ବଲାଙ୍ଗୀର, ୦୬ ସେପ୍ଟେମ୍ବର(ହି.ସ.) – ସ୍ଥାନୀୟ ସରକାରୀ ମହାବିଦ୍ୟାଳୟ ବଲାଙ୍ଗୀରରେ ଓଡ଼ିଶା ସରକାରଙ୍କ ଉଚ୍ଚ ଶିକ୍ଷା ବିଭାଗର ନିର୍ଦ୍ଦେଶକ୍ରମେ ଅଭିନବୀକରଣ ଏବଂ ଷ୍ଟାର୍ଟଅଫ ପ୍ରତିଯୋଗିତା ଅନୁଷ୍ଠିତ ହୋଇଯାଇଛି। ଏଥିରେ ମହାବିଦ୍ୟାଳୟର ଅଧ୍ୟକ୍ଷ ଡକ୍ଟର କୌତୁକ ପନ୍ଦର ସଭାପତିତ୍ୱ କରିବା ସହିତ ସରକାରଙ୍କ ଏଭଳି ମହତ କାର୍ଯ୍ୟକ୍ରମର ଅଭିଲକ୍ଷ୍ୟ ସଂପର୍କରେ ଅବଗତ କରାଇଥିଲେ। ମୁଖ୍ୟଅତିଥି ଭାବରେ ପୁଇଁନ୍ତଳା ବ୍ଳକ ଉନ୍ନୟନ ଅଧିକାରୀ ଅମରେନ୍ଦ୍ର ସ୍ୱାଇଁ ଯୋଗଦେଇ ଯୁବ ଶିଳ୍ପଉଦ୍ୟୋଗୀ ସ୍ଥାନୀୟ ସମସ୍ୟାକୁ କିଭଳି ସମାଧାନ କରିବା ସହିତ ନୂତନପଥ ନିର୍ମାଣ କରିପାରିବେ ସେ ସଂପର୍କରେ ଆଲୋଚନା କରିଥିଲେ। ସମ୍ମାନିତ ଅତିଥି ଭାବରେ ଉଦ୍ୟୋଗୀ ତଥା ସଂଗଠକ ରାଜେଶ ଝାଙ୍କର ଯୋଗଦେଇ କୂଟୀର ଶିଳ୍ପ ମାଧ୍ୟମରେ ମହିଳାମାନେ କିପରି ସ୍ୱାବଲମ୍ବୀ ହୋଇପାରିବେ ସେ ବିଷୟରେ ଗଭୀର ଭାବରେ ଆଲୋଚନା କରିଥିଲେ। ଏହି ପରିପ୍ରେକ୍ଷୀରେ ଆୟୋଜିତ ପ୍ରତିଯୋଗିତାରେ ମହାବିଦ୍ୟାଳୟର ଛାତ୍ରଛାତ୍ରୀ ନିଜର ଅଭିନବ ଚିନ୍ତାଧାରା ଏବଂ ଉଦ୍ୟୋଗୀ ଜ୍ଞାନକୌଶଳକୁ ପ୍ରକଳ୍ପ ମାଧ୍ୟମରେ ଉପସ୍ଥାପନ କରିଥିଲେ ଏବଂ ଶ୍ରେଷ୍ଠ ତିନିଜଣ କୃତି ଛାତ୍ରଛାତ୍ରୀଙ୍କୁ ପୁରସ୍କୃତ କରାଯାଇଥିଲା। ଏହି କାର୍ଯ୍ୟକ୍ରମଟିକୁ ସହକାରୀ ପ୍ରଫେସର ଡକ୍ଟର ଶ୍ରୀକାନ୍ତ କୁମାର ବାରିକ ସଂଚାଳନ କରିଥିବାବେଳେ ବିଚାରକ ଭାବରେ ଡକ୍ଟର ବିଜୟ କୁମାର ବେହେରା, ଡକ୍ଟର ମେଘନାଦ ସାହୁ, ଅମୃତା ମହାପାତ୍ର ଏବଂ ରାଜେଶ ଝାଙ୍କର ଉପସ୍ଥିତ ରହି ପ୍ରକଳ୍ପଗୁଡ଼ିକର ମୂଲ୍ୟାଙ୍କନ କରିଥିଲେ। ପରିଶେଷରେ ଆନୁଷ୍ଠାନିକ ଭାବେ ଅଧ୍ୟାପକ ହୃଷୀକେଶ ଦାସ ଧନ୍ୟବାଦ ଅର୍ପଣ କରିଥିଲେ। ଅଧ୍ୟାପକ ଚନ୍ଦନ ପୁହାଣ, ଆଶୀର୍ବାଦ ସାହୁ ଏବଂ ସୁମନ୍ତ ରଣା କାର୍ଯ୍ୟକ୍ରମର ସଫଳ ପରିଚାଳନା ପାଇଁ ସହଯୋଗ କରିଥିଲେ। ଏଥିରେ ମହାବିଦ୍ୟାଳୟର ସମସ୍ତ ଅଧ୍ୟାପକ, ଅଧ୍ୟାପିକା ଏବଂ ଛାତ୍ରଛାତ୍ରୀ ଉପସ୍ଥିତ ଥିଲେ।
ହିନ୍ଦୁସ୍ଥାନ ସମାଚାର/ଗୋପବନ୍ଧୁ/ବୀଣାପାଣି
.......................................
ହିନ୍ଦୁସ୍ଥାନ ସମାଚାର / ଗୋପବନ୍ଧୁ