋଗଦେଇ କୋଶଲୀ ବାଲ୍ମୀକି ଇନ୍ଦ୍ରମଣି ସାହୁଙ୍କ ଜୀବନ ଦର୍ଶନ ସଂପର୍କରେ ଆଲୋଚନା କରିଥିବା ବେଳେ ତାଙ୍କ ଲେଖାଗୁଡିକ କେମିତି ଅନ୍ୟ ଭାଷାରେ ଅନୁବାଦ ହୋଇପାରିବ ସେଥିପ୍ରତି ଆମ ସମସ୍ତଙ୍କୁ ଧ୍ୟାନ ଦେଇ ଏ ଦିଗରେ କାମକରିବାକୁ ପଡିବ ବୋଲି ମତ ପ୍ରକାଶ କରିଥିଲେ । ଭାରତ ସରକାରଙ୍କ ନୂତନ ଶିକ୍ଷାନୀତି ଅନୁସାରେ କୋଶଲୀ ଭାଷାରେ ଆମ ଅଂଚଳର ଶିକ୍ଷାଦାନ କରାଗଲେ କୋଶଲୀ ବାଲ୍ମୀକିଙ୍କୁ ଶ୍ରେଷ୍ଠ ଶ୍ରଦ୍ଧାଞ୍ଜଳି ହୋଇପାରିବ ବୋଲି ମୁଖ୍ୟବକ୍ତା କବି ସୁଶାନ୍ତ ବାଗ ମତ ରଖିଥିଲେ । କବି ଗୋପାଳ ମେହେର, ଦିଲ୍ଲିପ ପୁରୋହିତ, ଗୀତିକାର ବ୍ରହ୍ମାନନ୍ଦ ବନଛୋର, କୋସଲି ସଂଗଠକ ମଧୁସୁଦନ ଦାଶ ସମ୍ମାନିତ ଅତିଥି ଭାବେ ଯୋଗଦେଇ କୋଶଲୀ ଭାଷାକୁ ଓଡିଶାର ଦୃତିୟ ସରକାରୀ ଭାଷାର ମାନ୍ୟତା ଦେବାକୁ ଦାବି ରଖିଥିଲେ । ତହଁକ ସଂପାଦକ ରାଜେଶ ଦଣ୍ଡସେନା କବିଙ୍କୁ ମରଣୋତ୍ତର ପଦ୍ମଶ୍ରୀ ପ୍ରଦାନ ପାଇଁ ସରକାରଙ୍କୁ ଅନୁରୋଧ କରାଯିବା ପାଇଁ ପ୍ରସ୍ତାବ ରଖିଥିଲେ, ଏହାକୁ ସମସ୍ତେ ସମର୍ଥନ କରିଥିଲେ ।
କବି ଅର୍ଜୁନ କୁମାର ସାହୁ ସଭା ସଂଯୋଜନା କରିଥିବା ବେଳେ କବି ମିଲନ ପଣ୍ଡା ଧନ୍ୟବାଦ ଅର୍ପଣ କରିଥିଲେ । ଭରତ ମେହେର, ତପସ୍ୱୀନୀ ପଶାୟତ, ନିର୍ମାଲ୍ୟ ସ୍ଵାଇଁ, ନନ୍ଦିନୀ ସାହୁ, ଅଭିଜିତ ଫରିକାର ପ୍ରମୁଖ ସହଯୋଗ କରିଥିଲେ l
ହିନ୍ଦୁସ୍ଥାନ ସମାଚାର / ଗୋପବନ୍ଧୁ