ଚମ୍ପୁଆ, ୨୯ ସେପ୍ଟେମ୍ବର (ହି.ସ.)- ଚମ୍ପୁଆ ବ୍ଲକ ପଡୁଆ ପଞ୍ଚାୟତ ଅନ୍ତର୍ଗତ ପଡୁଆ - ମଙ୍ଗଳପୁର ମଝିରେ ଥିବା ବାଘଡ଼ିଆଁ ନାଳ ପୋଲ ରାସ୍ତା ଦୀର୍ଘ ଦିନ ଧରି ଖାଲ ଖମା ହୋଇ ଲୋକଙ୍କ ଯିବା ଆସିବା ପାଇଁ ମରଣଯନ୍ତା ପାଲଟି ଥିଲେ ମଧ୍ୟ ଏଥିପ୍ରତି ବିଭାଗ ଦୃଷ୍ଟି ନ ଦେବାରୁ ଶେଷରେ ଗାଁ ଲୋକେ ନିଜେ ଏହି ରାସ୍ତା ମରାମତି କରିଥିବା ଜଣାପଡିଛି। ଚମ୍ପୁଆ ବ୍ଲକ ର ଜାଲି, ଭୂଇଁପୁର, ଓ ପଡୁଆ ତିନି ପଞ୍ଚାୟତର ଲୋକେ ପ୍ରତିଦିନ ଭଣ୍ଡା ଗ୍ରାମ୍ୟ ବ୍ୟାଙ୍କ ଓ ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ରକୁ ଯିବା ପାଇଁ ଏହି ଗୋଟିଏ ରାସ୍ତା ଉପରେ ନିର୍ଭର କରିଥାନ୍ତି। ପ୍ରାୟ ଦୀର୍ଘ ତିରିଶି ବର୍ଷ ପୂର୍ବେ ନିର୍ମିତ ଏହି ବାଘଡ଼ିଆଁ ନାଳ ପୋଲ ରାସ୍ତା ମରାମତି ଅଭାବରୁ ଦୁର୍ବଳ ଅବସ୍ଥାରେ ରହିଥିଲେ ମଧ୍ୟ ଗ୍ରାମ୍ୟ ଉନ୍ନୟନ ବିଭାଗ କର୍ତୃପକ୍ଷ କିମ୍ବା ସ୍ଥାନୀୟ ପ୍ରଶାସନ ଏଥିପ୍ରତି ଦୃଷ୍ଟି ଦେଉ ନଥିବା ସ୍ଥାନୀୟ ଲୋକେ ପ୍ରକାଶ କରିଛନ୍ତି। ଯାହାକୁ ନେଇ ଲୋକଙ୍କ ମଧ୍ୟରେ ଅସନ୍ତୋଷ ଦେଖିବାକୁ ମିଳିଛି। ପ୍ରତି ବର୍ଷ କିଛି ସ୍ଥାନୀୟ ଯୁବକ ମାଟି ପକାଇ ରାସ୍ତାକୁ ସମତୁଲ କରିଥାନ୍ତି। ଏବେ ପୋଲର ଦୁଇ କଡ଼ ରାସ୍ତା ଲଗାଣ ବର୍ଷାରେ ଧୋଇ ଖାଲ ହୋଇଯିବା ପରେ ରାସ୍ତାରେ ଯିବା ଆସିବା କରିବା କଷ୍ଟ ସାଧ୍ୟ ହୋଇପଡିଥିଲା। ଫଳରେ ଭଣ୍ଡା ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ରକୁ ରୋଗୀ ମାନଙ୍କୁ ନେଇ ଯିବାପାଇଁ ସିଲିପୁଞ୍ଜି ରାସ୍ତା ଦେଇ ପ୍ରାୟ ୧୦ ରୁ ୨୦ କି.ମି. ରାସ୍ତା ବୁଲି ଯିବାକୁ ପଡୁଥିଲା। ଯାହା ଜରୁରୀକାଳୀନ ସ୍ଥିତିରେ ରୋଗୀଙ୍କ ପାଇଁ ଜୀବନ ମରଣ ବିପଦ ସୃଷ୍ଟି କରୁଥିବାରୁ ବାଧ୍ୟହୋଇ ଶେଷରେ ଉଭୟ ପଡୁଆ ଓ ମଙ୍ଗଳପୁର ଗାଁ ଲୋକ ମିଶି ନିଜେ ହିଁ ଉକ୍ତ ରାସ୍ତା ମରାମତି କରିଛନ୍ତି। ପଡୁଆ ସରପଞ୍ଚ ମନୋଜ ନାଏକ ଚମ୍ପୁଆ ଗୋଷ୍ଠି ଉନ୍ନୟନ ଅଧିକାରୀ ଓ ଗ୍ରାମ୍ୟ ଉନ୍ନୟନ ବିଭାଗକୁ ଏ ସମ୍ପର୍କରେ ଜଣାଇଥିଲେ ହେଁ କୌଣସି କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିନଥିବା ଜଣାପଡିଛି । ବର୍ତ୍ତମାନ ସାରା ରାଜ୍ୟରେ ଡବଲ ଇଞ୍ଜିନ ସରକାରଙ୍କ ଡବଲ ବିକାଶ ନେଇ ହଇଚଇ ସୃଷ୍ଟି କରୁଥିବା ବେଳେ ତୃଣମୂଳ ସ୍ତରରେ ଖୋଦ ମୁଖ୍ୟମନ୍ତ୍ରୀଙ୍କ ଜିଲ୍ଲାରେ ସ୍ଥାନୀୟ ପ୍ରଶାସନିକ ଅଧିକାରୀଙ୍କ ଖାମଖିଆଲି ମନଭାବ ଯୋଗୁଁ ଏପରି ସମସ୍ୟା ଗୁଡିକରେ ସୁଧାର ଆସୁନାହିଁ ବୋଲି ଅଞ୍ଚଳ ବାସୀ ପ୍ରକାଶ କରିଛନ୍ତି। ତେଣୁ ଏଥିପ୍ରତି ଜିଲ୍ଲା ପ୍ରଶାସନ ସ୍ୱତନ୍ତ୍ର ଦୃଷ୍ଟି ଦେବାକୁ ସାଧାରଣରେ ଦାବି ହେଉଛି।
ହିନ୍ଦୁସ୍ଥାନ ସମାଚାର / Trinath Mahanta