ବାରିପଦା, ୦୬ ସେପ୍ଟେମ୍ବର(ହି.ସ.) – ବାରିପଦା ସ୍ଥିତ ଅମ୍ବିକା ହଲ୍ଠାରେ ଓଡ଼ିଶା ଝୁମର ଏକାଡେମୀର ସଭାପତି ଅବନୀ ମହାନ୍ତଙ୍କ ସଭାପତିତ୍ୱରେ ଝୁମର କର୍ମଶାଳା ସମ୍ବନ୍ଧରେ ସୂଚନା ପ୍ରଦାନ ନିମନ୍ତେ ସାମ୍ବାଦିକ ସମ୍ମିଳନୀ ଅନୁଷ୍ଠିତ ହୋଇଥିଲା। ଏହି ସମ୍ମିଳନୀରେ ମହାରାଜା ଶ୍ରୀରାମଚନ୍ଦ୍ର ଭଞ୍ଜଦେଓ ବିଶ୍ୱ ବିଦ୍ୟାଳୟର ପୂର୍ବତନ କୁଳପତି ପ୍ରଫେସର ଡ଼ା କିଶୋର କୁମାର ବସା, ଝୁମର କର୍ମଶାଳା ରିସେପସନ କମିଟି ଚେୟାରମ୍ୟାନ ତଥା ବାରିପଦା ବିଧାୟକ ପ୍ରକାଶ ସୋରେନ, ସେକ୍ରେଟାରୀ ବସନ୍ତ ମହାନ୍ତ ଓ ଅନ୍ୟ ମାନ୍ୟଗଣ୍ୟ ବ୍ୟକ୍ତି ଉପସ୍ଥିତ ଥିଲେ। ଝୁମର ଏକାଡେମୀର ଉପସଭାପତି ରାକେଶ ସିଂ ସମ୍ମିଳନୀ ଆରମ୍ଭରେ ଅତିଥି ପରିଚୟ ପ୍ରଦାନ କରିବା ସହିତ ଶେଷରେ ସମସ୍ତଙ୍କୁ ଧନ୍ୟବାଦ ଅର୍ପଣ କରିଥିଲେ।
ଓଡ଼ିଶା ଝୁମର ଏକାଡେମୀ ଓ ମହାରାଜା ଶ୍ରୀରାମଚନ୍ଦ୍ର ବିଶ୍ୱ ବିଦ୍ୟାଳୟର ମିଳିତ ସହଯୋଗରେ ଆସନ୍ତା ସେପ୍ଟେମ୍ବର ୧୫ ଓ ୧୬ ତାରିଖ ଦିନ ମହାରାଜା ଶ୍ରୀରାମଚନ୍ଦ୍ର ଭଞ୍ଜଦେଓ ବିଶ୍ୱ ବିଦ୍ୟାଳୟର ସମ୍ମିଳନୀ କକ୍ଷରେ ଝୁମର କର୍ମଶାଳା ଅନୁଷ୍ଠିତ ହେବ। ଉକ୍ତ କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ଭାବରେ କେନ୍ଦ୍ର ଶିକ୍ଷାମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ଓ ମୁଖ୍ୟବକ୍ତା ଭାବରେ ଚେୟାରମ୍ୟାନ ମନୁମେଂଟ ଅଥରିଟି ଅଫ ଇଣ୍ଡିଆ ପ୍ରଫେସର ଡ଼ା କିଶୋର କୁମାର ବସା ଯୋଗ ଦେବେ। ଉକ୍ତ କର୍ମଶାଳାରେ ୧୫ଟି ଝୁମୁର ନୃତ୍ୟ ଦଳ ଭାଗ ନେବା ସହିତ ଅନ୍ୟ ରାଜ୍ୟ ଯଥା ପଶ୍ଚିମବଙ୍ଗ ଝାଡ଼ଖଣ୍ଡ ଆସାମରୁ ଅତିଥି ଓ ବୁଦ୍ଧିଜୀବୀ ଯୋଗଦେବେ।
