ଭୁବନେଶ୍ୱର, ୦୬ ସେପ୍ଟେମ୍ବର (ହି.ସ.)- ଓଡ଼ିଶା ବିଧାନସଭାର ୪ ନମ୍ବର ୟୁନିଟ୍ ସ୍ଥିତ ପୁରାତନ ଅତିଥି ଭବନ ସମ୍ପ୍ରସାରିତ ଅଟ୍ଟାଳିକାର ଶିଳାନ୍ୟାସ ହୋଇଯାଇଛି । ବାଚସ୍ପତି ଶ୍ରୀମତୀ ସୁରମା ପାଢ଼ୀ, ଉପବାଚସ୍ପତି ଭବାନୀ ଶଙ୍କର ଭୋଇଙ୍କ ଉପସ୍ଥିତିରେ ଏଥି ପାଇଁ ଭିତିପ୍ରସ୍ତର ସ୍ଥାପନ କରିଛନ୍ତି । ଏହି ଅବସରରେ ବିଧାନସଭାର ସଚିବ ସତ୍ୟବ୍ରତ ରାଉତ ଉପସ୍ଥିତ ଥିଲେ ।
ଏଠାରେ ସୂଚନାଯୋଗ୍ୟ ଯେ ପୁରାତନ ଅତିଥି ଭବନରେ ୨୩ଟି ରୁମ୍ ଥିବାବେଳେ ଏବେ ସ୍ଥାନାଭାବର ସମସ୍ୟା ଦେଖାଦେଉଛି। ଏଥିପାଇଁ ୩ କୋଟି ୮ ଲକ୍ଷ ଟଙ୍କାରୁ ଊର୍ଦ୍ଧ୍ୱ ବ୍ୟୟରେ ସମ୍ପ୍ରସାରିତ ଅଟ୍ଟାଳିକାର କାର୍ଯ୍ୟ ଆରମ୍ଭ ହେବ। ଏହି ତିନିମହଲାବିଶିଷ୍ଟ ଅଟ୍ଟାଳିକାରେ ମୋଟ ୧୬ଟି ରୁମ୍ ନିର୍ମାଣ ହେବାକୁ ଥିବାବେଳେ ଏହିସବୁ ବିଲ୍ଡିଂ ଲିଫ୍ଟ ଦ୍ୱାରା ସଂଯୁକ୍ତ ହେବ । ମୋଟ ୯ ହଜାର ବର୍ଗଫୁଟରୁ ଊର୍ଦ୍ଧ୍ୱ ସ୍ଥାନରେ ନିର୍ମାଣ କାର୍ଯ୍ୟ ହେବାକୁ ଥିବାବେଳେ ଆଗାମୀ ୨୦୨୬ ମାର୍ଚ୍ଚ ୩୧ ତାରିଖ ସୁଦ୍ଧା ଏହି ପ୍ରକଳ୍ପର କାର୍ଯ୍ୟ ସମ୍ପୂର୍ଣ୍ଣ ହେବା ପାଇଁ ଲକ୍ଷ୍ୟ ଧାର୍ଯ୍ୟ ହୋଇଛି ।
ଏହା ଦ୍ୱାରା ସମୁଦାୟ ରୁମ୍ ସଂଖ୍ୟା ୩୯କୁ ବୃଦ୍ଧି ପାଇବ । ଅନ୍ୟ ପକ୍ଷରେ ବିଧାନସଭାର ଓଏମ୍ସି କାର୍ଯ୍ୟାଳୟ ସମ୍ମୁଖରେ ଥିବା ନୂତନ ଅତିଥି ଭବନରେ ୧୮ଟି ରୁମ୍ ରହିଥିବାବେଳେ ନୂଆ ଓ ପୁରୁଣାକୁ ମିଶାଇ ରୁମ୍ ସଂଖ୍ୟା ୫୭ ହେବ । ଏହି ଅତିଥି ଭବନ ପାଇଁ ଏବେ ଅନ୍ଲାଇନ୍ ର ବୁକିଂର ସୁବିଧା କରାଯିବା ସହ ୨୪ ଘଣ୍ଟିଆ ନିରାପତା ବ୍ୟବସ୍ଥା ଆହୁରି ସମନ୍ୱିତ ହେବ ଏହା ଦ୍ୱାରା ଏହିସବୁ ଅତିଥି ଭବନରେ ରହଣି ସମ୍ପୂର୍ଣ୍ଣ ଭାବେ ସୁରକ୍ଷିତ ଓ ଆରାମଦାୟକ ହୋଇପାରିବ। ଏହା ଦ୍ୱାରା ଭୁବନେଶ୍ୱରକୁ ଆସୁଥିବା ପୂର୍ବତନ ବିଧାୟକମାନେ ସୁବିଧାରେ ଏହି ଅତିଥି ଭବନରେ ରହିପାରିବେ। ଏହି କାର୍ଯ୍ୟକ୍ରମରେ ବିଧାନସଭାର ବରିଷ୍ଠ ଅଧିକାରୀ ପ୍ରମୁଖ ଉପସ୍ଥିତ ଥିଲେ ।
---------------
ହିନ୍ଦୁସ୍ଥାନ ସମାଚାର / ବନ୍ଦନା