Bhubaneswar, 6 ସେପ୍ଟେମ୍ବର (ହି.ସ.) ଭୁବନେଶ୍ୱର ମହାନଗର ନିଗମ (ବିଏମ୍ ସି)ପକ୍ଷରୁ ଆଜି 59 ନମ୍ବର ଓ୍ୱାର୍ଡ ଅଫିସ ଉଦ୍ଘାଟିତ ହୋଇଯାଇଛି । ଏହି ଉପଲକ୍ଷେ ଆୟୋଜିତ କାର୍ଯ୍ୟକ୍ରମରେ ମାନ୍ୟବର ଅବକାରୀ, ପୂର୍ତ୍ତ ଓ ଆଇନ ମନ୍ତ୍ରୀ ଶ୍ରୀ ପୃଥୀରାଜ ହରିଚନ୍ଦନ ମୁଖ୍ୟଅତିଥି ଭାବେ ଯୋଗଦେଇଥିଲେ । ଅନ୍ୟମାନଙ୍କ ମଧ୍ୟରେ ମାନ୍ୟବର ଭୁବନେଶ୍ୱର ଏକାମ୍ର ବିଧାୟକ ଶ୍ରୀ ବାବୁ ସିଂ, ମାନନୀୟା ମେୟର ଶ୍ରୀମତୀ ସୁଲୋଚନା ଦାସ, ଡେପୁଟି ମେୟର ଶ୍ରୀମତୀ ମଞ୍ଜୁଲତା କହଁର, ବିଏମ୍ ସି କମିଶନର ଶ୍ରୀ ଚଞ୍ଚଳ ରାଣା, ସ୍ଥାନୀୟ କର୍ପୋରେଟର ତଥା ଷ୍ଟାଣ୍ଡିଂ କମିଟି ଅଧ୍ୟକ୍ଷ ଶ୍ରୀ ବିରଞ୍ଚି ନାରାୟଣ ମହାସୁପକାରଙ୍କ, କର୍ପୋରେଟର ଶ୍ରୀ ଅଜିତ୍ ବେହେରା, ଶ୍ରୀ ଶିବ ପ୍ରସାଦ ବେହେରା, ଶ୍ରୀ ଚନ୍ଦ୍ରଶେଖର ମଲ୍ଲିଆ ପ୍ରମୁଖ ବହୁ କର୍ପୋରେଟର ଓ ସରପଞ୍ଚ ମଞ୍ଚାସୀନ ଥିଲେ ।
ମାନ୍ୟବର ମନ୍ତ୍ରୀଙ୍କ ସହ ବିଧାୟକ, ମେୟର, ଡେପୁଟି ମେୟର ପ୍ରମୁଖ ଅତିଥିମାନଙ୍କୁ ବାଣ ଫୁଟାଇ, ବାଜା ବଜନ୍ତରୀ ସହ ଏକ ସ୍ୱତନ୍ତ୍ର ଶୋଭାଯାତ୍ରାରେ ସ୍ଥାନୀୟ ଅଂଚଳର ଶହ ଶହ ଲୋକ ମଞ୍ଚ ନିକଟକୁ ପାଛୋଟି ନେଇଥିଲେ । ଏହାପରେ ବିଏମ୍ ସି କମିଶନର, ଅତିଥିମାନଙ୍କୁ ସ୍ୱାଗତ ସମ୍ବର୍ଦ୍ଧନା ଜଣାଇଥିଲେ ।
ମାନ୍ୟବର ମନ୍ତ୍ରୀ ସାମନ୍ତରାପୁର ଛକ ନିକଟ ତଥା ନବ ନିର୍ମିତ ଓ୍ୱାର୍ଡ ଅଫିସ ସମ୍ମୁଖ ଛକରେ ଏକ ହାଇ ମାଷ୍ଟ ଲାଇଟ୍ ପୋଷ୍ଟକୁ ଉଦ୍ଘାଟନ କରିଥିଲେ । ପରେ ଓ୍ୱାର୍ଡ ଅଫିସ ସହ ସାମନ୍ତରାପୁର ଲାଇଟ୍ ହାଉସ ଉଦ୍ଘାଟନ କରିଥିଲେ । ଲୋକମାନଙ୍କୁ ଘର ପାଖରେ ସେବା ଯୋଗାଇ ଦେବା ପାଇଁ ଓ୍ୱାର୍ଡ ଅଫିସ ନିର୍ମାଣ ହୋଇଛି । ଏଣିକି 59 ଓ୍ୱାର୍ଡବାସୀ ଆଉ ବିଏମ୍ ସି ମୁଖ୍ୟ କାର୍ଯ୍ୟାଳୟକୁ ନଯାଇ ସେମାନଙ୍କର ବିଭିନ୍ନ ସମସ୍ୟାର ସମାଧାନ ଏହିଠାରେ କରାଯିବ । 