ଝୁମର ହେଉଛି ଓଡ଼ିଶା ସମେତ ଝାଡ଼ଖଣ୍ଡ, ପଶ୍ଚିମବଙ୍ଗ, ଛତିଶଗଡ଼, ଆସାମ ପ୍ରଦେଶରେ ବସବାସ କରୁଥିବା ଜନଗୋଷ୍ଠିମାନଙ୍କ ଦ୍ୱାରା ପର୍ବପର୍ବାଣୀ ସାମାଜିକ ସାଂସ୍କୃତିକ ଭାବେ ଝୁମୁର ଗୀତ ବାଦ୍ୟ ଓ ନୃତ୍ୟର ଏକ ସତନ୍ତ୍ର ସ୍ଥାନ ଅଛି। ବିଭିନ୍ନ ଜନଗୋଷ୍ଠୀଙ୍କ ଭାଷାର ଅନ୍ତର ହେଲେ ମଧ୍ୟ ମୌଳିକତା ପ୍ରାୟ ସମାନ। ଏହି ସଂସ୍କୃତିର ସୃଷ୍ଟି କେବେ କେଉଁ ଠାରେ କେଉଁ ପରିସ୍ଥିତିରେ ହୋଇଥିଲା ତାହା ଗଭୀର ଗବେଷଣା ହେଲେ ଜଣାପଡ଼ିବ। ଅନୁଧ୍ୟାନ କଲେ ଜଣାଯାଏ ଯେ ଏହା କୃଷି ସଭ୍ୟତା ସହିତ ଜଡ଼ିତ। ଝୁମରରୁ ବହୁପ୍ରକାର ନୃତ୍ୟ ଜନ୍ମିତ ତନ୍ମଧ୍ୟରୁ ଛଉ ନୃତ୍ୟ ଅନ୍ୟତମ। ସ୍ୱାଧୀନତା ପୂର୍ବରୁ ରାଜା ରାଜୁଡ଼ା ଜମିଦାରମାନଙ୍କ ପୃଷ୍ଠପୋଷକତା ପାଇଁ ସ୍ୱାଧୀନତା ପରେ ସରକାରୀ ପୃଷ୍ଠପୋଷକତାରେ ଆଜି ଦେଶ ବିଦେଶରେ ନିଜର ସ୍ୱତନ୍ତ୍ର ପରିଚୟ ସୃଷ୍ଟି କରି ବିଶ୍ୱ ମାନଚିତ୍ରରେ ସ୍ଥାନ ପାଇଛି କିନ୍ତୁ ଝୁମର ପୃଷ୍ଠପୋଷକତାର ଅଭାବରେ ଆମ ଗାଁ ଦାଣ୍ଡ, ଅଶିକ୍ଷିତ, କୃଷକ, କୃଷି ଶ୍ରମିକମାନଙ୍କ ପରମ୍ପରାରେ ବଂଚିରହିଛି। ସରକାରୀ ପୃଷ୍ଠପୋଷକ ପାଇଁ ବିଶ୍ୱ ବିଦ୍ୟାଳୟଗୁଡ଼ିକରେ ଗବେଷଣା କଲେ ଝୁମରରେ ଲୁକ୍କାୟିତ ଥିବା ସାହିତ୍ୟ ଇତିହାସ ରାମାୟଣ ମହାଭାରତ ମନ୍ତ୍ର ତନ୍ତ୍ର ଇତ୍ୟାଦି ବିଦ୍ୟମାନ ଏବଂ ଭାରତର ପ୍ରାଚୀନ ସଂସ୍କୃତିର ଆଧାର। ଝୁମର ଭାରତ ବର୍ଷର ରାଜସ୍ଥାନ, ହରିୟାଣା, ମହାରାଷ୍ଟ୍ର, ଛତିଶଗଡ଼, ଓଡ଼ିଶା, ପଶ୍ଚିମବଙ୍ଗ, ଆସାମ ଏବଂ ଦେଶ ବାହାରେ ବଙ୍ଗଳାଦେଶ, ନେପାଳରେ ମଧ୍ୟ ପରିଚିତ।
ଝୁମର କଳା ସଂସ୍କୃତିର ବିକାଶ ଏବଂ ଝୁମର କଳାକାରମାନଙ୍କୁ ବିଶ୍ୱ ଦରବାରରେ ପରିଚିତ କରିବା ଦିଗରେ ସରକାରଙ୍କ ଦୃଷ୍ଟି ଆକର୍ଷଣ କରାଯିବ।
ହିନ୍ଦୁସ୍ଥାନ ସମାଚାର/ଦିଲ୍ଲୀପ/ବୀଣାପାଣି
.......................................
ହିନ୍ଦୁସ୍ଥାନ ସମାଚାର / ଦିଲ୍ଲୀପ