ଜୟପୁର, ୬ ସେପ୍ଟେମ୍ବର (ହି.ସ.)-
ସରକାରୀ ମହିଳା ମହାବିଦ୍ୟାଳୟ ରାଷ୍ଟ୍ରୀୟ ସେବା ଯୋଜନା(ଏନଏସଏସ) ଆନୁକୁଲ୍ୟରେ ଅଧିଗ୍ରହଣ କାର୍ଯ୍ୟକ୍ରମ ପାଳିତ ହୋଇଯାଇଛି l ମହାବିଦ୍ୟାଳୟ ଅଧ୍ୟକ୍ଷ ଡ. ବିବେକାନନ୍ଦ ସୁନା କାର୍ଯ୍ୟକ୍ରମକୁ ଉଦଘାଟନ କରି ଏନ୍. ଏସ୍. ଏସ୍ . ର ଗୁରୁତ୍ଵ ଆଲୋକପାତ କରିବା ସହ ତ୍ୟାଗ ଓ ସେବା ମନୋଭାବକୁ ବ୍ୟବହାରିକ ଜୀବନରେ ପ୍ରୟୋଗ କରିବା ପାଇଁ ଉପଦେଶ ଦେଇଥିଲେ l ଏହାପରେ ମୁଖ୍ୟବକ୍ତା ନିରଦ ବରଣ ଖୁଣ୍ଟିଆ (ସହକାରୀ ପରିଚାଳକ, ETI,OUAT, ଭୁବନେଶ୍ଵର) ଏନ୍. ଏସ୍. ଏସ୍. ର ମୂଳଲକ୍ଷ୍ୟ ଓ ଅଭିପ୍ରାୟ ସମ୍ପର୍କରେ ଉପସ୍ଥାପନ କରି ମାନବୀୟ ଦୃଷ୍ଟିକୋଣ, ସଫଳତା ପ୍ରାପ୍ତିର କୌଶଳ, ସଂକଳ୍ପର ସହ ସାଧନା, ବ୍ୟକ୍ତିତ୍ୱ ନିର୍ମାଣ ଓ ନେତୃତ୍ୱ ଏବଂ NOT ME, BUT YOU ର ଯଥାର୍ଥତା ଆଦି ବିଭିନ୍ନ ଶିକ୍ଷଣୀୟ ଗଳ୍ପ ମାଧ୍ୟମରେ ଛାତ୍ରୀମାନଙ୍କୁ ଅବଗତ କରାଇଥିଲେ l ଅବିଭକ୍ତ କୋରାପୁଟର ଜିଲ୍ଲା ଏନ୍. ଏସ୍. ଏସ୍. ପ୍ରୋଗ୍ରାମ ଅଫିସର ଅଧ୍ୟାପକ ଶ୍ରୀ ସୁଶାନ୍ତ କୁମାର ବେହେରା ଛାତ୍ରୀମାନଙ୍କୁ ସେବା ମନୋବୃତ୍ତି ନିମନ୍ତେ ପ୍ରୋତ୍ସାହିତ କରିବା ସହ ଏନ୍. ଏସ୍. ଏସ୍. ରେ ଅଂଶଗ୍ରହଣ କରିବା ନିମନ୍ତେ ପ୍ରବର୍ତ୍ତାଇଥିଲେ l ମହାବିଦ୍ୟାଳୟର ଯୁକ୍ତ ତିନି ଏନ୍. ଏସ୍. ଏସ୍. କାର୍ଯ୍ୟକ୍ରମ ଅଧିକାରୀ ଶ୍ରୀମତୀ ସୁନିତା କୁମାରୀ ପ୍ରଧାନ କାର୍ଯ୍ୟକ୍ରମକୁ ସୂଚାରୁରୂପେ ପରିଚାଳନା କରିଥିବା ବେଳେ ଯୁକ୍ତ ଦୁଇ ଏନ୍. ଏସ୍. ଏସ୍. କାର୍ଯ୍ୟକ୍ରମ ଅଧିକାରୀ ଶ୍ରୀମତୀ ସୀମା ମହାପାତ୍ର ଧନ୍ୟବାଦ ଅର୍ପଣ କରିଥିଲେ l
ଏହି ସଭାରେ ମହାବିଦ୍ୟାଳୟର ସମସ୍ତ ଅଧ୍ୟାପକ ଅଧ୍ୟାପିକା, ଏନ୍. ଏସ୍. ଏସ୍. ସ୍ଵେଚ୍ଛାସେବୀ ଏବଂ ସମସ୍ତ ଛାତ୍ରୀ ଯୋଗଦେଇ କାର୍ଯ୍ୟକ୍ରମକୁ ସାଫଲ୍ୟ ମଣ୍ଡିତ କରିଥିଲେ l
ହିନ୍ଦୁସ୍ଥାନ ସମାଚାର / ପିକେପି