ଧର୍ମଶାଳା, ୬ ସେପ୍ଟେମ୍ବର (ହି.ସ.)- ମସଜିଦ ଉପରିଭାଗରେ ଅନ୍ୟ ରାଷ୍ଟ୍ରର ପତାକା ମରାକୁ ବିରୋଧ କରିବାରୁ କମିଟି ସଦସ୍ୟଙ୍କୁ ନାନା ଧମକ ଦିଆଯିବା ସହ ବ୍ୟବସାୟ ପ୍ରତିଷ୍ଠାନରେ ପଡିଥିବା ତାଲାରେ ଏମ୍ ସିଲ ମାରି ହଇରାଣ ହରକତ କରାଯାଉଥିବା ନେଇ ବ୍ରହ୍ମବରଦା ଥାନାରେ କମିଟିର ସଦସ୍ୟ ସେଖ୍ ନାସିର ମହମ୍ମଦ ଅଭିଯୋଗ କରିଛନ୍ତି । ଅଭିଯୋଗ ମୁତବାକ, ଯାଜପୁର ଜିଲା ରସୁଲପୁର ବ୍ଲକ ମହେଶ୍ୱରପୁର ପଂଚାୟତରେ ପବିତ୍ର ମହମ୍ମଦଙ୍କ ଜୟନ୍ତୀକୁ ନେଇ ସବୁଠି ଉତ୍ସାହ ଦେଖିବାକୁ ମିଳିଥିଲା । ତେବେ ଗୁରୁବାର ଦିନ ମହେଶ୍ୱରପୁର ପଂଚାୟତ ଚାନ୍ଦପୁର ଛକ (ଆରମବାଗ୍) ନିକଟରେ ଥିବା ଆରମବାଗ୍ ମସଜିଦର ଉପରିଭାଗରେ କମିଟିର ବିନା ଅନୁମତିରେ ବାହାର ରାଷ୍ଟ୍ରର ପତାକା ଲାଗିଥିଲା । ଯାହାକି କମିଟିର ସଦସ୍ୟ ସେଖ୍ ନାସିର ମହମ୍ମଦ କମିଟିକୁ ଜଣାଇଥିଲେ । କମିଟିକୁ ଜଣାଇବା ପରେ ମସଜିଦ ଉପରୁ ପତାକା ଖୋଲା ଯାଇଥିଲା । ଶୁକ୍ରବାର ଦିନ ଶୋଭାଯାତ୍ରା ଚାଲିଥିବା ବେଳେ ସ୍ଥାନୀୟ ଅଂଚଳର ସେଖ ରିୟାଜୁଦ୍ଦିନ, ସେକ୍ ତହଦ ଇକବାଲ, ବସିରୁଦ୍ଦିନ, ସେକ୍ ଅସଦ ଅଲ୍ଲୀ ଓ ସେକ୍ ମନସୁର ଅଲ୍ଲୀ ପ୍ରମୁଖ ନାସିର ମହମ୍ମଦ ତାଙ୍କ ସାଇକେଲ ଦୋକାନରେ ବସିଥିବା ସମୟରେ ଗାଳିଗୁଳ କରିବା ସହ ଧମକ ଚମକ ଦେଇଥିଲେ । ତେବେ ଶୁକ୍ରବାର ଦିନ ସକାଳେ ନାସିର ତାଙ୍କ ସାଇକେଲ ଦୋକାନ ଖୋଲିବାକୁ ଆସିଲେ । ଦୋକାନରେ ପଡିଥିବା ତାଲା ଭିତରେ କେହି ଦୁବୃତମାନେ ଏମସିଲ ଭର୍ତି କରି ଦେଇଥିବା ଦେଖିବାକୁ ପାଇଥିଲେ । ଦୋକାନ ତାଲା ନ ଖୋଲିବାରୁ ନାସିର ବ୍ରହ୍ମବରଦା ଥାନାରେ ୫ ଜଣଙ୍କ ନାମରେ ଅଭିଯୋଗ କରିଥିବା ଜଣାପଡିଛି । ତେବେ ଏହି ଘଟଣାକୁ ନେଇ ଅଭିଯୋଗ ହୋଇଥିବା ବ୍ରହ୍ମବରଦା ପୋଲିସ କହିଛି । ଏହି ଘଟଣାରେ ତୁରନ୍ତ କାର୍ଯ୍ୟାନୁଷ୍ଠାନ ନେବାକୁ ନାସିର ସମେତ ମସଜିଦ କମିଟିର ସଦସ୍ୟ ଦାବି କରିଛନ୍ତି ।
ହିନ୍ଦୁସ୍ଥାନ ସମାଚାର / ଚିନ୍ମୟ