15 ଶହ ବର୍ଗଫୁଟ ଅଂଚଳରେ ନିର୍ମିତ ଏହି ଓ୍ୱାର୍ଡ ଅଫିସରେ ଓ୍ୱାର୍ଡ ସମସ୍ତ କାର୍ଯ୍ୟ ଓ ଲୋକମାନଙ୍କର ବିଭିନ୍ନ ସମସ୍ୟା ସମାଧାନ କରାଯିବ । ଅପରପକ୍ଷେ ଲାଇଟ୍ ହାଉସ 18ରୁ 35 ବର୍ଷର ନିମ୍ନ ଆୟକାରୀ ଯୁବକ ଯୁବତୀମାନଙ୍କୁ ତାଲିମ ପ୍ରଦାନ ପୂର୍ବକ ସେମାନଙ୍କ ଦକ୍ଷତା ବୃଦ୍ଧି କରିବ । ଏହା ଦ୍ୱାରା ଯୁବକ ଯୁବତୀମାନେ କର୍ମ ସଂସ୍ଥାନ ପାଇବା ସହ ଆତ୍ମ ନିର୍ଭରଶୀଳ ମଧ୍ୟ ହୋଇପାରିବେ । କେବଳ ସେତିକି ନୁହେଁ, ଜୀବିକା ନିର୍ବାହର ପଥପ୍ରଦର୍ଶନ କରିବା ସହ କର୍ମ ନିଯୁକ୍ତି ପାଇଁ ସହାୟତା ତଥା ଦକ୍ଷ କରାଯାଇବ ଏହି ଲାଇଟ୍ ହାଉସ ।
ବର୍ତ୍ତମାନ ସୁଦ୍ଧା ମହାନଗର ନିଗମ ଅଂଚଳର ବିଭିନ୍ନ ଓ୍ୱାର୍ଡରେ ଓ୍ୱାର୍ଡ ଅଫିସ ନିର୍ମାଣ ଶେଷ ହୋଇଥିବା ବେଳେ ଆଉ କେତେକ ଓ୍ୱାର୍ଡ ଅଫିସ ନିର୍ମାଣ କାମ ଜାରି ରହିଛି । ତେବେ ଆଉ କେତକ ଓ୍ୱାର୍ଡରେ ଜମି ଅଭାବରୁ ଗୃହ ନିର୍ମାଣ କାର୍ଯ୍ୟ ହୋଇପାରୁ ନାହିଁ । ଏଥିପାଇଁ ଜାଗା ଯୋଗାଇଦେବାକୁ ମାନନୀୟା ମେୟର ପୂର୍ତ୍ତ ମନ୍ତ୍ରୀଙ୍କ ନିକଟରେ ସାମୁହିକ ଉପସ୍ଥାପନ କରିଥିଲେ । ଏ ସଂପର୍କରେ ନିଶ୍ଚିତ ପଦକ୍ଷେପ ନେବେ ବୋଲି କହିଛନ୍ତି ମାନ୍ୟବର ମନ୍ତ୍ରୀ ।
ନାଳ, ନର୍ଦ୍ଦମା, ରାସ୍ତାଘାଟ, ବର୍ଜ୍ୟ ପରିଚାଳନା ଆଦି ସହରବାସୀଙ୍କର ଏକ ଜରୁରୀ ଆବଶ୍ୟକତା । ଏ ସଂପର୍କରେ ଦୈନିକ ଅଭିଯୋଗ ଆସିବ । ଆଗରୁ ଲୋକେ ବିଏମ୍ ସି ମୁଖ୍ୟ ଅଫିସରକୁ ଯାଇ ଅଭିଯୋଗ କରୁଥିଲେ । ମାତ୍ର ଏଣିକି ଆଉ ମୁଖ୍ୟ ଅଫିସକୁ ନ ଯାଇ ନିଜ ଅଂଚଳରେ ଥିବା ଓ୍ୱାର୍ଡ କାର୍ଯ୍ୟାଳୟରେ ଅଭିଯୋଗ କରିବେ ଏବଂ ସେମାନଙ୍କର ସମସ୍ୟା ତୁରନ୍ତ ସମାଧାନ ହୋଇପାରିବ । ତେବେ ଏଠାରେ ବରିଷ୍ଠ ନାଗରିକଙ୍କ ପାଇଁ ଏକ କମ୍ୟୁନିଟ୍ ହଲ୍ ନିର୍ମାଣ କରିବା ନିମନ୍ତେ ସମସ୍ତ ପ୍ରକାର ସହାୟତା ଯୋଗାଇ ଦେବାକୁ ପ୍ରତିଶୁତି ଦେଇଛନ୍ତି ମାନ୍ୟବର ମନ୍ତ୍ରୀ ।
ଏ ସମସ୍ତ କାର୍ଯ୍ୟକ୍ରମର ସଂଯୋଜନା କରିଥିଲେ ଅତିରିକ୍ତ କମିଶନର ଶ୍ରୀ ରତ୍ନାକର ସାହୁ ଓ ଶ୍ରୀ କୈଳାସ ଚନ୍ଦ୍ର ଦାସ ।
---------------
ହିନ୍ଦୁସ୍ଥାନ ସମାଚାର / ରଶ୍ମିତା