ବାରିପଦା, ୦୬ ସେପ୍ଟେମ୍ବର(ହି.ସ.) – ଓଡ଼ିଶାର ସର୍ବ ବୃହତ ମୟୁରଭଞ୍ଜ ଜିଲ୍ଲାରେ ପୁନଃ ଡିଲିମିଟେସନ କରି ଲୋକସଭା ଏବଂ ବିଧାନସଭା ଆସନ ବୃଦ୍ଧି କରିବାକୁ ଦାବିହୋଇଛି। ବିଗତ ୨୦୦୯ ମସିହାରେ ହୋଇଥିବା ଡି-ଲିମିଟେସନରେ ଉପେକ୍ଷା କରାଯାଇଥିବାର ଅଭିଯୋଗ ଆଣି ବିଗତ ୫ ବର୍ଷ ଧରି ଓଡ଼ିଆ ଜାଗରଣ ମଂଚ ତରଫରୁ ଆନ୍ଦୋଳନ କରାଯାଇ ଆସୁଛି। ପୁନଃ ଡିଲିମିଟେସନ ନିମନ୍ତେ ଦାବିପତ୍ର ଅତିରିକ୍ତ ଜିଲ୍ଲାପାଳଙ୍କ ଜରିଆରେ ରାଜ୍ୟ ନିର୍ବାଚନ କମିଶନର ଏବଂ ମୁଖ୍ୟମନ୍ତ୍ରୀଙ୍କୁ ପ୍ରଦାନ କରିଛନ୍ତି। କରଞ୍ଜିଆ ବିଧାନସଭା ନିର୍ବାଚନ ମଣ୍ଡଳୀକୁ କେନ୍ଦୁଝର ଲୋକସଭା କ୍ଷେତ୍ରରେ ଏବଂ ବଡ଼ସାହି ବିଧାନସଭା ନିର୍ବାଚନ ମଣ୍ଡଳିକୁ ବାଲେଶ୍ୱର ଲୋକସଭା କ୍ଷେତ୍ରରେ ରଖାଯାଇଛି। ସେହିପରି ଜିଲ୍ଲାର ପୂର୍ବରୁ ଥିବା ୧୦ଟି ବିଧାନସଭା ନିର୍ବାଚନ ମଣ୍ଡଳୀକୁ କମାଇ ୯ଟି ଆସନରେ ସୀମିତ ରଖଯାଇଛି। ଜିଲ୍ଲାରେ ଥିବା ଏକମାତ୍ର ପୂର୍ଣ୍ଣାଙ୍ଗ ଲୋକସଭା କ୍ଷେତ୍ର ଆଦିବାସୀ ବର୍ଗ ପାଇଁ ସଂରକ୍ଷିତ ରହିଥିବାବେଳେ, ୯ଟି ବିଧାନସଭା କ୍ଷେତ୍ର ମଧ୍ୟରୁ କେବଳ ମୋରଡା ଆସନକୁ ଛାଡିଦେଲେ ଅନ୍ୟ ୮ଟିଯାକ ଆସନ ସଂରକ୍ଷିତ ରହିଛି। ଯାହା ଫଳରେ ସାଧାରଣ ବର୍ଗ ଲୋକେ ନିଜର ରାଜନୈତିକ ଅଧିକାରରୁ ବଂଚିତ ହେଉଛନ୍ତି। ଜିଲ୍ଲାରେ ନିର୍ବାଚନ ମଣ୍ଡଳୀ ପୁନଃ ସୀମା ନିର୍ଦ୍ଧାରଣ କରାଯାଇ ଆୟତନ ଏବଂ ଜନସଂଖ୍ୟା ଦୃଷ୍ଟିରୁ ଜିଲ୍ଲାରେ ୧୨ଟି ବିଧାନସଭା ଆସନ ସହ ଦୁଇଟି ଲୋକସଭା ଆସନ ଗଠନ କରିବାକୁ ଦାବି ହୋଇଛି। ଏହାସହିତ ୩ଟି ବିଧାନସଭା ଆସନକୁ ସଂରକ୍ଷଣ ମୁକ୍ତ ରଖାଯିବାକୁ ଦାବୀ କରାଯାଇଛି। ଏହି ଦାବିପତ୍ର ପ୍ରଦାନରେ ଓଡିଆ ଜାଗରଣ ମଂଚର ପ୍ରତିଷ୍ଠାତା ସମ୍ପାଦକ ଶରତ ଚନ୍ଦ୍ର ନାୟକଙ୍କ ନେତୃତ୍ୱରେ ମଂଚର କର୍ମକର୍ତା ପିତାମ୍ବର ମଲ୍ଲିକ, ଯୁବ ଆଇନଜୀବୀ ତଥା ସମାଜସେବୀ ଅରବିନ୍ଦ ଦାସ, ଉଦୟ ନାଥ ଜେନା, ଗୋଲକ ଚନ୍ଦ୍ର ମହାନ୍ତି, ଲିଙ୍ଗରାଜ ମିଶ୍ର, ସତ୍ୟ ନାରାୟଣ ବେହେରା, ଦୀପକ କୁମାର ନାୟକ, ସୁକାନ୍ତ କୁମାର ଜୀଉ ପ୍ରଦୀପ କୁମାର ପଲେଇ ପ୍ରମୁଖ ଉପସ୍ଥିତ ଥିଲେ।
ହିନ୍ଦୁସ୍ଥାନ ସମାଚାର/ଦିଲ୍ଲୀପ/ବୀଣାପାଣି
.......................................
ହିନ୍ଦୁସ୍ଥାନ ସମାଚାର / ଦିଲ୍ଲୀପ