ବାରିପଦା, ୦୬ ସେପ୍ଟେମ୍ବର(ହି.ସ.) – ନିର୍ଦ୍ଧାରିତ କାର୍ଯ୍ୟସୂଚୀ ଅନୁଯାୟୀ ଆଜି ମୟୂରଭଞ୍ଜ ଜିଲ୍ଲା ବଡ଼ସାହି ବ୍ଲକ ସମ୍ମିଳନୀ କକ୍ଷଠାରେ ବିଧାୟକ ବଡ଼ସାହି, ସନାତନ ବିଜୁଳିଙ୍କ ଅଧ୍ୟକ୍ଷତାରେ ବଡ଼ସାହି ଓ ବେତନଟୀ ବ୍ଲକ ନିମନ୍ତେ ବ୍ଲକ ସ୍ତରୀୟ ସ୍ୱତନ୍ତ୍ର ଯୁଗ୍ମ ଜନଶୁଣାଣୀ ଶିବିର ଅନୁଷ୍ଠିତ ହୋଇଯାଇଛି। ଉକ୍ତ ଶିବିରରେ ଜିଲ୍ଲାପାଳ ହେମକାନ୍ତ ସୟ, ଜିଲ୍ଲା ଆରକ୍ଷୀ ଅଧିକ୍ଷକ ବରୁଣ ଗୁଂଟୁପଲ୍ଲୀ ଜିଲ୍ଲା ପରିଷଦ ମୁଖ୍ୟ ଉନ୍ନୟନ ଅଧିକାରୀ ଧର୍ମାନନ୍ଦ ବେହେରା, ଅତିରିକ୍ତ ଜିଲ୍ଲାପାଳ ଈଶ୍ୱରଚନ୍ଦ୍ର ନାଏକ, ବାରିପଦା ଉପଜିଲ୍ଲାପାଳ ଡ଼. ଦୟାସିନ୍ଧୁ ପରିଡ଼ା, ବାରିପଦା ପିଏଆଇ ଟିଡିଏ ପ୍ରଣୟ ବେହେରା, ବ୍ଲକ ଚେୟାରମେନ ଶ୍ରୀମତୀ ମିନତୀ ସିଂ ପ୍ରମୁଖ ଯୋଗ ଦେଇଥିଲେ।
ଶିବିରରେ ବିଭିନ୍ନ ବିଭାଗର ଜିଲ୍ଲାସ୍ତରୀୟ ଅଧିକାରୀଙ୍କ ସମେତ ସମ୍ପୃକ୍ତ ବିଭାଗର ବ୍ଲକସ୍ତରୀୟ ଅଧିକାରୀ ଓ ବିଭିନ୍ନ ଲାଇନ ବିଭାଗର ଅଧିକାରୀମାନେ ଉପସ୍ଥିତ ରହି ଅଭିଯୋଗ ଶୁଣାଣୀ କାର୍ଯ୍ୟରେ ଅଂଶଗ୍ରହଣ କରିଥିଲେ।
ଆଜିର ଶୁଣାଣୀରେ ଦୁଇଟି ବ୍ଲକର ୧୨୦୦ରୁ ଉର୍ଦ୍ଧ୍ୱ ଅଭିଯୋଗ ପତ୍ର ଶୁଣାଣୀ ପାଇଁ ଗ୍ରହଣ ହୋଇଥିଲା। ଆଜିର ଶୁଣାଣୀରେ ଗ୍ରହଣ ହୋଇଥିବା ଅଭିଯୋଗଗୁଡ଼ିକ ମଧ୍ୟରେ, ଆବାସ ଯୋଜନା, ବାର୍ଦ୍ଧକ୍ୟ ଭତା, ଭିନ୍ନକ୍ଷମ ଭତା, ବିଧବା ଭତା, ରେସନ କାର୍ଡ଼, ସାଧାରଣ ଯୋଗାଣ, ପାନୀୟ ଜଳ ଯୋଗାଣ ବିଦ୍ୟୁତ ଯୋଗାଣ, ଚିକିତ୍ସା ଭତା/ସହାୟତା, ରାସ୍ତାଘାଟ, ଗମନାଗମନ, ଶିକ୍ଷା, ସ୍ୱାସ୍ଥ୍ୟ, କୃଷି, ତହସିଲ ଜମିଜମା, ଭୂମିହୀନ ଜମିପଟ୍ଟା, ଜଙ୍ଗଲ ଜମିପଟ୍ଟା, ଶିଶୁ ବିକାଶ, ଗ୍ରାମ୍ୟ ଉନ୍ନୟନ, ଜଳସେଚନ ଇତ୍ୟାଦି ବିଭିନ୍ନ ବିଭାଗ ସମ୍ବନ୍ଧିତ ଥିଲା।
ଅଭିଯୋଗର ଗୁରୁତ୍ୱକୁ ବିଚାର କରି ୩ଜଣଙ୍କୁ ମୁଖ୍ୟମନ୍ତ୍ରୀ ରିଲିଫ ପାଣ୍ଠିରୁ ୧୫,୦୦୦/-ଟଙ୍କା ଏବଂ ଜଣଙ୍କୁ ରେଡ଼କ୍ରସ ପାଣ୍ଠି ରୁ ୫,୦୦୦/-ଟଙ୍କା ଆର୍ôଥକ ସହାୟତା ମଂଜୁର କରାଯାଇଛି।
ଆଜିର ଜନ ଅଭିଯୋଗ ଶୁଣାଣୀରେ ଗ୍ରହଣ ହୋଇଥିବା ବିଭିନ୍ନ ବିଭାଗ ସମ୍ପର୍କିତ ଅନ୍ୟାନ୍ୟ ଅଭିଯୋଗ ଗୁଡିକ ଉପରେ ଅନୁଧ୍ୟାନ ପୂର୍ବକ ବିଚାର କରି ସେଗୁଡିକର ତ୍ୱରିତ ସମାଧାନ ନିମନ୍ତେ ସମ୍ପୃକ୍ତ ବିଭାଗୀୟ ଅଧିକାରୀ ମାନଙ୍କୁ ମାନ୍ୟବର ବିଧାୟକ ଓ ଜିଲ୍ଲାପାଳ ନିର୍ଦ୍ଧେଶ ଦେଇଛନ୍ତି।
ବଡ଼ସାହି ଗୋଷ୍ଠୀ ଉନ୍ନୟନ ଅଧିକାରିଣୀ ବନଜା ଦାସ ଓ ବେତନଟୀ ଗୋଷ୍ଠୀ ଉନ୍ନୟନ ଅଧିକାରୀ ସୁଶାନ୍ତ ସୁତାରଙ୍କ ତତ୍ୱାବଧାନରେ ଅନୁଷ୍ଠିତ ଉକ୍ତ ସ୍ୱତନ୍ତ୍ର ଜନଶୁଣାଣୀ କାର୍ଯ୍ୟକ୍ରମର ପରିଚାଳନାରେ ଜିଲ୍ଲା କାର୍ଯ୍ୟାଳୟ ଓ ବଡ଼ସାହି ବ୍ଲକ କାର୍ଯ୍ୟାଳୟର କର୍ମଚାରୀମାନେ ସହଯୋଗ କରିଥିଲେ।
ହିନ୍ଦୁସ୍ଥାନ ସମାଚାର/ଦିଲ୍ଲୀପ/ବୀଣାପାଣି
.......................................
ହିନ୍ଦୁସ୍ଥାନ ସମାଚାର / ଦିଲ୍ଲୀପ