ଚମ୍ପୁଆ, ୬ ସେପ୍ଟେମ୍ବର (ହି.ସ.) - ମୋବାଇଲ ବାରଣ କରିବାରୁ ଜଣେ ଛାତ୍ରୀ (୧୭) ଆତ୍ମହତ୍ୟା କରିଥିବା ଜଣାପଡିଛି। ମିଳିଥିବା ସୂଚନା ଅନୁସାରେ ଗତ କାଲି ଅପରାହ୍ନ ରେ ଚମ୍ପୁଆ ଥାନା ଅନ୍ତର୍ଗତ ଏନଏସି ୱାର୍ଡ ନଂ ୧୩ ରେ ଘଟିଯାଇଛି ଏହି ଦୁଃଖଦ ଘଟଣା । ଚମ୍ପୁଆ ସ୍ଥିତ କେରଳା ଇଂରାଜୀ ମାଧ୍ୟମିକ ବିଦ୍ୟାଳୟ ରେ ଉଚ୍ଚ ମାଧ୍ୟମିକ ଶ୍ରେଣୀରେ ପଢୁଥିବା ଛାତ୍ରୀ ଜଣକ ଗତ କାଲି ବିଦ୍ୟାଳୟରୁ ଘରକୁ ଫେରିବା ପରେ ଶୋଇବା ଘର ଭିତରେ କବାଟ ବନ୍ଦ କରି ନିଜ ପିନ୍ଧା ଓଢଣି ରେ ବେକ ରେ ଫାଶି ଲଗାଇ ଦେଇଥିଲେ । ପରିବାର ଲୋକେ ସଙ୍ଗେ ସଙ୍ଗେ ଛାତ୍ରୀ ଜଣଙ୍କୁ ଉଦ୍ଧାର କରି ଚମ୍ପୁଆ ଉପଖଣ୍ଡ ଚିକିତ୍ସାଳୟ କୁ ଆଣିଥିଲେ । ହେଲେ ସେତେବେଳେକୁ ଛାତ୍ରୀ ଙ୍କ ମୃତ୍ୟୁ ଘଟିସାରିଥିଲା । ଚମ୍ପୁଆ ପୁଲିସ ଡାକ୍ତରଖାନା ରେ ପହଂଚି ମୃତଦେହ କୁ ଜବତ କରି ବ୍ୟବଚ୍ଛେଦ ପାଇଁ ପଠାଇବା ସହ ଚମ୍ପୁଆ ଥାନା କେସ ନଂ ୪୨/ ୨୫ ଏକ ଅପମୃତ୍ୟୁ ମାମଲା ରୁଜୁ କରି ଘଟଣାର ତଦନ୍ତ ଆରମ୍ଭ କରିଛି । ଚମ୍ପୁଆ ଡାକ୍ତରଖାନାରେ ଶବ ବ୍ୟବଛେଦ କରି ପରିବାର ଲୋକଙ୍କୁ ଶବ ହସ୍ତାନ୍ତର କରିଥିବା ଜଣାପଡିଛି । ପୁଲିସ ର ପ୍ରାଥମିକ ତଦନ୍ତରୁ ଘର ଲୋକେ ମୋବାଇଲ ବ୍ୟବହାର କରିବାକୁ ବାରଣ କରିବାରୁ ଛାତ୍ରୀ ଜଣଙ୍କ ଆତ୍ମହତ୍ୟା କରିଥିବା ନେଇ ସୂଚନା ମିଳିଛି । ସୂଚନା ଯୋଗ୍ୟ କି ଗତ କିଛି ଦିନ ତଳେ ଏହି କେରଳା ଇଂରାଜୀ ମାଧ୍ୟମିକ ବିଦ୍ୟାଳୟ ଛାତ୍ରାବାସ ରେ ଛାତ୍ର ଆତ୍ମହତ୍ୟା ଘଟଣା ମନରୁ ଲିଭି ନ ଥିବା ବେଳେ ପୁଣି ଉକ୍ତ ବିଦ୍ୟାଳୟ ର ଉଚ୍ଚ ମାଧ୍ୟମିକ ଶ୍ରେଣୀ ରେ ପାଠ ପଢୁଥିବା ଜଣେ ଛାତ୍ରୀ (୧୭) ଶୋଇବା ଘରେ ନିଜ ପିନ୍ଧା ଓଢ଼ଣି ରେ ବେକ ରେ ଫାଶୀ ଲଗାଇ ଆତ୍ମହତ୍ୟା କରିବା ଘଟଣା ସାଧାରଣ ରେ ଆଲୋଡନ ସୃଷ୍ଟି କରିଛି।
ହିନ୍ଦୁସ୍ଥାନ ସମାଚାର / Trinath Mahanta